ଜାତକ କାହାଣୀ

 

 

 

 

 

 

 

 

 

 

ଜାତକ କାହାଣୀ

(ପ୍ରଥମ ଖଣ୍ଡ)

ଶ୍ରୀ କୃଷ୍ଣଚନ୍ଦ୍ର କର

 

ସୂଚୀପତ୍ର

 

୧.

ଆମ୍ର ଜାତକ

୨.

ଚୁଲ୍ଲକ ଶେଟ୍‍ଠି ଜାତକ

୩.

ପାପକ ଜାତକ

୪.

ମହାଲୋହିତ ଜାତକ

୫.

କଟାହକ ଜାତକ

୬.

ମନୋଜ ଜାତକ

୭.

ମଘ ଜାତକ

୮.

ମହାକପି ଜାତକ

୯.

ବେଦବ୍‍ଦ୍ଭ ଜାତକ

୧୦.

ଧର୍ମ ଜାତକ

୧୧.

ମୃଣାଳ ଜାତକ

୧୨.

କ୍ଷାନ୍ତି ଜାତକ

୧୩.

ମହାଜାତକ ଜାତକ

Image

 

ଆମ୍ର ଜାତକ

 

ବୁଦ୍ଧଦେବ ପୂର୍ବ ଜନ୍ମମାନଙ୍କରେ ମନୁଷ୍ୟ, ପଶୁ, ପକ୍ଷୀ, ଦେବତା ପ୍ରଭୃତିର ଦେହଧରି ପୃଥିବୀରେ ଅନେକ ଥର ଜନ୍ମଗ୍ରହଣ କରିଥିଲେ । ତାଙ୍କର ବିଭିନ୍ନ ଜନ୍ମର ବିଚିତ୍ର କଥା ‘ଜାତକ’ ନାମକ ଏକ ବୌଦ୍ଧଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । ସେଥିରେ ବୁଦ୍ଧଦେବଙ୍କ ନାମ ‘ବୋଧିସତ୍ତ୍ୱ’ ବୋଲି ଲେଖାଅଛି । ‘ଜାତକ’ ଗ୍ରନ୍ଥରେ ଦାନ, ଦୟା, ପରୋପକାର, ଶ୍ରଦ୍ଧା, ଅହିଂସା ପ୍ରଭୃତି ସଦ୍‍ଗୁଣର ବହୁ ଦୃଷ୍ଟାନ୍ତ ଦିଆଯାଇଛି । ନିଜେ ବୁଦ୍ଧଦେବ ଏହି ସବୁ କାହାଣୀ ତାଙ୍କ ଶିଷ୍ୟମାନଙ୍କ ଆଗରେ କହୁଥିଲେ ।

 

ଥରେ ବୋଧିସତ୍ତ୍ୱ ଚଣ୍ଡାଳଘରେ ଜନ୍ମିଥିଲେ । ଚଣ୍ଡାଳଟି ଗୋଟିଏ ଅଦ୍ଭୁତ ମନ୍ତ୍ର ଜାଣିଥିଲା । ସେ କୌଣସି ଆମ୍ୱଗଛତଳେ ଠିଆହୋଇ ସେହି ମନ୍ତ୍ରଟି ପଢ଼ିଲେ ଆମ୍ୱଗଛରେ ସଙ୍ଗେ ସଙ୍ଗେ ବଉଳ ଧରେ । ପୁଣି ଚାହୁଁ ଚାହୁଁ ଚଣାହୋଇ ପେନ୍ଥି ପେନ୍ଥି କଷିଆମ୍ୱ ହୁଏ ଏବଂ କେତେଟା ମୁହୂର୍ତ୍ତ ମଧ୍ୟରେ ବଡ଼ ହୋଇ ପାଚିଲା ମିଠା ଆମ୍ୱ ହୋଇଥାଏ । ଚଣ୍ଡାଳଟି ବଡ଼ ଗରିବ, ସେ ତା ବାଡ଼ିର ଆମ୍ବଗଛରେ ଏହି ଉପାୟରେ ବର୍ଷର ବାର ମାସଯାକ ଆମ୍ୱ ଫଳାଇ ରଖିଥାଏ । ପାଚିଲା ଆମ୍ୱ ବିକି ସେ ଯେଉଁ ଅର୍ଥ ରୋଜଗାର କରେ, ତହିଁରେ ତା କୁଟୁମ୍ୱଟିକୁ ଚଳାଏ ।

 

ବାରାଣସୀ ନଗରୀରେ ସଂଜୟ ନାମରେ ଗୋଟିଏ ଦରିଦ୍ର ବ୍ରାହ୍ମଣପୁତ୍ର ଥିଲା । ଚଣ୍ଡାଳବାଡ଼ିରେ ଆମ୍ୱଗଛରେ ବର୍ଷସାରା ପାଚିଲା ଆମ୍ୱ ଲଦି ହୋଇଥିବା କଥା ଶୁଣି ସେ ଭାବିଲା :

 

‘‘ଚଣ୍ଡାଳ ନିଶ୍ଚୟ କୌଣସି ଯାଦୁବିଦ୍ୟା ଜାଣେ । ତା ନ ହୋଇଥିଲେ ଅଋତୁରେ ତା ବାଡ଼ିରେ ଆମ୍ୱ ହୁଅନ୍ତା କିପରି ? ଦୁନିଆରେ ଯେତେବେଳେ ଆମ୍ୱ ସାତ ସପନ, ସେତେବେଳେ ତା ଗଛରେ ଆମ୍ୱ କିପରି ଭର୍ତ୍ତି ହୁଅନ୍ତା ? ମୁଁ ଯଦି ସେଇ ବିଦ୍ୟାଟି ଜାଣିପାରନ୍ତି, ତାହାହେଲେ ବାଡ଼ିରେ ସବୁ ଋତୁରେ ଆମ୍ୱ ଫଳାଇ ଅସୁମାର ଟଙ୍କା ରୋଜଗାର କରନ୍ତି ।’’

 

ସଂଜୟ ସେହି ଯାଦୁବିଦ୍ୟାଟି ଚଣ୍ଡାଳଠାରୁ ହାସଲ କରିବା ପାଇଁ ବ୍ୟଗ୍ର ହୋଇଉଠିଲା । ସେ ଦିନେ ଚଣ୍ଡାଳଘରକୁ ଯାଇ ସେହିଠାରେ ଧାରଣା ଦେଲା ଏବଂ ଅକାଳରେ ଆମ୍ୱ ଫଳାଇବାର ବିଦ୍ୟାଟି ଶିଖାଇଦେବାପାଇଁ ଚଣ୍ଡାଳକୁ ବାରମ୍ୱାର ଅନୁରୋଧ କଲା । ବ୍ରାହ୍ମଣପୁତ୍ରର ଉଦ୍ଦେଶ୍ୟ ଭଲ ନୁହେଁ ବୋଲି ଚଣ୍ଡାଳ ଜାଣିପାରି ତାହାକୁ ମନ୍ତ୍ରଟି ଶିଖାଇଦେବାକୁ ରାଜି ହେଲା ନାହିଁ ।

 

ସଂଜୟର ଏକା ଜିଦ୍‍, ସେ ନିଶ୍ଚୟ ବିଦ୍ୟାଟି ଶିଖିବ, ଆଉ ତାହାରି ବଳରେ ବର୍ଷତମାମ୍‍ ପାଚିଲା ଆମ୍ୱ ପାଇବ । ଏଥିପାଇଁ ଚଣ୍ଡାଳ ଯେତେ ମନାକଲେ ମଧ୍ୟ ସେ ଫେରି ନ ଯାଇ ତାହାରି ଘରେ ପଡ଼ିରହିଲା । ଶେଷକୁ ଏକ ଉପାୟ ପାଞ୍ଚି ଚଣ୍ଡାଳୀକୁ ‘ମା’ ବୋଲି ଡାକିଲା ଏବଂ ଚାକରପରି ଘରର ଯାବତୀୟ କାମ କରିବାକୁ ଲାଗିଲା ।

 

ସଂଜୟ ଯୋଗୁ ଚଣ୍ଡାଳୀର କାମ ବହୁତ ହାଲୁକା ପଡ଼ିଗଲା । କ୍ରମେ ତା ମନରେ ସଂଜୟ ପ୍ରତି ସ୍ନେହ ଓ ଦୟା ଆସିଲା । ଏହା ଦେଖି ସଂଜୟ ଦିନେ ଚଣ୍ଡାଳୀକୁ କହିଲା :

 

‘‘ମା, ତୁମେ ଟିକିଏ ଚଣ୍ଡାଳଙ୍କୁ ମୋ ଲାଗି କୁହ । ସେ ମତେ ଆମ୍ୱ ଫଳାଇବାର ବିଦ୍ୟା ବତାଇଦିଅନ୍ତୁ ।’’

 

ଚଣ୍ଡାଳୀ ଯାଇ ତା’ ସ୍ୱମୀକୁ କହିଲା,

 

‘‘ସଂଜୟ ଆମର ପୁଅ ପରି । ତାକୁ ତୁମେ ମନ୍ତ୍ରଟି ଶିଖାଇ ଦିଅ । ତା ନୋହିଲେ ମୋ ମନରେ ଭାରି କଷ୍ଟ ହେବ ।’’

 

ଚଣ୍ଡାଳ ତା ସ୍ତ୍ରୀର କଥାକୁ ଭାଙ୍ଗିଦେଇପାରିଲା ନାହିଁ । ସଙ୍ଗେ ସଙ୍ଗେ ସଂଜୟକୁ ଡାକି ମନ୍ତ୍ରଟି ଶିଖାଇଦେଲା ଏବଂ ତାକୁ କହିଲା :

 

‘‘ମନ୍ତ୍ରଟି ତ ଶିଖିଲ, କିନ୍ତୁ ଗୋଟିଏ କଥା ମନେରଖ । ମୁଁ ଚଣ୍ଡାଳ, ଆଉ ତୁମେ ହେଉଛ ବ୍ରାହ୍ମଣର ପୁଅ । ମତେ ଗୁରୁବୋଲି ଅନ୍ୟ ଆଗରେ କହିବାକୁ ତୁମେ ଲଜ୍ଜାବୋଧ କରିପାର । ସେଥିପାଇଁ ଆଗରୁ ସାବଧାନ କରାଇଦେଉଛି । ଯଦି କୌଣସି ଦିନ ତୁମେ ଲଜ୍ଜାରେ ଗୁରୁର ନାମ ଗୋପନ କର, ତାହାହେଲେ ତାର ପର ମୁହୂର୍ତ୍ତଠାରୁ ତୁମେ ଏହି ମନ୍ତ୍ରଟିକୁ ଭୁଲିଯିବ ।’’

 

ଏହା ଶୁଣି ସଂଜୟ ଜିଭ କାମୁଡ଼ିପକାଇ କହିଲା :

 

‘‘ଗୁରୁଦେବ ! ଏହା କି କେବେହେଲେ ମୋ ପକ୍ଷରେ ସମ୍ଭବ ହୋଇପାରେ ? ବ୍ରାହ୍ମଣ ହେଉନ୍ତୁ ବା ଚଣ୍ଡାଳ ହେଉନ୍ତୁ, ଯେ ମନ୍ତ୍ର ଦିଅନ୍ତି, ସେ ହେଉଛନ୍ତି ଗୁରୁ । ତେଣୁ ଶିଷ୍ୟ ହୋଇ ମୁଁ ଆପଣଙ୍କ ନାମ ଗୋପନ କରିବି କାହିଁକି ?’’

 

ଏହାପରେ ସଂଜୟ ଚଣ୍ଡାଳ ଓ ଚଣ୍ଡାଳୀଠାରୁ ବିଦାୟ ଘେନି ଆସିଲା । ବାଟରେ ଗୋଟିଏ ଆମ୍ୱଗଛ ଦେଖି ତାହାରି ତଳେ ଠିଆହୋଇ ମନ୍ତ୍ରଟିକୁ ପରୀକ୍ଷା କରିବସିଲା । ସଙ୍ଗେ ସଙ୍ଗେ ସେହି ମନ୍ତ୍ରବଳରେ ଗଛଟିରେ ବଉଳ ଧଇଲା, ଚଣା ହେଲା, କଷି ହେଲା ଓ ଆମ୍ୱ ପାଚିଲା-। ସଂଜୟ କେତୋଟି ପାଚିଲା ଆମ୍ୱ ଆଣି ତାର ସ୍ୱାଦ ଚାଖିଲା । ଆନନ୍ଦରେ ପାଗଳ ହୋଇଯାଇ ଗଡ଼ ଜିଣିଥିବା ପରି ଖୁବ୍‍ ଗର୍ବରେ ସେ ବାରଣାସୀ ଫେରିଗଲା ।

 

ଚଣ୍ଡାଳ କେବଳ ତାର ସଂସାରଟି ଚଳାଇବାପାଇଁ ମନ୍ତ୍ର ବ୍ୟବହାର କରୁଥିଲା; ଧନୀ ହେବାଲାଗି ତାର ଆଦୌ ଇଚ୍ଛା ନ ଥିଲା; ମାତ୍ର ସଂଜୟର ଉଦ୍ଦେଶ୍ୟ ତାହା ନୁହେଁ । ସେ ଧନବାନ୍‍ ହେବାପାଇଁ ମନ୍ତ୍ରଟିକୁ ବ୍ୟବହାର କଲା । ସତକୁ ସତ ସେ ତା ଆମ୍ୱବଗିଚାରେ ବାରମାସୀ ଆମ୍ୱ ଫଳାଇ ପ୍ରଚୁର ଅର୍ଥ ଉପାର୍ଜନ କଲା ଏବଂ ଖୁବ୍‍ ବଡ଼ଲୋକିରେ ଜୀବନ କଟାଇଲା ।

 

ଆମ୍ୱ ବ୍ୟବସାୟରେ ସଂଜୟର ଅବସ୍ଥା ଏକାବେଳେ ବଦଳିଯିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । କେହି ପଚାରିଲେ ସଂଜୟ ଗୁରୁର ନାମ ନ ଲୁଚାଇ ସତକଥାଟି କହିଦିଏ ।

 

କ୍ରମେ ସଂଜୟର ଆମ୍ୱବ୍ୟବସାୟ କଥା ଚାରିଆଡ଼େ ଜଣାପଡ଼ିଗଲା । ଥରେ ବାରଣାସୀର ରାଜା ଖାଇବାବେଳେ ଦେଖିଲେ ତାଙ୍କୁ ଗୁଡ଼ିଏ ପାଚିଲା ଆମ୍ୱ ଦିଆଯାଇଛି । ସେହି ସୁସ୍ୱାଦ ଆମ୍ୱଗୁଡ଼ିକ ଖାଇ ରାଜା ଅତ୍ୟନ୍ତ ତୃପ୍ତ ହେଲେ ଏବଂ ଶୀତଦିନେ ଏଭଳି ମିଠା ଆମ୍ୱ କେଉଁଠି ମିଳିଲା ବୋଲି ପଚାରିବାରୁ ଦାସୀମାନେ କହିଲେ ଯେ, ସେଗୁଡ଼ିକ ସଂଜୟ ବଗିଚାର ଆମ୍ୱ ।

 

ରାଜାର ମନରେ ବଡ଼ କୌତୂହଳ ଜନ୍ମିଲା । ସେ ସଂଜୟକୁ ଡକାଇପଠାଇଲେ । ସଂଜୟ ଡାକରା ପାଇ ସଙ୍ଗେ ସଙ୍ଗେ ଆସିଲା । ରାଜା ତାକୁ ପଚାରିଲେ :

 

‘‘ଶୁଣିଲି, ତୁମ ବଗିଚାରେ ବାରମାସୀ ଆମ୍ୱର ଗଛ ଅଛି । ଏଭଳି ଗଛର ଚାରା ତୁମେ କେଉଁଠୁ ପାଇଲ ?’’

 

ସଂଜୟ ଉତ୍ତର ଦେଲା :

 

‘‘ମହାରାଜ ! ମୋ ବଗିଚାରେ ବାରମାସୀ ଆମ୍ୱଗଛ ନାହିଁ–ସବୁଗୁଡ଼ିକ ଦେଶୀ ଆମ୍ୱର ଗଛ । ମନ୍ତ୍ରବଳରେ ମୁଁ ସେଗୁଡ଼ିକରେ ସବୁଦିନେ ଆମ୍ୱ ଫଳାଇପାରୁଛି ।’’

 

ରାଜାଙ୍କ ବିସ୍ମୟ ଆହୁରି ବଢ଼ିଗଲା । ସେ ଅତ୍ୟନ୍ତ ଆଗ୍ରହୀ ହୋଇ ଜିଜ୍ଞାସା କଲେ :

 

‘‘ଏଭଳି ମନ୍ତ୍ର ତୁମେ କେଉଁଠୁ ଶିଖିଲ ?’’

 

ସଂଜୟ ବଡ଼ ଅଡ଼ୁଆରେ ପଡ଼ିଗଲା । ବ୍ରହ୍ମଣଘରେ ଜନ୍ମି ଚଣ୍ଡାଳକୁ ଗୁରୁ କରିଛି, ଆଉ ତାହାରିଠାରୁ ମନ୍ତ୍ର ଶିଖି ଏଡ଼େ ଧନୀ ହୋଇଛି, ଏ କଥା ରାଜାଙ୍କ ଆଗରେ ମାନିଗଲେ ରାଜା ତାକୁ ନିଶ୍ଚୟ କଠିନ ଦଣ୍ଡ ଦେବେ । ଏଥିପାଇଁ ସେ ଚଣ୍ଡାଳର ନାମ କହିଲା ନାହିଁ । ଯେଉଁ ମନ୍ତ୍ରକୁ ନିତି ସେ ଉଚ୍ଚାରଣ କରୁଛି, ତାହା ଯେ କେବେହେଲେ ତା ମନରୁ ପାସୋରିଯିବ ନାହିଁ, ଏହା ଭାବି ଉତ୍ତର ଦେଲା :

 

‘‘ମହାରାଜ ! ତକ୍ଷଶିଳାରେ ଜଣେ ଅତି ବୃଦ୍ଧ ବୌଦ୍ଧଭିକ୍ଷୁ ଅଛନ୍ତି । ମୁଁ ତାଙ୍କରି ଶିଷ୍ୟହୋଇ ବହୁ ସାଧନାପରେ ତାଙ୍କଠାରୁ ଏହି ମନ୍ତ୍ରଟି ଶିଖିଛି ।’’

 

ରାଜା କୌତୂହଳୀ ହୋଇ ସଂଜୟ ସହିତ ତା ବଗିଚାକୁ ଗଲେ ଏବଂ ମନ୍ତ୍ରପ୍ରୟୋଗଦ୍ୱାରା ଗଛରେ ଆମ୍ୱ ଫଳାଇବାପାଇଁ ସଂଜୟକୁ କହିଲେ । ସଂଜୟ ମନ୍ତ୍ରଟି ଉଚ୍ଚାରଣ କରିବାକୁ ବସିଲା; କିନ୍ତୁ ଆଶ୍ଚର୍ଯ୍ୟ କଥା, ମନ୍ତ୍ରର ଗୋଟିଏ ହେଲେ ଅକ୍ଷର ତାର ମନେପଡ଼ିଲା ନାହିଁ-। ତହୁଁ ସେ ବିଷର୍ଣ୍ଣ ହୋଇ ହାତଯୋଡ଼ି ତାଙ୍କୁ ସତ କଥାଟି ଜଣାଇଲା ।

 

‘‘ମହାରାଜ ! ଭୟରେ ମୁଁ ଆପଣଙ୍କ ଆଗରେ ମିଥ୍ୟା କହିଛି । ଜଣେ ଚଣ୍ଡାଳ ଗୁରୁଙ୍କଠାରୁ ମୁଁ ମନ୍ତ୍ରଟି ଶିଖିଥିଲି । ଲଜ୍ଜାରେ ତାହା ପ୍ରକାଶ ନ କରିବାରୁ ଆଉ ମତେ ମନ୍ତ୍ରଟି ଆସୁ ନାହିଁ । ମିଥ୍ୟାକଥା କହି ଯେଉଁ ଅପରାଧ କରିଛି, ଆପଣ ସେଥିପାଇଁ ମତେ ଉଚିତ୍‍ ଶାସ୍ତି ଦିଅନ୍ତୁ ।’’

 

ରାଜା ଭାରି ବିରକ୍ତ ହୋଇ ସଂଜୟକୁ ଭର୍ତ୍ସନା କରି କହିଲେ :

 

ମୁର୍ଖ ! ଗୁରୁଙ୍କର କି କେବେହେଲେ ଜାତିବିଚାର କରାଯାଏ ? ଗୁରୁ ହୀନଜାତିରେ ଜାତ ହୋଇଥିଲେ ମଧ୍ୟ ସବୁବେଳେ ପୂଜ୍ୟ । ଉଚ୍ଚଜାତି, ହୀନଜାତି, ଏସବୁ ମନୁଷ୍ୟର ସୃଷ୍ଟି । ଭଗବାନଙ୍କ ଚକ୍ଷୁରେ ସମସ୍ତେ ସମାନ । ତୁମେ ବ୍ରାହ୍ମଣସନ୍ତାନ ହେଲେ ହେଁ ଅତି ପାପୀ । ତୁମ୍ଭର ମୁଖ ଦେଖିଲେ ମଧ୍ୟ ପାପ ହେବ । ମିଥ୍ୟାବାଦି । ତୁମେ ମିଥ୍ୟା କହି ଯଥେଷ୍ଟ ଶାସ୍ତି ପାଇସାରିଲଣି । ଆଉ ଅଧିକ ଶାସ୍ତି ଦେବାର ପ୍ରୟୋଜନ ନାହିଁ ।’’

 

ବ୍ରାହ୍ମଣପୁତ୍ର ନିଜ ଦୋଷରୁ ପୁଣି ପୂର୍ବପରି ଦରିଦ୍ର ହୋଇଗଲା । ସେ ଏଣିକି ମିଛ କହିବା ଛାଡ଼ି ଚରିତ୍ରରେ ଶୁଦ୍ଧତା ଆଣିବାକୁ ଚେଷ୍ଟା କଲା ।

Image

 

ଚୁଲ୍ଲକ ଶେଟ୍‍ଠି ଜାତକ

 

ବହୁତ କାଳ ତଳର କଥା । ସେତେବେଳେ ବହ୍ମଦତ୍ତ ନାମରେ ଜଣେ ରାଜା ବାରଣାସୀରେ ରାଜତ୍ୱ କରୁଥିଲେ । ବୋଧିସତ୍ତ୍ୱ ସେହି ରାଜାଙ୍କ ସମୟରେ ଜଣେ ଶ୍ରେଷ୍ଠୀ ହୋଇ ବାରଣାସୀ ନଗରୀରେ ଜନ୍ମ ପାଇଥିଲେ । ଲୋକେ ତାଙ୍କୁ ‘ଚୁଲ୍ଲକ ଶେଟ୍‍ଠି’ ଅର୍ଥାତ୍‍ ‘ଛୋଟ ଶେଠ୍’ ବୋଲି ଡାକୁଥିଲେ । ଚୁଲ୍ଲକ ନିଜର ବିଦ୍ୟା ବୁଦ୍ଧିପାଇଁ ସବୁରିଠାରୁ ପ୍ରଶଂସା ପାଉଥିଲେ । ଏହାଛଡ଼ା ତାଙ୍କର ଗୋଟିଏ ଦୁର୍ଲଭ ଗୁଣ ଥିଲା । ସେ କେତେକ ଲକ୍ଷଣ ଦେଖି ତହିଁରୁ ଶୁଭାଶୁଭ ବା ଭଲମନ୍ଦ ଜାଣିପାରୁଥିଲେ ଏବଂ ସେହି ଅନୁସାରେ ଭବିଷ୍ୟତ କଥା କହିପାରୁଥିଲେ ।

ଦିନେ ଶ୍ରେଷ୍ଠୀ ରାଜପଥରେ ଯାଉଥିବାବେଳେ ଗୋଟିଏ ମୃତ ଇନ୍ଦୁର ଦେଖିବାକୁ ପାଇଲେ । ସେ ପଥପାର୍ଶ୍ୱରେ କିଛିକ୍ଷଣ ଠିଆହୋଇ ସେହି ମୃତ ଜୀବଟିକୁ ଚାହିଁ ମନକୁ ମନ କହିବାକୁ ଲାଗିଲେ :

‘‘କୌଣସି ବୁଦ୍ଧିମାନ୍‍ ଯୁବକ ଯଦି ଏହି କ୍ଷୁଦ୍ର ମଲା ଜୀବଟିକୁ ଆଦରରେ ନେଇ ବ୍ୟବସାୟ ଆରମ୍ଭ କରିବ, ତାହାହେଲେ ଏହାରି ସାହାଯ୍ୟରେ ସେ ଯଥେଷ୍ଟ ଉପାର୍ଜନ କରିପାରିବ ଏବଂ ଦିନେ ଖୁବ୍ ଧନୀଲୋକ ହୋଇ ନିଜର ଭାଗ୍ୟ ବଦଳାଇପାରିବ ।’’

ଠିକ୍‍ ସେତିକିବେଳେ ‘ସତ୍ୟବାହ’ ନାମରେ ଜଣେ ଦରିଦ୍ର ବଂଶର ଯୁବକ ସେଇ ପଥଦେଇ ଯାଉଥିଲା । ଶ୍ରେଷ୍ଠୀଙ୍କୁ ସେ ଭଲକରି ଜାଣେ ଏବଂ ତାହାଙ୍କ ଭବିଷ୍ୟଦ୍‍ବାଣୀକୁ ପୂର୍ଣ୍ଣଭାବରେ ବିଶ୍ୱାସ କରେ । ଏବେ ସେ ଶ୍ରେଷ୍ଠୀଙ୍କ ମୁଖର କଥା ଶୁଣି ଆନନ୍ଦରେ ମଲା ମୂଷିକଟିକୁ ତଳୁ ଉଠାଇନେଇ ଆଗକୁ ଚାଲିଲା । କିଛି ପଥ ଯିବାପରେ ସତ୍ୟବାହ ଦେଖିଲା, ଜଣେ ଦୋକାନୀ ପୋଷା ବିରାଡ଼ିଟି ପାଇଁ ଖାଦ୍ୟ ଖୋଜୁଛି । ସେ ମଲା ଇନ୍ଦୁରଟିକୁ ତାକୁ ଯାଇ ଯାଚିଲା । ଦୋକାନୀ ଖୁସିହୋଇ ମୂଷିକଟିକୁ ନେଲା ଏବଂ ମୂଲ୍ୟସ୍ୱରୂପ ତାକୁ କଉଡ଼ିଟିଏ ଦେଲା ।

ସେହି କଉଡ଼ିଟି ହେଲା ସତ୍ୟବାହର ମୂଳପାଣ୍ଠି । ତାହାରି ସାହାଯ୍ୟରେ ବ୍ୟବସାୟ ଆରମ୍ଭ କରିବାକୁ ସେ ସ୍ଥିର କଲା । କେତେ କ୍ଷଣ ଭାବିବାରେ ତା ମୁଣ୍ଡକୁ ଗୋଟିଏ ଭଲ ବୁଦ୍ଧି ଆସିଲା । ସେ କଉଡ଼ିଟି ଦେଇ ଦୋକାନରୁ କିଛି ଗୁଡ଼ କିଣିଲା ଏବଂ ତାହାକୁ କଳସୀଏ ପାଣିରେ ଗୋଳାଇ ଗୁଡ଼ପଣା ତିଆରି କଲା । ତତ୍ପରେ ପଣାକଳସୀଟି ନେଇ ବନପଥର ପାର୍ଶ୍ୱରେ ଏକ ବୃକ୍ଷତଳେ ବସିରହିଲା ।

ସେତେବେଳକୁ ମଧ୍ୟାହ୍ନ ସମୟ ଗଡ଼ିଯିବା ଉପରେ । ସତ୍ୟବାହ ଜାଣେ ଯେ, ମାଳାକାରମାନେ ବନରୁ ପୁଷ୍ପ ସଂଗ୍ରହ କରି ସେହି ସମୟରେ ନଗରୀକୁ ଫେରନ୍ତି ! ସତକୁ ସତ ଅଳ୍ପ କାଳପରେ ଦଳେ ମାଳାକାର ଫୁଲବେତା ଧରି ବନରୁ ଫେରିଲେ । ସେମାନେ ଅତ୍ୟନ୍ତ ତୃଷାର୍ତ୍ତ ହୋଇପଡ଼ିଥାନ୍ତି; ତେଣୁ ବଡ଼ ଆଗ୍ରହରେ ସତ୍ୟବାହଠାରୁ ଗୁଡ଼ପଣା ପିଇି ତୃପ୍ତ ହେଲେ ଏବଂ ତାହାର ବିନିମୟରେ ପ୍ରତ୍ୟେକ କିଛି କିଛି ଫୁଲ ସତ୍ୟବାହକୁ ଦେଇ ଆନନ୍ଦରେ ଚାଲିଗଲେ ।

ବୁଦ୍ଧିମାନ୍‍ ସତ୍ୟବାହ ଫୁଲଗୁଡ଼ିକ ନେଇ ନଗରୀକୁ ଗଲା ଏବଂ ତାହା ବିକ୍ରୟ କରି କିଛି ପଇସା ଅର୍ଜନ କଲା । ସେହି ପଇସାରେ ପରଦିନ ସେ ଅଧିକ ଗୁଡ଼ କିଣିଲା ଏବଂ ଗୁଡ଼ିଏ କଳସୀରେ ପଣା ପ୍ରସ୍ତୁତ କରି ପୂର୍ବର ବୃକ୍ଷତଳେ ସେ ସବୁକୁ ନେଇ ବସିଲା । ଏଥର ବେଶି ମାଳାକାର ପଣା ପିଇଲେ ଏବଂ ବେଶୀ ଫୁଲ ଦେଇଗଲେ । ଫଳରେ ସତ୍ୟବାହ ସେଗୁଡ଼ିକୁ ବିକି ପୂର୍ବଦିନ ଅପେକ୍ଷା ବେଶି ପଇସା ରୋଜଗାର କଲା । ଏହିପରି ତାର କେତେଦିନ ପଣାଦିଆ କାମ ଓ ଫୁଲବିକା କାମ ଚାଲିଲା । ହାତରେ ମଧ୍ୟ ଆଠ ଟଙ୍କାରୁ ବେଶି ଜମିଗଲା ।

ଦିନେ ପ୍ରଚଣ୍ଡ ଝଡ଼ ଆଉ ବୃଷ୍ଟି ହେଲା । ରାଜାଙ୍କ ଉଦ୍ୟାନରେ ଗଛସବୁ ଭାଙ୍ଗିପଡ଼ି ଚତୁର୍ଦ୍ଦିଗ ଆବର୍ଜନାପୂର୍ଣ୍ଣ ହୋଇଗଲା । ଉଦ୍ୟାନର ମାଳୀମାନଙ୍କ ପକ୍ଷରେ ସେହି ଆବର୍ଜନାସବୁ ତୁରନ୍ତ ସଫା କରିଦେବା ଅସମ୍ଭବ ହୋଇଉଠିଲା । ସତ୍ୟବାହ ଏହା ଜାଣିପାରି ନଗରୀର କେତେକ ବାଳକଙ୍କୁ ଗୁଡ଼ ଖୁଆଇ ବଶୀଭୂତ କଲା ଏବଂ ସେମାନଙ୍କଦ୍ୱାରା ଉଦ୍ୟାନରେ ଇତସ୍ତତଃ ପଡ଼ିଥିବା ଅସଂଖ୍ୟ ଭଗ୍ନ ଶାଖା ଓ ପତ୍ରସମୁହ ବୁହାଇଆଣି ସ୍ତୂପାକାରରେ ରାସ୍ତାରେ ଫିଙ୍ଗିଦେଲା ।

ଯୋଗକୁ ସେହିଦିନ ଜଣେ କୁମ୍ଭାରର ବହୁତ ହାଣ୍ଡିକଳସୀ ପୋଡ଼ାହେବାର ଥିଲା । ସେ କାଠ କିଣିବାପାଇଁ ବଜାରକୁ ଯିବାବେଳେ ପଥମଧ୍ୟରେ ସ୍ତୂପୀକୃତ ଶାଖାସମୂହ ଦେଖିବାକୁ ପାଇଲା-। ସତ୍ୟବାହ ଏହି ସୁଯୋଗରେ ସେଗୁଡ଼ିକୁ କୁମ୍ଭକାରକୁ ବିକିଦେଇ ତାଠାରୁ ଷୋଳ ଟଙ୍କା ଆଣିଲା ।

ସେତେବେଳେ ବାରାଣସୀଠାରେ ପାଞ୍ଚ ଶହ ଘାସକଟାଳିଙ୍କର ଗୋଟିଏ ଦଳ ଥିଲା । ସେମାନେ ପ୍ରତ୍ୟହ ଦୂରରୁ ଘାସ କାଟିଆଣି ସନ୍ଧ୍ୟାବେଳେ ବଜାରରେ ବିକନ୍ତି । ଯେଉଁମାନଙ୍କର ଘୋଡ଼ା ଥାଏ, ସେମାନେ ସେହି ଘାସକଟାଳିଙ୍କଠାରୁ ଘାସ କିଣନ୍ତି । ସତ୍ୟବାହ ଏଣିକି ଗୋଟାଏ ବଡ଼ ମାଟିକୁଣ୍ଡରେ ପିଇବାପାଣି ଭର୍ତ୍ତିକରି ଜଳଛତ୍ର ଦେବାପାଇଁ ପଥପାର୍ଶ୍ୱରେ ବସିଲା । ଘାସକଟାଳିମାନେ ସେହି ପଥଦେଇ ଘାସ କାଟିବାକୁ ଯିବାବେଳେ ଏବଂ ଘାସ କାଟି ସେହି ବାଟେ ଫେରିବାବେଳେ ସତ୍ୟବାହ ସେମାନଙ୍କୁ ପିଇବାକୁ ଦେଲା । ଏଭଳି ଅଯୋଚିତ ଦାନ ପାଇ ତୃଷା ମେଣ୍ଟାଇବାଫଳରେ ଘାସକଟାଳିମାନେ ଅତ୍ୟନ୍ତ ପ୍ରୀତ ହୋଇଗଲେ ଏବଂ ସତ୍ୟବାହକୁ କହିଲେ;

‘‘ତୁମେ ଆମର ଏତେ ଉପକାର କରୁଛ । ଆମେ ଏଥିପାଇଁ ପ୍ରତିଦାନରେ ତୁମକୁ କଣ ଦେବୁ, କୁହ ।’’

ସତ୍ୟବାହ ହସି ହସି ଉତ୍ତର ଦେଲା :

 

‘‘ସେଥିପାଇଁ ତୁମ୍ଭମାନଙ୍କର ବର୍ତ୍ତମାନ ଭାବିବା କିଛି ଆବଶ୍ୟକ ନାହିଁ । ପ୍ରୟୋଜନ ପଡ଼ିଲେ ମୁଁ ବଳେ କହିବି ।’’

 

କିଛିଦିନ ପରେ ସତ୍ୟବାହ ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ପାଇଲା ଯେ, ପରଦିନ ଜଣେ ବିଦେଶୀ ଅଶ୍ୱ ବିକ୍ରେତା ପାଞ୍ଚଶହ ଅଶ୍ୱ ଘେନି ବାରାଣସୀରେ ଆସି ପହଞ୍ଚିବେ । ସଙ୍ଗେ ସଙ୍ଗେ ସତ୍ୟବାହର ମସ୍ତିଷ୍କରେ ଏକ ବ୍ୟବସାୟ ବୁଦ୍ଧି ଖେଳିଗଲା । ସେ ଘାସକଟାଳିମାନଙ୍କୁ କହିଲା :

 

‘‘ଭାଇମାନେ ! ଏବେ ମୋର ପ୍ରୟୋଜନବେଳ ଆସିଛି । ତୁମ୍ଭେମାନେ ଦୟାକରି ପ୍ରତ୍ୟେକେ କାଲି ମତେ ଗୋଚ୍ଛାଏ ଲେଖାଏଁ ଘାସ ଦେବ । ତାହା ସଙ୍ଗେ ସଙ୍ଗେ ମୋର ଗୋଟିଏ ସର୍ତ୍ତ ରହିଲା । ମୁଁ ସେହି ଘାସଗୋଚ୍ଛାତକ ବିକ୍ରିକରି ନ ସାରିବା ପର୍ଯ୍ୟନ୍ତ ତୁମେମାନେ କେହି ନିଜର ଘାସ ବିକିବ ନାହିଁ ।’’

 

ଘାସକଟାଳିମାନେ ଏଥିରେ ଆନନ୍ଦରେ ସମ୍ମତ ହେଲେ ଏବଂ ତତ୍ପରଦିନ ସତ୍ୟବାହର ଘରେ ନେଇ ପାଞ୍ଚଶହ ଗୋଚ୍ଛା ଘାସ ଦେଇଆସିଲେ । ବିଦେଶୀ ଅଶ୍ୱ ବିକ୍ରେତା ଘାସ ପାଇଁ ବଜାରକୁ ଲୋକ ପଠାଇଲା; ମାତ୍ର ସର୍ତ୍ତ ଅନୁସାରେ ଘାସ କଟାଳିମାନେ ଘାସ ବିକିବାକୁ ମନାକଲେ । ଶେଷରେ ଅଶ୍ୱବିକ୍ରେତାଟି ବାଧ୍ୟହୋଇ ସତ୍ୟବାହଠାରୁ ଏକହଜାର ଟଙ୍କା ଦେଇ ପାଞ୍ଚଶହ ଗୋଚ୍ଛା ଘାସ କିଣିଲା । ଏବେ ସତ୍ୟବାହ ହାତରେ ବ୍ୟବସାୟ ପାଇଁ ଯଥେଷ୍ଟ ପୁଞ୍ଜି ହୋଇଗଲା ।

 

କେତୋଟି ମାତ୍ର ଦିନ ଯାଇଛି କି ନାହିଁ, ସତ୍ୟବାହ ତାର ଜଣେ ବିଶ୍ୱାସୀ ବନ୍ଧୁଠାରୁ ଶୁଣିଲା ଯେ, ପ୍ରଚୁର ବଣିଜଦ୍ରବ୍ୟ ଘେନି ବୋଇତଟିଏ ବନ୍ଦରକୁ ଆସୁଛି । ଏହି ସମ୍ୱାଦ ଶୁଣିବା କ୍ଷଣି ସେ ଧନୀ ଶ୍ରେଣୀର ବେଶପରିଚ୍ଛଦରେ ସୁସଜ୍ଜିତ ହୋଇ ଏକ ଭଡ଼ା ଯାନରେ ବସି ବନ୍ଦରରେ ଉପସ୍ଥିତ ହେଲା । ତାର କେତେ ଘଣ୍ଟାପୂର୍ବରୁ ବୋଇତଟି ଆସି ବନ୍ଦରରେ ଲାଗିଥାଏ । ସତ୍ୟବାହ ସଙ୍ଗେ ସଙ୍ଗେ ଯାଇ ବୋଇତର ବଣିକ ସହିତ ସାକ୍ଷାତ କଲା ଏବଂ ସମସ୍ତ ମାଲ କିଣିନେବାପାଇଁ ଚୁକ୍ତି କରିଦେଲା । ସେହି ଚୁକ୍ତିର ନିଦର୍ଶନସ୍ୱରୂପ ସେ ନିଜର ନାମାଙ୍କିତ ମୁଦ୍ରିକାଟି ବଣିକକୁ ଦେଇଆସି ବନ୍ଦର ସମୀପରେ ଏକ ତମ୍ୱୁ ପକାଇ ତାହା ମଧ୍ୟରେ ବସିରହିଲା ।

 

ବୋଇତ ଲାଗିବା ସମ୍ୱାଦ ଶୁଣି ବାରାଣସୀର ଏକଶତ ବ୍ୟବସାୟୀ ବନ୍ଦରରେ ଆସି ପହଞ୍ଚିଲେ । ଏଥିମଧ୍ୟରେ ସତ୍ୟବାହ ବୋଇତଟାଯାକର ବଣିଜଦ୍ରବ୍ୟ କିଣିନେବ ବୋଲି ବଇନା କରିସାରିଥିବା କଥା ଶୁଣି ସେମାନେ ସତ୍ୟବାହ ନିକଟରୁ ମାଲ୍ କିଣିବାପାଇଁ ଆସିଲେ । ସତ୍ୟବାହ ସେମାନଙ୍କୁ କହିଲା :

 

‘‘ମୁଁ ମାଲ୍ ବିକିଦେବା ପାଇଁ ପ୍ରସ୍ତୁତ ଅଛି, ମାତ୍ର ତାହାପୂର୍ବରୁ ତୁମମାନଙ୍କୁ ଯୋଡ଼ିଏ ସର୍ତ୍ତ ପୂରଣ କରିବାକୁ ହେବ । ପ୍ରଥମ ସର୍ତ୍ତ ହେଉଛି, ପ୍ରତ୍ୟେକେ ମତେ ବର୍ତ୍ତମାନ ହଜାରେ ଟଙ୍କା ଲେଖାଏଁ ମାନ୍ୟସ୍ୱରୂପେ ଦେବ । ଏ ଟଙ୍କା କେହି ଫେରସ୍ତ ପାଇବ ନାହିଁ, କି ମାଲ୍‍ର ମୂଲ୍ୟରେ ମଜୁରା ଦେବ ନାହିଁ । ଦ୍ୱିତୀୟ ସର୍ତ୍ତ ହେଉଛି, ମାଲ ବିକ୍ରିର ଲାଭସ୍ୱରୂପ ପ୍ରତ୍ୟେକେ ମତେ ଏକ ହଜାର ଟଙ୍କା ଲେଖାଏଁ ଦେବ ।’’

 

ବ୍ୟବସାୟୀମାନେ ଦୁଇଟିଯାକ ସର୍ତ୍ତରେ ସ୍ୱୀକୃତି ଦେଲେ ଏବଂ ସଙ୍ଗେ ସଙ୍ଗେ ସତ୍ୟବାହକୁ ହଜାରେ ଲେଖାଏଁ ଟଙ୍କା ଦେଇଦେଲେ । ସତ୍ୟବାହ ସେଇଠି ବସି ଲକ୍ଷେ ଟଙ୍କା ରୋଜଗାର କରିନେଲା । ତାପରେ ମାଲସବୁର ମୂଲ୍ୟ ନିର୍ଦ୍ଧାରିତ ହେଲା । ବ୍ୟବସାୟୀମାନେ ମୂଲ୍ୟ ଦେଇ ବୋଇତରୁ, ନିଜ ନିଜର ମାଲ୍ ନେବାବେଳେ ପ୍ରତିଶ୍ରୁତି ଅନୁଯାୟୀ ପୁଣି ପ୍ରତ୍ୟେକେ ସତ୍ୟବାହକୁ ହଜାରେ ଲେଖାଏଁ ଟଙ୍କା ଦେଲେ ।

 

ସତ୍ୟବାହ ବଣିକକୁ ତାର ପ୍ରାପ୍ୟ ଟଙ୍କା ଦେଇଦେଲା ଏବଂ ନିଜ ବୁଦ୍ଧିବଳରେ ଅତି ଅଳ୍ପ ସମୟ ମଧ୍ୟରେ ଦୁଇଲକ୍ଷ ଟଙ୍କା ଉପାର୍ଜନ କରି ଧନୀ ପାଲଟିଗଲା ।

 

ଏତେ ଧନର ଅଧିକାରୀ ହେଲେ ହେଁ ସତ୍ୟବାହ ତା ଭାଗ୍ୟର ପରିବର୍ତ୍ତନକାରୀ ସେହି ଚୁଲ୍ଲକ ଶ୍ରେଷ୍ଠୀଙ୍କୁ ଭୁଲିପାରିଲା ନାହିଁ । ସେ ଏକଲକ୍ଷ ଟଙ୍କା ଘେନି ତାଙ୍କ ନିକଟକୁ ଯାଇ ନିଜ ଜୀବନର ସମସ୍ତ ଇତିହାସ ବର୍ଣ୍ଣନା କଲା ଏବଂ ଶେଷରେ କହିଲା;

 

‘‘ଆପଣଙ୍କ ଭବିଷ୍ୟତବାଣୀ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ମୁଁ ସେହି ମୂଲ୍ୟ ମୂଷିକରୁ ବ୍ୟବସାୟ ଆରମ୍ଭକରି ଆଜି ଦୁଇଲକ୍ଷ ଟଙ୍କା ଉପାର୍ଜନ କରିପାରିଛି । ତେଣୁ ଏଇ ଏକଲକ୍ଷ ଟଙ୍କା ଆପଣ ମୋଠାରୁ କୃତଜ୍ଞତାର ଉପହାର ସ୍ୱରୂପ ଗ୍ରହଣ କରନ୍ତୁ ।’’

 

ଚୁଲ୍ଲକ ଶ୍ରେଷ୍ଠୀ ଯୁବକ ସତ୍ୟବାହର ବୁଦ୍ଧି, ଉଦ୍ୟମ ଓ କର୍ମଠତାରେ ଅତ୍ୟନ୍ତ ପ୍ରୀତ ହେଲେ ଏବଂ ତାହାର ହସ୍ତରେ ନିଜ କନ୍ୟାକୁ ସମର୍ପଣ କଲେ । ତାଙ୍କ ମୃତ୍ୟୁ ପରେ ସତ୍ୟବାହ ବାରାଣସୀର ଜଣେ ପ୍ରଧାନ ଶ୍ରେଷ୍ଠୀ ରୂପେ ସମ୍ମାନ ପାଇଲା ।

Image

 

ପାତକ ଜାତକ

 

ସେକାଳରେ ତକ୍ଷଶିଳାରେ ଭାରତର ଶ୍ରେଷ୍ଠ ଶିକ୍ଷାକେନ୍ଦ୍ର ଥିଲା । ସେଠାରେ ବେଦ, ବେଦାଙ୍ଗ, ଶାସ୍ତ୍ର, ପୁରାଣ ପ୍ରଭୃତି ନାନା ବିଦ୍ୟାର ଚର୍ଚ୍ଚା ହେଉଥିଲା । ବହୁ ସଂସ୍କୃତ ଅଧ୍ୟାପକ ସେଠାରେ ରହି ଶିକ୍ଷାଦାନ କରୁଥିଲେ । ଯେଉଁମାନେ ଉଚ୍ଚଶିକ୍ଷା ଲାଭକରି ବିଦ୍ୱାନ୍‍ ଓ ଶାସ୍ତ୍ରଜ୍ଞ ହେବାକୁ ଇଚ୍ଛା କରୁଥିଲେ, ସେମାନେ ବିଦ୍ୟାର୍ଜନ ପାଇଁ ତକ୍ଷଶିଳାକୁ ଯାଉଥିଲେ । ହଜାର ହଜାର ଶିଷ୍ୟରେ ସେହି ବିଦ୍ୟାପୀଠଟି ପରିପୂର୍ଣ୍ଣ ହୋଇଥିଲା ।

 

ବୋଧିସତ୍ତ୍ୱ ଗୋଟିଏ ଜନ୍ମରେ ତକ୍ଷଶିଳାର ଅଧ୍ୟାପକ ହୋଇଥିଲେ । ତାଙ୍କ ଶିକ୍ଷାଦାନରେ ଶିଷ୍ୟମାନେ କଠିନ କଠିନ ବିଦ୍ୟା ଆୟତ୍ତ କରିବା ସଙ୍ଗେ ସଙ୍ଗେ ମନୁଷ୍ୟଜୀବନର ଶ୍ରେଷ୍ଠ ଗୁଣମାନ ମଧ୍ୟ ଅର୍ଜନ କରୁଥିଲେ । ଫଳରେ ଅନ୍ୟାନ୍ୟ ଅଧ୍ୟାପକଙ୍କ ଅପେକ୍ଷା ସେ ଶିଷ୍ୟମାନଙ୍କର ଅଧିକ ପ୍ରିୟ ହୋଇଥିଲେ ।

 

ସେଠାରେ ‘ପାପକ’ ନାମରେ ଗୋଟିଏ ଶିଷ୍ୟ ଅଧ୍ୟୟନ କରୁଥିଲେ । ଦିନେ ସେ ବଡ଼ ବିଷଣ୍ଣମନରେ ଆସି ଅଧ୍ୟାପକଙ୍କ ସମ୍ମୁଖରେ ଅଧୋମୁଖ ହୋଇ ଠିଆହେଲା । ଅଧ୍ୟାପକ ତାର ମନଦୁଃଖର କାରଣ ପଚାରିବାରୁ ସେ କହିଲା :

 

‘‘ଗୁରୁଦେବ ! ‘‘ପାପକ’’ ନାମ ଯୋଗୁ ମତେ ନିଜକୁ ବଡ଼ ଲଜ୍ଜା ମାଡ଼ୁଛି । ସହପାଠୀମାନଙ୍କଠାରୁ ମଧ୍ୟ ଏଥିପାଇଁ ବହୁତ ଗଞ୍ଜଣା ସହିବାକୁ ପଡ଼ୁଛି । ଏହି କାରଣରୁ ମୋର କୌଣସି କାର୍ଯ୍ୟରେ ଉତ୍ସାହ ଆସୁନାହିଁ । ଏଠାରେ ଏତେ ଛାତ୍ର ଅଛନ୍ତି, କିନ୍ତୁ ମୋ ନାମଭଳି କଦର୍ଯ୍ୟ ନାମ ଆଉ କାହାରି ନାହିଁ ।

 

‘ପାପକ’ ବୋଲି କେହି ଜଣେ ଡାକିଦେଲାମାତ୍ରେ ଲଜ୍ଜାରେ ମୁହଁ ମୋର ତଳକୁ ହୋଇଯାଉଛି । ତେଣୁ ଦୟାକରି ମୋର ଏହି ନାମଟି ବଦଳାଇଦେଇ ଭଲ ନାମଟିଏ ଦିଅନ୍ତୁ ଏବଂ ସମସ୍ତ ସହପାଠୀ ମତେ ସେହି ନୂଆ ନାମରେ ଏଣିକି ଡାକିବାକୁ ଆଦେଶ କରନ୍ତୁ ।’’ ପାପକର ନିବେଦନ ଶୁଣିସାରିବା ପରେ ଅଧ୍ୟାପକ ତାହାକୁ ଆଶ୍ୱାସନା ଦେଇ କହିଲେ :

 

‘‘ଏଥିପାଇଁ ଏତେ ମନକଷ୍ଟ କରୁଛ ? ଆଚ୍ଛା, ତୁମେ ଗୋଟିଏ କଥା କର । ମୁଁ ଅନୁମତି ଦେଉଛି, ତୁମେ ଆଜିଠାରୁ ଜନପଦ ଭ୍ରମଣରେ ଯାଅ । ବିଭିନ୍ନ ପରିବାରର ସଂପର୍କରେ ଆସି ଭଲ ଭଲ ନାମ ସଂଗ୍ରହ କର । ସେଥିରୁ ଯେଉଁ ନାମଟି ତୁମର ସବୁଠାରୁ ବେଶୀ ମନୋନୀତ ଓ ପସନ୍ଦ ହେବ, ମତେ ଆସି ତାହା ଜଣାଅ । ମୁଁ ତୁମର ସେହି ନାମକରଣ କରିଦେବି ଏବଂ ସମସ୍ତେ ତୁମକୁ ସେହି ନାମରେ ସମ୍ୱୋଧନ କରିବେ ।’’

 

ପାପକ ଅତ୍ୟନ୍ତ ଆନନ୍ଦିତ ହେଲା ଏବଂ ଗୁରୁଙ୍କ ପଦଧୂଳି ଘେନି ସେହିଦିନ ଜନପଦ ଭ୍ରମଣରେ ବାହାରିଗଲା । ସେ ବିଭିନ୍ନ ଗ୍ରାମରେ ବୁଲି ଅତି ସୁଶ୍ରାବ୍ୟ ଓ ଉତ୍ତମ ଅର୍ଥପ୍ରକାଶକ ନାମ ସଂଗ୍ରହ କରିବାକୁ ଯିବାବେଳେ ପଥମଧ୍ୟରେ ଏକ ଶ୍ମଶାନ ପଡ଼ିଲା । ସେଠାରେ ଗୋଟିଏ ବାଳକର ଶବ କୋକେଇରେ ବନ୍ଧା ହୋଇ ରଖା ହୋଇଥାଏ । କେତେଗୁଡ଼ିଏ ଲୋକ ତାହାକୁ ଦାହକରିବା ପାଇଁ ଆୟୋଜନ କରୁଥାନ୍ତି । ପାପକ ସେମାନଙ୍କ ନିକଟକୁ ଯାଇ ପଚାରିଲା :

 

‘‘ଏ ମୃତ ବାଳକଟିର କଣ ନାମ ଥିଲା ?’’

 

ଜଣେ ଉତ୍ତର ଦେଲା :

 

‘‘ଜୀବକ ।’’

 

‘ଜୀବକ’ ନାମ ଶୁଣି ପାପକ ଚମକିଉଠିଲା । ସେ ମନେ ମନେ ଭାବିଲା :

 

‘‘ଏ କି ଅଦ୍ଭୁତ କଥା ! ଯାହାର ନାମ ଜୀବକ, ସେ ଶତାଧିକ ବର୍ଷ ବଞ୍ଚିବା ଉଚିତ । ତାହା ନ ହୋଇ ବାଳକଟି ଅକାଳରେ ମରିଗଲା ।’’

 

ପାପକ ଆଉ କିଛି ଦୂର ଯିବାପରେ ଗୋଟିଏ ଗ୍ରାମରେ ପହଞ୍ଚିଲା । ସେଠାରେ ଦେଖିଲା, ଜଣେ ଗୃହସ୍ଥ ତାର ଦାସୀକୁ ନିଷ୍ଠୁରଭାବରେ ପ୍ରହାର କରୁଛି । ପାପକ ବଡ଼ ଦୁଃଖିତ ହୋଇ ଗୃହସ୍ଥକୁ ଜିଜ୍ଞାସା କଲା :

 

‘‘କି ଅପରାଧ କରିଥିବାରୁ ଦାସୀଟି ଏପରି ମାଡ଼ ଖାଉଛି ?’’

 

ଗୃହସ୍ଥ ଉତ୍ତର ଦେଲା :

 

‘‘ମୁଁ ଏହାକୁ କେତେକ ପଣ୍ୟଦ୍ରବ୍ୟ ବିକିବାପାଇଁ ହାଟକୁ ପଠାଇଥିଲି । ସେଗୁଡ଼ିକୁ ବିନା ଲାଭରେ ବିକିଦେଇ ଫେରିଆସିଛି । ତାହାହେଲେ ଏହାକୁ ମୁଁ ହାଟକୁ ପଠାଇଥିଲି କାହିଁକି ? ଏଇ ହେଲା ତାର ଅପରାଧ ।’’

 

ପାପକ ଆଉ କିଛି ତର୍କ ନ କରି କେବଳ ପଚାରିଲା :

 

‘‘ଆଚ୍ଛା, ଏ ଦାସୀର ନାମ କଣ ?’’

 

ସଙ୍ଗେ ସଙ୍ଗେ ଉତ୍ତର ମିଳିଲା :

 

‘‘ଲକ୍ଷ୍ମୀ’’ ।

 

ନାମଟି ଶୁଣିଦେବା ମାତ୍ରେ ପାପକ ଅବାକ୍‍ ହୋଇଗଲା । ସେ ମନମଧ୍ୟରେ ଚିନ୍ତା କଲା–

 

‘‘କି ଚମତ୍କାର ନାମଟିଏ ! ତଥାପି ବିଚାରୀ ଏପରି ଦଶା ଭୋଗୁଛି ! ଯାହାର ନାମ ଲକ୍ଷ୍ମୀ, ସେ ପୁଣି ଏତେ ଦୁଃଖ ପାଏ ! ତାକୁ ମଧ୍ୟ ଗାଳିମାଡ଼ ସହି ପରଘରେ ପୋଇଲୀକାମ କରିବାକୁ ପଡ଼େ !’’

 

ସେଭଳି ଗ୍ରାମରେ ଅଧିକକାଳ ରହିବାକୁ ତାକୁ ଆଦୌ ସୁଖକରବୋଧ ହେଲା ନାହିଁ । ସେ ଗ୍ରାମ ଛାଡ଼ି କିଛିବାଟ ଯାଉ ଯାଉ ନିର୍ଜନ ପଥମଧ୍ୟରେ ଜଣେ ବାଟୋଇକୁ ଭେଟିଲା । ବାଟୋଇଟିର ମୁଖରୁ ହତାଶର ଭାବ ଜଣା ପଡ଼ୁଥାଏ । ସେ ବରାବର ଏଣିକିତେଣିକି ଚାହୁଁଥାଏ । ତାର ଏଭଳି ବ୍ୟସ୍ତଭାବ ଦେଖି ପାପକ ପଚାରିଲା :

 

‘‘କ’ଣ ତୁମର ହୋଇଛି ?’’

 

ବାଟୋଇ ଉତ୍ତର ଦେଲା :

 

‘‘ମୁଁ ଏ ଅଞ୍ଚଳର ଲୋକ ନୁହେଁ । ଏଠାର ବାଟଘାଟ ମତେ ଜଣା ନାହିଁ । ବାଟବଣା ହୋଇଯାଇ ମୁଁ ଏ ଅପନ୍ତରା ଜାଗାକୁ ଚାଲିଆସିଛି । ଦୟାକରି ମତେ ବାଟ ବତାଇଦେଲେ ବଡ଼ କୃତଜ୍ଞ ହେବି ।’’

 

ପାପକ ତାହାର ଲକ୍ଷ୍ୟସ୍ଥାନଟି ବୁଝିଲା ଏବଂ ତାକୁ ଗନ୍ତବ୍ୟ ମାର୍ଗଟି ବତାଇଦେଲା । ଶେଷରେ ବାଟୋଇକୁ ପଚାରିଲା :

 

ଆଚ୍ଛା, ତୁମର ନାମଟି ମତେ ଟିକିଏ କହିବ କି ?

 

ବାଟୋଇ କହିଲା :

 

‘‘ମୋର ନାମ ‘ପନ୍ଥକ’ ।’’

 

ପନ୍ଥକ ଚାଲିଗଲା ? କିନ୍ତୁ ପାପକ ବିଚଳିତ ମନରେ ସେହିଠାରେ କିଛି ସମୟ ଠିଆହୋଇ ଭାବିଲା :

 

‘‘ଯାହାର ନାମ ‘ପନ୍ଥକ’, ସେ ପୁଣି ପନ୍ଥା ଖୋଜିପାଏ ନାହିଁ ! କି ବିଚିତ୍ର କଥା ! ତାହାହେଲେ ଲୋକଟିର ନାମ ‘ପନ୍ଥକ’ ହେବାରେ କି ତାତ୍ପର୍ଯ୍ୟ ରହିଲା !’’

 

ଏହିପରି ଭାବି ଶେଷରେ ପାପକ ଆଗକୁ ପାଦ ଚାଲିଲା । ବହୁ ଦୂର ଗଲାପରେ ଗ୍ରାମଟିଏ ପଡ଼ିଲା । ଚାଲି ଚାଲି ସେତେବେଳକୁ ପାପକର ଅଙ୍ଗ ଅବଶ ହୋଇଯାଇଥାଏ । ତୃଷାରେ କଣ୍ଠ ଶୁଖି ଯାଉଥାଏ । ସେ କ୍ଲାନ୍ତ ପଦରେ ଯାଇ ଏକ ଗୃହସ୍ଥର ଦ୍ୱାରରେ ଥକାମାରି ବସିପଡ଼ିଲା । ସେହି ସମୟରେ ଗୃହିଣୀଙ୍କର ହଠାତ୍‍ ତା ଉପରେ ଦୃଷ୍ଟି ପଡ଼ିଗଲା । ପାପକ ତାକୁ ସତୃଷ୍ଣ ଚକ୍ଷୁରେ ଚାହିଁ ମୁନ୍ଦିଏ ଜଳ ପିଇବାକୁ ମାଗିଲା । ଗୃହିଣୀ ସଙ୍ଗେ ସଙ୍ଗେ ପୁତ୍ରକୁ ଡାକି କହିଲେ :

 

‘‘ହେମାଙ୍ଗ ! ପାତ୍ରରେ ଥଣ୍ଡାଜଳ ଆଣି ଏହି ଲୋକଟିକୁ ଶୀଘ୍ର ପିଇବାକୁ ଦେ ।’’

 

କେତୋଟି ମୁହୂର୍ତ୍ତ ମଧ୍ୟରେ କୃଷ୍ଣାଙ୍ଗ ବାଳକଟିଏ ଜଳପାତ୍ର ଆଣି ପାପକର ହାତକୁ ବଢ଼ାଇଦେଲା । ପାପକ ତାହା ପିଇ ତୃଷା ନିବାରଣ କରିସାରିବାପରେ ଗୃହିଣୀଙ୍କୁ ପ୍ରଶ୍ନ କଲା :

 

‘‘ମା, ଏଇ ପିଲାଟିର କଣ ନାମ ଦେଇଛ ?’’

 

ଗୃହିଣୀ ଉତ୍ତର କଲେ :

 

‘‘ଯେଉଁ ପୁଅଟିକୁ ‘ହେମାଙ୍ଗ’ ବୋଲି ଡାକିଲି ଏ ପରା ସେଇ !’’

 

ଆଶ୍ଚର୍ଯ୍ୟ ହୋଇ ପାପକ ପୁଣି ପଚାରିଲା :

 

‘‘ଏପରି କଳା କିଟିକିଟି ପୁଅର ନାମ ‘ହେମାଙ୍ଗ’ ଦେଇ ଲାଭ କଣ ?’’

 

ମୁଖରେ ଦୁଃଖର ଭାବ ଖେଳାଇ ଗୃହିଣୀ କହିଲେ :

 

‘‘ଏ ପୁଅଟି ମୋର ଗୋରା ଥିଲା; ମାତ୍ର ଏବେ ବେମାରରେ ପଡ଼ି ଏପରି କଳା ହୋଇଯାଇଛି ।’’

 

ଏହି ସମୟରେ ତା ତଳ ପୁଅ ଦିଓଟି ସେଠାକୁ ହାତ ଧରାଧରି ହୋଇ ଆସିଲେ । ସେ ଦୁହିଁଙ୍କୁ ଦେଖାଇଦେଇ ଗୃହିଣୀ କହିଲେ :

 

‘‘ଏତିକି କଣ ଶୁଣିଲ, ଆହୁରି କହୁଛି ଶୁଣ । ବହୁତ ଶ୍ରଦ୍ଧାରେ ଏ ପୁଅଟିର ନାମ ରଖିଥିଲି ‘କମଳାକ୍ଷ’ । ହେଲେ, ଦଇବ ସହିଲା ନାହିଁ, ବସନ୍ତ ରୋଗରେ ଏହାର ଦୁଇ ଆଖିଯାକ ନଷ୍ଟ ହୋଇଗଲା । ଆଉ ଏଇଟି ହେଉଛି ମୋର କୋଡ଼ପୋଛା ସାନପୁଅ । ଛୁଆବେଳେ ଏ ପୁଅଟି ଦେଖିବାକୁ ଭାରି ମୋଟମାଟ ଓ ସୁନ୍ଦର ଥିଲା । ଦାଣ୍ଡରେ ଯିବା ଲୋକ ବି ଏହାକୁ ଘଡ଼ିଏ ଚାହିଁ ରହୁଥିଲେ । ସେଥିପାଇଁ ଏହାର ନାମ ଦେଇଥିଲି ବଳଭଦ୍ର ମାତ୍ର କଣ ହେବ, କାଳ ରୋଗ ସେଇ ଦିନଠୁଁ ଏହାକୁ ଏପରି ଗ୍ରାସିରହିଲା ଯେ, ଦିନେହେଲେ ଛାଡ଼ିଲା ନାହିଁ । ସେ ଦେହ ସେ ରୂପ କୁଆଡ଼େ ଗଲା, ଏବେ ପୁଅ ମୋର ସୂତାଖିଅ ପରି ସରୁ ହୋଇଯାଇଛି । ଛାତିରେ ପଞ୍ଜରାହାଡ଼ସବୁ ପଦାକୁ ଫୁଟି ବାହାରିଛି । ଆଖି କୋରଡ଼େ ଲେଖାଏଁ ଭିତରକୁ ପଶିଯାଇଛି । ବଳ ନ ଥିବାରୁ ଏଠୁ ସେଠିକି ଯିବାପାଇଁ ବି ଏହାର ସକ୍ଷ ପାଉ ନାହିଁ । ମୁଁ ବାଛି ବାଛି ଯେତେ ଭଲ ନା ଦେଉଛି, ବିଧାତାକୁ ତାହା ସେତେ ଅସହଣ ହେଉଛି । ତେଣୁ ଏସବୁ ନାଁର କୌଣସି ମୂଲ୍ୟ ରହିଲା ନାହିଁ ।’’

 

ଗୃହିଣୀଙ୍କ ମୂଖରୁ ଏହି ଦୁଃଖପୂର୍ଣ୍ଣ କଥା ଶୁଣିଲାପରେ ପାପକର ମନ ଏକାବେଳେ ଫିକା ପଡ଼ିଗଲା । ତାର ଜନପଦବୁଲା ମଧ୍ୟ ସେଇଠି ଶେଷ ହୋଇଗଲା । ସେ ଅନ୍ୟ କୌଣସି ଗ୍ରାମକୁ ନ ଯାଇ ତକ୍ଷଶିଳାକୁ ଫେରିଆସିଲା ଏବଂ ଅଧ୍ୟାପକଙ୍କୁ କହିଲା :

 

‘‘ଗୁରୁଦେବ ! ମୋର ନାମ ବଦଳାଇବା ଆଉ ଦରକାର ନାହିଁ । ଯେଉଁ ନାମଟି ଅଛି, ତାହାହିଁ ଥାଉ ।’’

 

ଅଧ୍ୟାପକ ଆଶ୍ଚର୍ଯ୍ୟ ହେଲାପରି ତା ମୁହଁକୁ ଚାହିଁ ପଚାରିଲେ :

 

‘‘ବତ୍ସ ! କଣ ହେଲା, ତୁମର ହଠାତ୍‍ ଏପରି ମତ ବଦଳିଯିବାର କାରଣ କଣ ?’’

 

ପାପକ ତା ଜନପଦ ଭ୍ରମଣର ଅଭିଜ୍ଞତା ବିଶଦ ଭାବରେ ବର୍ଣ୍ଣନା କରିସାରି କହିଲା :

 

‘‘ଗୁରୁଦେବ ! ଯଦି ‘ଜୀବକ’ ଅକାଳରେ ମରିଯାଉଛି, ‘ଲକ୍ଷ୍ମୀ’ ଖାଇବାକୁ ନ ପାଇ ମାଡ଼ଗାଳି ସହି ପରଘରେ ପୋଇଲୀକାମ କରୁଛି, ‘ପନ୍ଥକ’ ପଥ ହରାଇ ଏଣେତେଣେ ବୁଲୁଛି, ପୁଣି ‘ହେମାଙ୍ଗ’ର ଦେହରଙ୍ଗ ଯଦି ହାଣ୍ଡିପରି କଳା ମଚମଚ, ‘କମଳାକ୍ଷ’ର ଦୁଇ ଆଖିଯାକ ଅନ୍ଧ, ‘ବଳଭଦ୍ର’ର ବଳ ନ ଥିବାରୁ ପାହୁଣ୍ଡେ ଯିବାର ସାମର୍ଥ୍ୟ ନାହିଁ, ତାହାହେଲେ ମୋର ଦୁଃଖ କରିବାର କଣ କାରଣ ଅଛି ? ଯେଉଁ ଜଗତରେ ନାମର ଏହିପରି ବିପରୀତ ରୂପ ସେହି ଜଗତରେ ‘ପାପକ’ ବା କାହିଁକି ଧର୍ମପୁତ୍ର ଯୁଧିଷ୍ଠିର ହୋଇ ନ ପାରିବ ?’’

 

ଅଧ୍ୟାପକ ଆନନ୍ଦିତ ହୋଇ କହିଲେ :

 

‘‘ବତ୍ସ ! ଏବେ ନାମର ମୂଲ୍ୟ ତୁମେ ଠିକ୍‍ ବୁଝିପାରିଛ । ଜାଣିରଖ ଯେ, ବିଭିନ୍ନ ବସ୍ତୁ ବା ପ୍ରାଣୀଙ୍କୁ ଚିହ୍ନିବାପାଇଁ ନାମ ଗୋଟିଏ ଗୋଟିଏ ସଂକେତ ମାତ୍ର । କୌଣସି ଲୋକ ନାମଯୋଗୁ ବଡ଼ ହୁଏ ନାହିଁ, ବଡ଼ ହୁଏ କେବଳ ସାଧନାବଳରେ । ସାଧନା ନ ଥିଲେ, ଯେତେ ଉତ୍କୃଷ୍ଟ ନାମ ହେଉ ପଛେ ତାହା ହାସ୍ୟାସ୍ପଦ ହୋଇଥାଏ । ସାଧନା ଥିଲେ ନିତାନ୍ତ ନିକୃଷ୍ଟ ନାମ ମଧ୍ୟ ପ୍ରାତଃସ୍ମରଣୀୟ ହୋଇଉଠେ ।’’

 

ପାପକ ଏହି ଉପଦେଶ ପାଇ ଅଧ୍ୟାପକଙ୍କ ଆଶୀର୍ବାଦ ନେଲା ଏବଂ କଠୋର ସାଧନାବଳରେ ପ୍ରସିଦ୍ଧ ତକ୍ଷଶିଳା ବିଦ୍ୟାପୀଠର ସର୍ବଶ୍ରେଷ୍ଠ କୃତୀ ଛାତ୍ରରୂପେ ଖ୍ୟାତି ଅର୍ଜନ କଲା ।

Image

 

ମହାଲୋହିତ ଜାତକ

 

ପୂର୍ବକାଳରେ ଜଣେ କୃଷକର ଦଳେ ବଳଦ ଥିଲେ । କୃଷକଟି ସେହି ବଳଦହଳକ ସାହାଯ୍ୟରେ ଗାଡ଼ିବୁହାଠାରୁ ଆରମ୍ଭକରି ଜମିଚାଷ ପର୍ଯ୍ୟନ୍ତ ତାର ଜାବତୀୟ କାର୍ଯ୍ୟ କରେ । ଗୋଟିଏ ବଳଦର ନାମ ‘ମହାଲୋହିତ’ ଏବଂ ଅନ୍ୟଟିର ନାମ ‘ଚଲ୍ଲଲୋହିତ ।’ ବୋଧିସତ୍ତ୍ୱ ‘ମହାଲୋହିତ’ ରୂପେ ସେଥର ବଳଦଜନ୍ମ ପାଇଥାନ୍ତି ।

 

ମହାଲୋହିତ ଓ ଚୁଲ୍ଲାଲୋହିତ ଗୁହାଳରେ ରହନ୍ତି । ତାଙ୍କଠାରୁ ଅଳ୍ପ ଦୂରରେ ସେହି ଗୁହାଳଭିତରେ କୃଷକର ଗୋଟିଏ ମେଷ ମଧ୍ୟ ରହିଥାଏ । କୃଷକର ଗୃହିଣୀ ଦୁଇଓଳା ଆସି ପାଚିଲା ଫଳର, ଖୋଳପା, କଞ୍ଚା ପରିବାର ଚୋପା, ଭାତ, ରୁଟି ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ତାକୁ ନିଜ ହାତରେ ଖୁଆଏ, କେତେ ଆଦରରେ ତାକୁ ଆଉଁସେ । ବଳଦ ଦୁଇଟିଙ୍କୁ ଗୃହିଣୀ ଆଦୌ ଚାହେଁ ନାହିଁ, କି ତାଙ୍କ ଖାଇବା ଖବର ବୁଝେ ନାହିଁ । ଘରର ଚାକର ଘାସ, ନଡ଼ା ଯା ଦେଇଯାଏ, ସେତିକି ମାତ୍ର ଖାଇ ବଳଦ ଦୁହେଁ ଗୁହାଳରେ ପଡ଼ିଥାନ୍ତି ।

 

ମେଷଟିପ୍ରତି ଗୃହିଣୀର ଯତ୍ନ ଆତିଶଯ୍ୟ ମହାଲୋହିତ ଓ ଚୁଲ୍ଲାଲୋହିତ ପ୍ରତ୍ୟକ ଲକ୍ଷ୍ୟ କରୁଥାନ୍ତି । ମହାଲୋହିତ ଏଥିରେ ଆଦୌ ଦୁଃଖିତ ହୁଏ ନାହିଁ; ମାତ୍ର ଚୁଲ୍ଲାଲୋହିତକୁ ଏହା ଅତ୍ୟନ୍ତ ଅସହ୍ୟ ବୋଧ ହେଲା । ମେଷଟିକୁ ସର୍ବଦା ସୁଖାଦ୍ୟ ଖାଇବାର ଦେଖିବାଫଳରେ ତାର କ୍ରମେ ଆହାରପ୍ରତି ଅରୁଚି ଆସିଲା । ଏହା ଜାଣିପାରି ମହାଲୋହିତ ଦିନେ ତାକୁ ହସି ହସି ପଚାରିଲା :

 

‘‘ତୁମର କଣ ଦେହ ଅସୁଖ ହୋଇଛି କି ଭାଇ ? କେତେଦିନ ହେଲା ତୁମେ ତ କାହିଁକି ନଡ଼ା ଚୋବାଉ ନାହଁ ?’’

 

ଏହା ଶୁଣି ଚୁଲ୍ଲଲୋହିତ କହିଲା :

 

‘‘ନା, ମୋର କୌଣସି ଦେହ-ଅସୁଖ ହୋଇ ନାହିଁ ।’’

 

ତହୁଁ ମହାଲୋହିତ ପଚାରିଲା :

 

‘‘ତେବେ ମନର ଅସୁଖ ହୋଇଛି, ନା ? ଯଦି ତାହାହିଁ ହୋଇଥାଏ, ତେବେ କାରଣ କଣ ?’’

 

ଚୁଲ୍ଲଲୋହିତ କ୍ଷୁବ୍‍ଧ ହୋଇ ଉତ୍ତର ଦେଲା :

 

‘‘କାରଣ କଣ ତୁମେ ଜାଣିପାରୁ ନାହଁ ଯେ, ମତେ ପୁଚାରୁଛ ? ଆଖିଆଗରେ ଖାଉନ୍ଦାଣୀର ପକ୍ଷପାତ ବ୍ୟବହାର କଣ ଦେଖିପାରୁ ନାହିଁ ?’’

 

ମହାଲୋହିତ ନିର୍ବିକାର ମନରେ କହିଲା :

 

‘‘କାହିଁ, ମୁଁ ତ ଖାଉନ୍ଦାଣୀର କୌଣସି ପକ୍ଷପାତ ବ୍ୟବହାର ବା ଅନ୍ୟାୟ ବିଚାର ଦେଖିପାରୁ ନାହିଁ ?’’

 

ବିରକ୍ତିପୂର୍ଣ୍ଣ ମୁଖରେ ଚୁଲ୍ଲଲୋହିତ କହିଉଠିଲା :

 

‘‘ଦେଖିପାରୁ ନାହଁ ? ଆଉ କିପରି ଦେଖନ୍ତ ? ନିଷ୍କର୍ମା ମେଣ୍ଢାଟାକୁ ଖାଉନ୍ଦାଣୀ ଦୁଇଓଳା ଆସି ନିଜ ହାତରେ ଭଲ ଭଲ ଜିନିଷ ଖାଇବାକୁ ଦେଉଛି । ଅଥଚ ଆମେ ଦୁଇ ଦୁଇଟା ବଳଦ ଏଠି ପଡ଼ିଥାଇଁ, ଆମକୁ ଟିକେ ସୁଦ୍ଧା ସେ ଆଡ଼ଆଖିରେ ଚାହୁଁ ନାହିଁ । ଚାକରର ଦୟାହେଲେ କେତେବେଳେ କିମିତି ସେ ନଡ଼ା ବା ଘାସକେରାଏ ଆଣି ଆମ ଆଗରେ ଫୋପାଡ଼ି ଦେଇଯାଉଛି, ଆମେ ସେଇଆକୁ ଖାଇ ଜୀବନ ଧରିଛେଁ । ଏହାଠାରୁ ବଳି ଅନ୍ୟାୟ ଆଉ ପକ୍ଷପାତିତା କଣ ବେଶି ହୋଇପାରେ ?’’

 

ମହାଲୋହିତ ଈଷତ୍‍ ହସି ଉତ୍ତର ଦେଲା :

 

‘‘ଏଥିରେ ଗୋଟାଏ ଅନ୍ୟାୟ ବା ପକ୍ଷପାତିତା କଣ ରହିଲା ? ଘାସ ଆଉ ନଡ଼ା, ଏ ହେଲା ଆମର ଖାଦ୍ୟ । ପିଲାଦିନୁଁ ଆମେ ଏଇଆ ଖାଇଆସିଛେଁ, ଆମ ଚଉଦପୁରୁଷ ମଧ୍ୟ ଏଇଆ ଖାଇଆସିଛନ୍ତି । ସେତିକି ପାଇଲେ ଆମର ଯଥେଷ୍ଟ । ଅନ୍ୟ କିଏ କଣ ଖାଇଲା, ସେଥିପ୍ରତି ଆମର ଦୃଷ୍ଟିଦେବା କି ଦରକାର ।’’

 

ଏଭଳି ସାନ୍ତ୍ୱନାବାଣୀ ଚୁଲ୍ଲଲୋହିତକୁ ଆଦୌ ସନ୍ତୁଷ୍ଟ କରିପାରିଲା ନାହିଁ । ସେ ଉତ୍ତେଜିତ ହୋଇଯାଇ କହିଲା ।

 

‘‘କଣ କହିଲ ? ଆମର ସେଥିପ୍ରତି ଦୃଷ୍ଟିଦେବା କି ଦରକାର ? ନିଶ୍ଚୟ ଦରକାର ବୋଲି ମୁଁ କହୁଚି । ଆମେ ପ୍ରାଣପାତ ପରିଶ୍ରମ କରି ଗୃହସ୍ଥର ଗାଡ଼ି ବୋହୁଛେଁ, ଖତ ନେଇ କ୍ଷେତରେ ପକାଉଛେଁ, ମାଣ ମାଣ ଜମି ଚଷୁଛେଁ, ଆମରି ଯୋଗୁ ଖାଉନ୍ଦାଣୀ ଧାନ, ବିରିରେ ଅମାର ସବୁ ଭର୍ତ୍ତିକରୁଛି । ଏ ମେଣ୍ଢାଟା ନିହାତି ଅକର୍ମା, ଦିନେହେଲେ କିଛି କାମ କରେ ନାହିଁ; ଅଥଚ ଖାଉନ୍ଦାଣୀର ସବୁ ଆଦର, ସବୁ ଯତ୍ନ ତାହାରି ଠେଇଁ । ଯେତେକ ଭଲ ଖାଦ୍ୟ, ତାକୁ ହିଁ ଦେବ, ଆମକୁ ମୋଟେ ପଚାରିବ ନାହିଁ । ତାର ଏଭଳି ଅନ୍ୟାୟ ଆଚରଣ କି କେବେହେଲେ ବରଦାସ୍ତ କରାଯାଇପାରେ ?’’

 

ମହାଲୋହିତ ଖୁବ୍‍ ଧୀରଭାବରେ ବୁଝାଇ କହିଲା :

 

‘‘ଭାଇ ! ହଠାତ୍‍ ଏପରି ରାଗିଯାଅ ନାହିଁ । କଥାଟାକୁ ଭଲରୂପେ ଭାବିଦେଖ । ଏଥିରେ କିଛି ନା କିଛି କାରଣ ଥିବ, ଯାହା ଆମେ ଜାଣିପାରୁ ନ ଥାଇଁ । ଆମେ ଖଟି ଖଟି ମରୁଥାଇଁ, ଆଉ ମେଣ୍ଢାର କୌଣସି କାମ ନାହିଁ, ଏହା ଯେ ଅକ୍ଷରେ ଅକ୍ଷରେ ସତ, ମୁଁ ମାନୁଛି । ତେବେ ଖାଉନ୍ଦାଣୀ ଯେ ତାକୁ ଖୋଇପେଇ ଏତେ ଗେହ୍ଲାରେ କାହିଁକି ବଢ଼ାଉଛନ୍ତି, ତାହା ଆମର ଭାବିବାର କଥା ।’’

 

କିଛି ନ ଭାବି ଚୁଲ୍ଲଲୋହିତ ପୁଣି କହିଲା :

 

‘‘ଏଥିରେ ଭାବିବାର କିଛି ନାହିଁ । ଖାଉନ୍ଦାଣୀ ଜାଣିଶୁଣି ଆମକୁ ହତାଦର କରି ନିତି ଅପମାନ ଦେଉଛି । ଏହାଛଡ଼ା ମେଣ୍ଢାକୁ ଆଦର କରିବାର ଅନ୍ୟ କୌଣସି କାରଣ ନାହିଁ । ସେ ଯାହାହେଉ, ମୁଁ ନିଶ୍ଚୟ ଏହାର ପ୍ରତିଶୋଧ ନେବି । କାଲିଠାରୁ ମୁଁ ଆଉ ମନଦେଇ ମୋଟେ କାମ କରିବି ନାହିଁ । ମୋ ଦ୍ୱାରା ଖାଉନ୍ଦର ଯେତେ କ୍ଷତି ହୋଇପାରେ, ମୁଁ ତା କରିବି ।’’

 

ମହାଲୋହିତ ପୁଣି ବୁଝାଇଲା !

 

‘‘ଭାଇ ! ଧୀର ପାଣି ପଥର କାଟେ । ତୁମେ ଏପରି ଅଧୀର ହେଲେ ଚଳିବ ? କିଛିଦିନ ଅପେକ୍ଷା କରି ଦେଖ, କଣ ହେଉଛି । ଗୃହସ୍ଥଙ୍କର ଏଥିରେ କଣ ଦୋଷ ? ସେ ଅତି ସାଧୁ ପ୍ରକୃତିର ଲୋକ; ଆଜିପର୍ଯ୍ୟନ୍ତ ଆମକୁ ପ୍ରତିପାଳନ କରି ଆସିଅଛନ୍ତି । ତାଙ୍କର ଅପକାର କରିବାକୁ ଗଲେ ଆମ ପକ୍ଷରେ ଘୋର କୃତଘ୍ନତା ହେବ । ତୁମକୁ ଅନୁରୋଧ କରୁଛି, ସେଭଳି କାମ କରନାହିଁ-।’’

 

ଚୁଲ୍ଲଲୋହିତ ଆଦୌ ସାଥୀର ଉପଦେଶ ବୁଝିଲା ନାହିଁ; ବରଂ ପ୍ରତିବାଦକରି କହିଲା :

 

‘‘ଖାଉନ୍ଦ କଣ ଆମକୁ ମାହାଳିଆ ପ୍ରତିପାଳନ କରୁଛି ? ଆମେ ମରିପଡ଼ି ଖଟୁଥାଇ, ଆମ ଯୋଗୁ ତାର ବିସ୍ତାର ଲାଭ ହେଉଛି, ସେଥିପାଇଁ ସେ ଆମକୁ ଖାଇବାକୁ ଦେଉଛି । ତୁମ କଥାକୁ ମୋଟେ ମୁଁ ଗ୍ରହଣ କରିପାରୁ ନାହିଁ ।’’

 

ମହାଲୋହିତ ଏବେ ନିରସ୍ତ ହୋଇ ରହିଲା । ସତକୁ ସତ ପରଦିନଠାରୁ ଚୁଲ୍ଲଲୋହିତ ଆଉ ଆଗପରି ଖଟି କାମ କଲା ନାହିଁ, ବରାବର ଖାଉନ୍ଦର କ୍ଷତି କରିବାର ଚେଷ୍ଟାରେ ରହିଲା । ଦିନକୁ ଦିନ ତାର ମନ ଅଧିକ ବିଦ୍ରୋହୀ ହେବାକୁ ଲାଗିଲା ।

 

ପ୍ରାୟ ମାସକପରେ କୃଷକର କନ୍ୟାବିବାହ ହେଲା । ସେହି ଉତ୍ସବରେ ଅନେକ ଆତ୍ମୀୟ ଲୋକଙ୍କୁ ଭୋଜି ଦେବାକୁ ପଡ଼ିଲା । ସେଥିପାଇଁ ବିବାହଦିନର ପ୍ରଭାତରେ ଦୁଇଜଣ ଲୋକ ମେଷଟିକୁ ମାରି ତାହାର ମାଂସକୁ ଖଣ୍ଡ ଖଣ୍ଡ କରି କାଟିବାକୁ ଲାଗିଲେ । ସେହି କରୁଣ ଦୃଶ୍ୟ ଦେଖି ଚୁଲ୍ଲଲୋହିତ ତାର ସାଥି ମହାଲୋହିତକୁ କହିଲା :

 

‘‘ଭାଇ ! ଘଟନା କଣ ? ମାସ ମାସ ଧରି ସୁଖାଦ୍ୟ ଖାଇବାର ଫଳ କଣ ଶେଷକୁ ଏଇଆ ହେଲା ?’’

 

ମହାଲୋହିତ ଏବେ ଭଲକରି ଘଟନାଟା ବୁଝାଇଦେଲା ।

 

‘‘ବୃଥା ନ ରାଗି କାରଣଟା ଭାବିବାକୁ ଏବଂ ଧୈର୍ଯ୍ୟ ନ ହରାଇ କିଛିଦିନ ଅପେକ୍ଷା କରିବାକୁ ମୁଁ ଆଗରୁ ତୁମକୁ କହିଥିଲି । ଯାହା କହିଥିଲି, ଏବେ ଠିକ୍‍ ସେଇଆ ହେଲା କି ନାହିଁ ? ଝିଅ ବିଭାଦିନ ମାଂସ ତରକାରି କରିବେ ବୋଲି ଖାଉନ୍ଦାଣୀ ମେଣ୍ଢାଟିକୁ ଭଲ ଭଲ ଖାଦ୍ୟଦେଇ ମୋଟା କରୁଥିଲେ । ପହିଲେ ଆସିବା ଦିନ ମେଣ୍ଢାଟିର ଓଜନ ଯେତେ ଥିଲା, ଆଜି ତାହାର ତିନିଗୁଣ ହୋଇଯାଇଛି । ଏଇଥିପାଇଁ ଖାଉନ୍ଦାଣୀ ତାକୁ ଏତେ ଆଦର କରୁଥିଲେ । ତୁମେ ଏସବୁ କଥା ମୋଟେ ନ ଭାବି ମିଛଟାରେ ରାଗି ଗୃହସ୍ଥଙ୍କର କ୍ଷତି ଘଟାଇଲ ।’’

 

ଚୁଲ୍ଲଲୋହିତ ଏଥର ନିଜର ଦୋଷ ମାନିଯାଇ କହିଲା :

 

‘‘ହଁ ଭାଇ, ଏବେ ସବୁ ବୁଝିଲି । ପ୍ରକୃତରେ ମୁଁ ରାଗିଯାଇ ବଡ଼ ଭୁଲ୍‍ କରିଛି ଆଉ ଖାଉନ୍ଦଙ୍କ କାମରେ ଅବହେଳା କରି ବହୁତ ଅନ୍ୟାୟ କରିଛି ।’’

 

ଶେଷରେ ବଳଦରୂପେ ଜନ୍ମିଥିବା ବୋଧିତ୍ତ୍ୱ ଚୁଲ୍ଲଲୋହିତ ଉପଦେଶ ଦେଲେ :

 

‘‘ଭାଇ ! ଘାସକୁଟା ଖାଇ ନିତି ମେହେନତ କରି ସନ୍ତୋଷରେ ବଞ୍ଚିରହିବା ଆମ ପକ୍ଷରେ ଶତଗୁଣେ ଶ୍ରେୟସ୍କର । ନାନା ସୁଖାଦ୍ୟ ଖାଇ ଆଳସ୍ୟରେ ଶୋଇ ଶୋଇ ଗଣ୍ଡି ମୋଟକରି ଅକାଳରେ ସଂସାରରୁ ବିଦାୟ ନେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଅନେକେ ଭୋଗଲାଳସାର ବଶବର୍ତ୍ତୀ ହୋଇ ଏହିରୂପେ ନିଜ ଶରୀରରେ ମେଦମାଂସ ବୃଦ୍ଧି କରନ୍ତି । ସେମାନଙ୍କର ଅସ୍ଥାୟୀ ସୁଖ ଦେଖି ନିଜ ଅଦୃଷ୍ଟକୁ ନିନ୍ଦାକରିବା କିମ୍ୱା ଈର୍ଷାରେ ଜର୍ଜରିତ ହୋଇ କର୍ତ୍ତବ୍ୟରେ ଅବହେଳା କରିବା ଆଦୌ ଉଚିତ ନୁହେଁ ।

Image

 

କଟାହକ ଜାତକ

 

ବୋଧିସତ୍ତ୍ୱ ଥରେ ବାରଣାସୀ ନଗରୀରେ ଏକ ଧନଶାଳୀ ଶ୍ରେଷ୍ଠରୂପେ ଜନ୍ମିଥାନ୍ତି । ତାଙ୍କର ନାମ ହୋଇଥାଏ ରତ୍ନଦତ୍ତ ଶ୍ରେଷ୍ଠୀ । ଦିନେ ତାଙ୍କ ସ୍ତ୍ରୀ ଗୋଟିଏ ପୁତ୍ର ପ୍ରସବ କଲେ । ଠିକ୍‍ ସେହିଦିନ ତାଙ୍କ ଦାସୀଗର୍ଭରୁ ମଧ୍ୟ ପୁତ୍ରଟିଏ ଜନ୍ମିଲା । ଦୁଇଟିଯାକ ସନ୍ତାନ ଏକସଙ୍ଗରେ ଲାଳିତପାଳିତ ହେଲେ । ଦାସୀପୁତ୍ରଟି ଶ୍ରେଷ୍ଠୀଙ୍କ ପୁତ୍ରଭଳି ବେଶ୍‍ ସୁନ୍ଦର ହୋଇଥାଏ । ଏହି ଦାସୀପୁତ୍ରର ନାମ ‘କଟାହକ’ ଏବଂ ଶ୍ରେଷ୍ଠୀପୁତ୍ରର ନାମ ‘ସଂଜୀବକ’ ।

 

ସଂଜୀବକର ଶିକ୍ଷାପାଇଁ ରତ୍ନଦତ୍ତ ସମସ୍ତ ବନ୍ଦୋବସ୍ତ କରିଦେଲେ, କିନ୍ତୁ କଟାହକର ଶିକ୍ଷାପାଇଁ ଆଦୌ କିଛି ବ୍ୟବସ୍ଥା କଲେ ନାହିଁ । ସଂଜୀବକ ପ୍ରତ୍ୟେହ ଗୁରୁଙ୍କ ପାଖକୁ ପାଠ ପଢ଼ିବାକୁ ଯାଏ । କଟାହକ ସଂଜୀବକର ପୋଥିପତ୍ର ଧରି ତା ପଛେ ପଛେ ଚାଲେ । ଗୁରୁ ଯତ୍ନର ସହିତ ସଂଜୀବକକୁ ଶିକ୍ଷା ଦେବାବେଳେ କଟାହକ ନିକଟରେ ବସି ଖୁବ୍‍ ମନୋଯୋଗ ଦେଇ ଶୁଣୁଥାଏ ।

 

କଟାହକର ବୁଦ୍ଧି ଅତି ପ୍ରଖର ଥିଲା, ତେଣୁ କିଛି କାଳପରେ ସେ ସଂଜୀବକଠାରୁ ଅଧିକ ବିଦ୍ୟା ଆୟତ୍ତ କରିପାରିଲା । କେବଳ ଏତିକି ନୁହେଁ, ଗୀତବାଦ୍ୟ ଓ ଶିଳ୍ପବିଦ୍ୟା ଶିକ୍ଷାକରି ସେ ତହିଁରେ ଖୁବ୍‍ ପାରଦର୍ଶୀ ହୋଇଗଲା ।

 

କଟାହକର ବୁଦ୍ଧି ଓ ଚତୁରତା ଦେଖି ଶ୍ରେଷ୍ଠୀ ତାହାକୁ ନିଜ ଭଣ୍ଡାର ଘରର ରକ୍ଷକରୂପେ ନିଯୁକ୍ତ କଲେ । କଟାହକ କିଛିଦିନ ସେହି କାର୍ଯ୍ୟ କଲା ସତ; କିନ୍ତୁ ସାରା ଜୀବନ ଭଣ୍ଡାରରକ୍ଷକ ଭଳି ହୀନ କାର୍ଯ୍ୟରେ ପଡ଼ିରହିବାକୁ ତାକୁ ଆଦୌ ସୁଖକର ବୋଧ ହେଲା ନାହିଁ । ତାହାର ପେଟରେ ଥିଲା ବିଦ୍ୟା; ଆଉ ମୁଣ୍ଡରେ ଥିଲା ବୁଦ୍ଧି । ବିଦେଶକୁ ଯାଇ ସ୍ୱାଧୀନଭାବରେ ଜୀବିକା ନିର୍ବାହ କରିବାକୁ ସେ ମନେ ମନେ ସ୍ଥିର କଲା ।

 

କଟାହକ ଏଥିପୂର୍ବରୁ ଶୁଣିଥିଲା ଯେ, ମଗଧ ଦେଶରେ ମଣିଭଦ୍ର ନାମକ ଜଣେ ବିଖ୍ୟାତ ଶ୍ରେଷ୍ଠୀଙ୍କ ସଙ୍ଗେ ରତ୍ନଦତ୍ତଙ୍କର ଘନିଷ୍ଠ ବନ୍ଧୁତ୍ୱ ଅଛି । ହଠାତ୍‍ କଟାହକ ମନରେ ଗୋଟାଏ କୂଟଫନ୍ଧି ଜୁଟିଗଲା । ସେ ଅନ୍ୟର ହସ୍ତାକ୍ଷରକୁ ଜାଲ୍‍ କରିବାରେ ବେଶ୍‍ ଧୁରନ୍ଧର; ତେଣୁ ଅବିକଳ ରତ୍ନଦତ୍ତଙ୍କ ଅକ୍ଷରରେ ମଣିଭଦ୍ର ନିକଟକୁ ଖଣ୍ଡିଏ ଜାଲ୍‍ ଚିଠି ଲେଖିଲା :

 

‘‘ବନ୍ଧୁବର !

 

ଅନେକ ଦିନ ହେଲା ତୁମର କୌଣସି ସମ୍ୱାଦ ପାଇପାରି ନାହିଁ । ଆଶାକରେଁ, ତୁମେ ସର୍ବାଙ୍ଗ କୁଶଳରେ ଥିବ । ମୋର ପୁତ୍ର ସଂଜୀବକକୁ ଏହି ପତ୍ର ଦେଇପଠାଉଛି । ସେ ନାନାପ୍ରକାର ବିଦ୍ୟା ଆୟତ୍ତ କରିଛି । ଦୂର ଦେଶରେ ବାଣିଜ୍ୟାଦି କରିବାପାଇଁ ତାର ପ୍ରବଳ ଇଚ୍ଛା । ତୁମେ ତାହାକୁ ନିଜର ପୁତ୍ରପରି ଭାବି ନିଜ ପାଖରେ ରଖି ବାଣିଜ୍ୟ ବିଦ୍ୟା ଶିଖାଇବ । ଆଉ ଯଦି ଉଚିତ ମନେକର, ତାହା ସଙ୍ଗେ ତୁମ କନ୍ୟାର ବିବାହ ଦେଇପାର । ମୁଁ ସେଥିପାଇଁ ମୋର ପୂର୍ଣ୍ଣ ସମ୍ମତି ଦେଲି । ସୁବିଧା ଦେଖି କିଛି କାଳପରେ ତୁମ ଘରକୁ ଯିବି ଏବଂ ନବବଧୂ ସହିତ ପୁତ୍ରକୁ ଏଠାକୁ ଘେନିଆସିବି । ଇତି ।

 

ତୁମର ପ୍ରିୟବନ୍ଧୁ

ରତ୍ନଦତ୍ତ ଶ୍ରେଷ୍ଠୀ’’

 

ଏହି ପତ୍ରଖଣ୍ଡିକ ନେଇ କଟାହକ ମଗଧର ଶ୍ରେଷ୍ଠୀଙ୍କ ନିକଟରେ ପହଞ୍ଚିଲା । ମଣିଭଦ୍ର ପତ୍ରଟି ପଢ଼ି ଆନନ୍ଦରେ ପାଗଳ ହୋଇଗଲେ । ସେ ପର୍ଯ୍ୟନ୍ତ ଯୋଗ୍ୟ ବରଟିଏ ଠିକ୍‍କରି ନ ପାରି ସେ ବଡ଼ ଚିନ୍ତାକୂଳ ଥିଲେ । ଏବେ ଏହି ବନ୍ଧୁପୁତ୍ରଟିକୁ ରୂପ, ଗୁଣ, ବୁଦ୍ଧି, ସବୁ ଦିଗରେ ସୁଯୋଗ୍ୟ ମନେକରି ତାହାକୁ ଜାମାତା କରିବେ ବୋଲି ସମସ୍ତ ଆୟୋଜନ କରିବସିଲେ ।

 

ଅଳ୍ପଦିନ ମଧ୍ୟରେ ଶ୍ରେଷ୍ଠୀ କନ୍ୟା କନକପ୍ରଭା ସହିତ କଟାହକର ବିବାହକାର୍ଯ୍ୟ ଶେଷ ହୋଇଗଲା । ଏଥର କଟାହକ ଶଶୁରଘରେ ରହି ମହାଆଡ଼ମ୍ୱରରେ ସମୟ କାଟିଲା । ଦିନକୁ ଦିନ ତାର ଔଦ୍ଧତ୍ୟ ଓ କ୍ରୋଧ ବଢ଼ିଲା । ଶଶୁର, ଶାଶୁ, ସ୍ତ୍ରୀ, ସମସ୍ତଙ୍କୁ ବଡ଼ ଅବଜ୍ଞା ଦେଖାଇଲା । ଚାକର ଚାକରାଣୀଙ୍କୁ ମାଟିଗୋଡ଼ି ପରି ଜ୍ଞାନ କଲା । ମଗଧର କୌଣସି ଜିନିଷ ତାକୁ ରୁଚିକର ବୋଧ ହେଲା ନାହିଁ । ସବୁ କଥାରେ ସେ କେବଳ ଦୋଷ ଧରିବାକୁ ଲାଗିଲା । କୌଣସି ବେଶଭୂଷା ତା ପସନ୍ଦକୁ ଆସେ ନାହିଁ । ତାକୁ ଯେତେ ଖାଣ୍ଟି ଗୁଆଘିଅ ହେଲେ ମଧ୍ୟ ତହିଁରୁ ସେ ଦୁର୍ଗନ୍ଧ ପାଏ । ମିଷ୍ଟାନ୍ନରେ ସ୍ୱାଦର ଅଭାବ ଦେଖେ । ପିଠା ଖାଇବାକୁ ଦେଲେ ସେ ଇଟା ଚୋବାଉଛି ବୋଲି କହେ । ପାୟସ ଦେଖିଲେ ତାହା ବାରଣାସୀର ବାୟାସଙ୍କ ଖାଦ୍ୟ ବୋଲି ଥଟ୍ଟାକରେ । କେତେ ଯେ ମଗଧର ପୂଝାରୀମାନେ ଆଦୌ ରୋଷେଇବିଦ୍ୟା ଜାଣନ୍ତି ନାହିଁ । ବାରଣାସୀର ରଜକ ଲୁଗା କାଚିଦେଲେ ଯୁଈ ଫୁଲ ପରି ଧୋବ ଫିଟେ, ମଗଧ ଦେଶର ଫଳଗୁଡ଼ାକରେ ମୋଟେ ମିଠା ଅଂଶ ନାହିଁ, ଏହିପରି କେତେ କଣ କହିଯାଏ, ତାର ସୀମା ନାହିଁ । ତାର ଏସବୁ କଥା ସମସ୍ତେ ସହିଯାନ୍ତି, ଦିନେହେଲେ କେହି ପ୍ରତିବାଦ କରିବାକୁ ସାହସ କରେ ନାହିଁ ।

 

କଟାହକ ତାର ସ୍ତ୍ରୀକୁ ଅତି ହୀନ ଚକ୍ଷୁରେ ଦେଖେ ଏବଂ ବାଡ଼େଇ କରି ତା ଆଗରେ କହେ : ‘‘ତୁମେ ଯେତେବେଳେ ଆମ ଘରକୁ ଯିବ, ଦେଖିବ ମୋ ବାପାଙ୍କର କେତେ ଧନଦୌଲତ, କେତେ କୋଠାବାଡ଼ି, କେତେ ହାତୀଘୋଡ଼ା, ପୁଣି କେତେ ଦାସଦାସୀ । ନା ତୁଳନାରେ ତୁମ ବାପାଙ୍କ ସମ୍ପତ୍ତି କିଛି ନୁହେଁ ।’’

କନକପ୍ରଭା ନୀରବରେ ସବୁ ଶୁଣିଯାଏ, ସ୍ୱାମୀର କଥାରେ କୌଣସି ଦ୍ୱିରୁକ୍ତି କରେ ନାହିଁ । ସବୁବେଳେ କଟାଦଳକୁ କରପତ୍ର ଯୋଡ଼ି ରହିଥାଏ ।

ତେଣେ ରତ୍ନଦତ୍ତ ଶ୍ରେଷ୍ଠୀ କଟାହକ କେଉଁଆଡ଼େ ପଳାଇ ଯାଇଥିବାର ଜାଣି ତାକୁ ଖୋଜିବାପାଇଁ ନାନା ଦେଶକୁ ଚର ପଠାଇଲେ । ଜଣେ ମଗଧ ଚର ଦେଶକୁ ଆସି କଟାହକକୁ ଦେଖିଗଲା ଏବଂ ସେ ମଣିଭଦ୍ର ଶ୍ରେଷ୍ଠୀଙ୍କର ଜାମାତା ହୋଇ ଖୁବ୍‍ ଅୟସବିଳାସରେ କାଳ କାଟୁଥିବା କଥା ରତ୍ନଦତ୍ତଙ୍କୁ ଯାଇ କହିଲା ।

ଏହା ଶୁଣି ରତ୍ନଦତ୍ତ କ୍ରୋଧରେ ଜର୍ଜର ହୋଇଉଠିଲେ ଏବଂ କଟାହକକୁ ଦଣ୍ଡ ଦେବାଲାଗି ମଗଧ ଯାତ୍ରା କଲେ । ପୂର୍ବରୁ ଜଣେ ବାର୍ତ୍ତାବହ ଯାଇ ତାଙ୍କ ଆଗମନକଥା ମଣିଭଦ୍ରଙ୍କୁ ଜଣାଇଦେଲେ । ମଣିଭଦ୍ର ଅତି ଆନନ୍ଦିତ ମନରେ ବନ୍ଧୁଙ୍କୁ ଅଭ୍ୟର୍ଥନା କରିବାପାଇଁ ନାନା ଆୟୋଜନ କରିବସିଲେ ।

ରତ୍ନଦତ୍ତଙ୍କ ଆଗମନ ସମ୍ୱାଦ ଶୁଣିବାମାତ୍ରେ ଭୟରେ କଟାହକର ବୁକୁ ଥରିବାକୁ ଲାଗିଲା । ତାର ସମସ୍ତ ଛଳନା ଓ ଜାଲ୍‍ ଧରା ପଡ଼ିଗଲା । ଅବସ୍ଥା ଅତି ଶୋଚନୀୟ ହୋଇଉଠିବ-। ଏଥିପାଇଁ ସେ ଏକ ଉପାୟ ପାଞ୍ଚି ଶ୍ୱଶୁରଙ୍କୁ ଯାଇ କହିଲା ।

‘‘ମୁଁ ଆଗତୁରା ଯାଉଛି, ପିତାଙ୍କୁ ଦୂରରୁ ପାଛୋଟି ଆଣିବି । ଆପଣଙ୍କ ତରଫରୁ କିଛି ବହୁମୂଲ୍ୟ ଉପହାର ମୋର ସହିତ ଯିବା ଉଚିତ ବୋଲି ମୁଁ ମନେକରୁଛି ।’’

ମଣିଭଦ୍ର ସଙ୍ଗେ ସଙ୍ଗେ ଭଣ୍ଡାରରୁ ବହୁ ମଣିମାଣିକ୍ୟ ଆଣି କଟାହକ ହସ୍ତରେ ଦେଲେ-। କଟାହକ ସେ ସମସ୍ତ ଉପଢ଼ୌକନ ସଙ୍ଗରେ ଘେନି ବାହାରିଲା । ସେ ଶୋଣ ନଦୀ ପାର ହେବାପରେ ରତ୍ନଦତ୍ତଙ୍କୁ ଭେଟିଲା ଏବଂ ଉପହାରଗୁଡ଼ିକ ତାଙ୍କୁ ଅର୍ପଣ କରିସାରି ତାଙ୍କ ପାଦଧରି କହିଲା :

‘‘ମତେ କ୍ଷମା କରନ୍ତୁ । ମୁଁ ଆପଣଙ୍କ ପୁତ୍ର ସଂଜୀବକ ବୋଲି ନିଜର ପରିଚୟ ଦେଇ ଏହି ଶ୍ରେଷ୍ଠୀଙ୍କ କନ୍ୟାକୁ ବିବାହ କରିଛି । ଆପଣ ଯଦି ମତେ ଦାସୀପୁତ୍ର କଟାହକ ବୋଲି ଏଠାରେ ପ୍ରକାଶ କରିଦେବେ, ତାହାହେଲେ ମୋର ସମସ୍ତ ସମ୍ମାନ ଓ ପ୍ରତିପତ୍ତି କ୍ଷଣକ ମଧ୍ୟରେ ନଷ୍ଟ ହୋଇଯିବ । ତେଣୁ ମତେ ସଂଜୀବକ ବୋଲି ଆପଣ ଡାକିବେ । ଆପଣ ଯଦି ଏହା ନ କରନ୍ତି, ମୁଁ ନିଶ୍ଚୟ ବିଷପାନ କରି ଆତ୍ମହତ୍ୟା କରିଦେବି ।’’

ରତ୍ନଦତ୍ତ ଆଗପଛ ବିଚାରକରି ଶେଷରେ କହିଲେ :

‘‘ଆଚ୍ଛା ହେଉ, ତୋରି କଥା କରିବି ।’’

ରତ୍ନଦତ୍ତ ବନ୍ଧୁଗୃହରେ ପହଞ୍ଚିବାମାତ୍ରେ ମଣିଭଦ୍ର ତାଙ୍କୁ ଖୁବ୍‍ ଆଦର ଅଭ୍ୟର୍ଥନା କଲେ । କଟାହକ ତାର ପ୍ରଭୁଙ୍କୁ ରାତିଦିନ ଭୃତ୍ୟପରି ସେବା କରିବାକୁ ଲାଗିଲା । ଏହା ଦେଖି ସେଠାର ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାକୁ ଅତି ପିତୃଭକ୍ତ ବୋଲି ଜାଣିଲେ ।

ଦିନେ ରତ୍ନଦତ୍ତ କନକ ପ୍ରଭାକୁ ଡାକି ପଚାରିଲେ :

 

‘‘ମା, ସଂଜୀବକ ତୋ ସହିତ ଭଲ ବ୍ୟବହାର କରୁଛି ତ ?’’

 

କନକପ୍ରଭା ଉତ୍ତର ଦେଲା :

 

‘‘ହଁ ବାବା, ସବୁ ବ୍ୟବହାର ଭଲ, କେବଳ ତାଙ୍କର ଗୋଟିଏ ଦୋଷ ଅଛି । ସେ ଏଠାର ପ୍ରତ୍ୟେକ ଜିନିଷକୁ ନାପସନ୍ଦ କରୁଛନ୍ତି, ଏପରିକି ଉତ୍‍କୃଷ୍ଟ ଗୁଆଘିଅ ମଧ୍ୟ ଗନ୍ଧାଉଛି ବୋଲି କହୁଛନ୍ତି ।’’

 

ଏହା ଶୁଣି ରତ୍ନଦତ୍ତ କଟାହକ ଉପରେ ମନେ ମନେ ବଡ଼ ବିରକ୍ତ ହେଲେ; ମାତ୍ର ତାହା ପ୍ରକାଶ ନ କରି କନକପ୍ରଭାକୁ କହିଲେ;

 

‘‘ମା, ତତେ ମୁଁ ଗୋଟିଏ ଶ୍ଳୋକ ବତାଇଦେଉଛି । ସଂଜୀବକ ଯେତେବେଳେ କୌଣସି ଜିନିଷରୁ ଖୁଣ ବାହାର କରିବ ସେତେବେଳେ ତୁ ଏହି ଶ୍ଳୋକଟିକୁ ତା ଆଗରେ ବୋଲିଦେବୁ । ତାହାହେଲେ ସେ ଆଉ କିଛି ଖୁଣିବ ନାହିଁ ।’’

 

ରତ୍ନଦତ୍ତ ଶ୍ଳୋକଟି କହିଦେଲେ । କନକପ୍ରଭା ତାହାକୁ ଘୋଷି ମନେରଖିଲା । କିଛିଦିନପରେ ରତ୍ନଦତ୍ତ ବାରଣାସୀକୁ ଫେରିଗଲେ । ଏଣିକି କଟାହକର ଦାଉ ଅଧିକ ପ୍ରବଳ ହୋଇଉଠିଲା । ଦିନେ ସେ ଭୋଜନ କରୁଥାଏ, କନକପ୍ରଭା ତା’ପାଖରେ ବସି ବିଞ୍ଚୁଥାଏ । ଖଣ୍ଡିଏ ମାଂସ ମୁଖକୁ ନେଉ ନେଉ କଟାହକ ଘୃଣାରେ ନାକଟେକି କହିଉଠିଲା :

 

‘‘ଛି, କି କଦର୍ଯ୍ୟ ଗନ୍ଧ । ମଗଧର ଚମାରମାନେ ଏ ଖାଦ୍ୟ ଖାଇପାରନ୍ତି; ମାତ୍ର ବାରଣାସୀର ଶ୍ରେଷ୍ଠୀମାନେ ଏଭଳି ଅଖାଦ୍ୟ କେବେହେଲେ ସ୍ପର୍ଶ କରନ୍ତି ନାହିଁ ।’’

 

ଶୁଣି ଶୁଣି କନକପ୍ରଭାର ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ଆଉ ସମ୍ଭାଳି ନ ପାରି ସେହି ଶ୍ଳୋକଟିକୁ ଆବୃତ୍ତି କଲା । ତାର ଅର୍ଥ ହେଉଛି–

 

‘‘କଟାହ ଦୋଷରୁ ଅସ୍ୱାଦ

ଲାଗେ ଆମ ରନ୍ଧନ,

ବାରଣାସୀପୁରଁ ସ୍ୱାମୀ ହେ!

ତେଣୁ କଟାହ ଆଣ ।

ରନ୍ଧାହେଲେ ସେହି କଟାହେ

ସବୁ ଲାଗିବ ସ୍ୱାଦ,

ମଗଧ ଦେଶର ଦରବ

ଆଉ ନ ହେବ ଗନ୍ଧ ।’’

 

ଶ୍ଳୋକଟି ଶୁଣିବାମାତ୍ରେ କଟାହକର ନାକଟେକା ଏକାବେଳେ ବନ୍ଦ ହୋଇଗଲା । ସେ ବେଶ୍‍ ଜାଣିପାରିଲା ଯେ, ଶ୍ରେଷ୍ଠୀ କନକପ୍ରଭାକୁ ଏହି ଶ୍ଳୋକଟି ଶିଖାଇଦେଇ ଯାଇଛନ୍ତି । କୌଣସି ପାଟିତୁଣ୍ଡ ନ କରି ଏବେ କଟାହକ ସବୁତକ ମାଂସଖାଇ ଶେଷ କରିଦେଲା ।

 

ଏହିରୂପେ ଶ୍ରେଷ୍ଠୀରୂପୀ ବୁଦ୍ଧଦେବ ତାହାକୁ ଉଚିତ୍‍ ଶିକ୍ଷା ଦେଲେ । ସେହିଦିନୁଁ ତାର ସ୍ୱଭାବ ଏକାବେଳେ ବଦଳିଗଲା । ତେଣିକି ମଗଧର ଖାଦ୍ୟଦ୍ରବ୍ୟ ତାକୁ ଅମୃତପରି ଲାଗିଲା । ମଗଧର ସବୁ ଜିନିଷ ତାକୁ ସୁନ୍ଦର ଦେଖାଗଲା ।

Image

 

ମନୋଜ ଜାତକ

 

ବୋଧିସତ୍ତ୍ୱ ଥରେ ସିଂହ ହୋଇ ଜନ୍ମଗ୍ରହଣ କରିଥିଲେ । ପରିବାରରେ ସ୍ତ୍ରୀ, ପୁତ୍ର, କନ୍ୟା ଓ ନିଜେ, ଏହିପରି ଚାରିଜଣ । ବନର ଗୋଟିଏ ଗୁହାରେ ସମସ୍ତେ ବାସ କରୁଥାନ୍ତି ।

 

ପୁତ୍ରଟିର ନାମ ‘ମନୋଜ’ । ସେ ବଡ଼ ପିତୃଭକ୍ତ । ସିଂହ ବାର୍ଦ୍ଧକ୍ୟ ଯୋଗୁ ଅସମର୍ଥ ହୋଇପଡ଼ିଲା । ତେଣୁ ମନୋଜ ପ୍ରତ୍ୟହ ବନ ମଧ୍ୟରେ ବୁଲି ମହିଷ ଶିକାର ପରେ ଏବଂ ତାହାକୁ ଆଣି ଗୁହାରେ ପହଞ୍ଚାଏ । ସମୁଦାୟ ପରିବାରଟି ସେହି ମହିଷର ମାଂସଖାଇ ଆନନ୍ଦରେ ଦିନ କଟାନ୍ତି ।

 

ଦିନେ ମନୋଜ ଶିକାର ଉଦ୍ଦେଶ୍ୟରେ ବନଗର୍ଭରେ ପଶିଲା । ସେହି ସମୟରେ ଶୃଗାଳଟିଏ ବିଲରୁ ବାହାରିଆସି ମନୋଜକୁ ଅତି ବିନୟର ସହିତ ପ୍ରଣାମକରି ନିକଟରେ ଠିଆ ହୋଇରହିଲା । ମନୋଜ ତାକୁ ପଚାରିଲା :

 

‘‘କି ଉଦ୍ଦେଶ୍ୟରେ ମୋ ପାଖକୁ ଆସିଛ ? କିଛି ପ୍ରାର୍ଥନା ଅଛି ?’’

 

ଶୃଗାଳଟି ମଥା ନୋଇ ଜଣାଇଲା :

 

‘‘ପ୍ରଭୁ ! ମୁଁ ସେବକ ହେବାପାଇଁ ପ୍ରାର୍ଥନା କରୁଛି । ଯେପରି ମୃତ୍ୟୁପର୍ଯ୍ୟନ୍ତ ଆପଣଙ୍କର ଖଟଣି କରିବି, ସେହି ଆଦେଶ ଦିଅନ୍ତୁ ।’’

 

ମନୋଜ ତାର ବ୍ୟବହାରରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲା :

 

‘‘ବେଶ୍‍, ତାହାହେଲେ ଆଜିଠାରୁ ତୁମେ ମୋର ସେବକ ହେଲ । ନିର୍ଭୟରେ ଏଣିକି ଆମ ପରିବାର ସହିତ ତୁମେ ବାସ କରିବ ।’’

 

ଶିକାର ସାରିବାପରେ ମନୋଜ ସେହି ଶୃଗାଳଟିକୁ ସଙ୍ଗରେ ଘେନି ନିଜର ବାସଗୃହରେ ଉପସ୍ଥିତ ହେଲା । ସିଂହ ତାହାଦେଖି ପୁତ୍ରକୁ ପଚାରିଲା ।

 

‘‘ଏ ନୂତନ ଆଗନ୍ତୁକଟି କିଏ, ଏହାକୁ କାହିଁକି ଘରକୁ ଆଣିଛ ?’’

 

ମନୋଜ ଧୀର ସ୍ୱରରେ ପିତାକୁ ଉତ୍ତର ଦେଲା ।

 

‘‘ଏହି ଶୃଗାଳଟାକୁ ମୁଁ ଆଜିଠାରୁ ମୋର ଭୃତ୍ୟରୂପେ ନିଯୁକ୍ତ କରିଛି । ଏ ମୋ ସହିତ ଏଠାରେ ରହିବ ।’’

 

ସିଂହର ମୁଖରେ ସନ୍ଦେହର ଚିହ୍ନ ଦେଖାଗଲା । ସେ କହିଲା :

 

‘‘ବାପା, ଏଇଟା ଭଲକାମ କଲୁନାହିଁ । ତୋର ଭୃତ୍ୟ କଣ ଦରକାର ? ଗୋଟିଏ କଥା ମନେ ରଖ । ଅଧିକାଂଶ ସମୟରେ ବାହାର ପ୍ରାଣୀଙ୍କ ଯୋଗୁ ପରିବାରର ଶାନ୍ତିଭଙ୍ଗ ହୋଇଥାଏ । ଆମେ ବେଶ୍‍ ଶାନ୍ତିରେ ଥାଇଁ । ଏଇ ବାହାର ଜୀବଟିକୁ ଡାକିଆଣି ଘରେ ପୂରାଇବାଦ୍ୱାରା ଆମ ପରିବାରରେ ଅଶାନ୍ତି ଆଉ ବିପଦ ଘଟିବ ବୋଲି ମୋର ଆଶଙ୍କା ହେଉଛି ।’’

 

ଏହାଶୁଣି ମନୋଜ କହିଲା–

 

‘‘ଦୁର୍ବଳ ଏ ସାମାନ୍ୟ ଶୃଗାଳଟା ଆମର କି କ୍ଷତି କରିବ ? ତୁମେ ସେଥିପାଇଁ କୌଣସି ଭୟକର ନାହିଁ । ତା କଥା ମତେ ଲାଗେ ।’’

 

ସିଂହ ଏଥିରେ ସନ୍ତୁଷ୍ଟ ନ ହୋଇ ପୁଣି ବୁଝାଇଲା :

 

‘‘ଜୀବ ସାମାନ୍ୟ ବା ଦୁର୍ବଳ ହୋଇପାରେ; କିନ୍ତୁ ଅନିଷ୍ଟ କରିବାର ଶକ୍ତି ତାର ସାମାନ୍ୟ ବା ଦୁର୍ବଳ ନୁହେଁ । କ୍ଷୁଦ୍ର ବା ନଗଣ୍ୟ ବୋଲି କାହାରିକୁ ଉପେକ୍ଷା କରିବା ବୁଦ୍ଧିମାନର ଲକ୍ଷଣ ନୁହେଁ-। ତେଣୁ ମୋର ଉପଦେଶ ମାନି ଏହି ଶୃଗାଳକୁ ଏଠାରୁ ଶୀଘ୍ର ବିଦାୟ କରିଦେ ।’’

 

ମନୋଜ ସେହି ଶୃଗାଳର ଚାଟୁବାକ୍ୟରେ ପୂର୍ବରୁ ଏତେ ମୁଗ୍‍ଧ ହୋଇଯାଇଥିଲା ଯେ, ପିତାର ଉପଦେଶକୁ ସେତେବେଳେ ଗ୍ରହଣ କରିପାରିଲା ନାହିଁ । ସିଂହ ଏହା ଦେଖି ବଡ଼ ମର୍ମାହତ ହେଲା ଏବଂ ଦୁଃଖରେ ଦୀର୍ଘନିଶ୍ୱାସଟିଏ ଛାଡ଼ି କିଛିକ୍ଷଣ ନୀରବ ହୋଇ ରହିଲା । ତାପରେ ସିଂହୀକୁ ଡାକି କହିଲା :

 

‘‘ଆଜିଠାରୁ ଆମର ଅନିଷ୍ଟର ବାଟ ଖୋଲିଗଲା । ମନୋଜ ଶୃଗାଳକୁ ଡାକିଆଣିଲା ନାହିଁ ଯେ, ସର୍ବନାଶକୁ ଡାକିଆଣିଲା ।’’

 

ତା ପରଦିନଠାରୁ ମନୋଜ ଯେତେବେଳେ ଶିକାରକୁ ବାହାରେ, ଶୃଗାଳ ତା ପଛେ ପଛେ ଯାଏ । ଦିନେ ଶୃଗାଳ କହିଲା–

 

‘‘ପ୍ରଭୁ, ଅଶ୍ୱମାଂସ ଭାରି ମିଷ୍ଟ । ଆଜି ଅଶ୍ୱଟିଏ ଶିକାର କରନ୍ତୁ ।’’

 

ମନୋଜ ତାକୁ କହିଲା :

 

‘‘ଏଠି ଅଶ୍ୱ କାହୁଁ ମିଳିବେ ଯେ, ମୁଁ ଅଶ୍ୱ ଶିକାର କରିବି ?’’

 

ଶୃଗାଳ ସଙ୍ଗେ କହିଉଠିଲା :

 

‘‘ଚାଲନ୍ତୁ, ମୁଁ ଅଶ୍ୱ ଦେଖାଇଦେବି ।’’

 

ଏହା କହି ଶୃଗାଳ ନଦୀ କୂଳେ କୂଳେ ନେଇ ମନୋଜକୁ ଏକା ପ୍ରକାଣ୍ଡ ପଡ଼ିଆରେ ପହଞ୍ଚାଇଦେଲା । ସେଠାରେ ରାଜଘରର ଅଶ୍ୱମାନେ ଚରୁଥାନ୍ତି । ମନୋଜ ସେଥିମଧ୍ୟରୁ ଗୋଟିଏ ଅଶ୍ୱ ଶିକାରକରି ଗୁହାକୁ ଆଣିଲା । ସିଂହ ତାହା ଦେଖି ପଚାରିଲା :

 

‘‘ଏ ବନରେ ତ ଅଶ୍ୱ ନାହାନ୍ତି, ତୁ ଏହାକୁ କେଉଁଠୁ ମାରି ଆଣିଲୁ ?’’

 

‘‘ରାଜାଙ୍କ ଅଶ୍ୱଦଳ ନଦୀତୀରରେ ଚରୁଥିଲେ । ମୁଁ ସେଥିରୁ ଗୋଟିଏ ମାରି ଘେନିଆସିଛି । ସବୁଦିନେ ମହିଷମାଂସ ଖାଇ ଖାଇ ଚିଟା ଲାଗିଲାଣି । ତେଣୁ ଜିଭର ଅରୁଚି ଛଡ଼ାଇବା ପାଇଁ ଆଜି ଅଶ୍ୱମାଂସ ଆଣିଲି ।’’

 

ସିଂହ ଏହା ଶୁଣି ବଡ଼ ବିଚଳିତ ହୋଇଉଠି କହିଲା–

 

‘‘ବାପ, ଏଭଳି ଭୁଲ୍ କାମ ଆଉ ଦିନେହେଲେ କରିବୁ ନାହିଁ । ଅଶ୍ୱ ରାଜାଙ୍କର ବାହନ, ତେଣୁ ତାଙ୍କର ଅତି ପ୍ରିୟ । ତୁ ରାଜାଙ୍କର ଏଡ଼େ ସୁନ୍ଦର ଅଶ୍ୱଟିଏ ମାରିଦେଇଛୁ । ସେ ତତେ ନ ମାରି ଯେ କେଭେଁ ଛାଡ଼ିବେ ନାହିଁ, ମତେ ଏ କଥା ଜଳଜଳ ହୋଇ ଦିଶିଯାଉଛି ।’’

 

ମନୋଜ ଖୁବ୍‍ ଗର୍ବିତ ସ୍ୱରରେ ଉତ୍ତର ଦେଲା :

 

‘‘ମୋ ପାଇଁ ତୁମେ କୌଣସି ଚିନ୍ତାକର ନାହିଁ, ବାପା ! ମତେ ମାରିବା ଏଡ଼େ ସହଜ କଥା ନୁହେଁ । ମଣିଷକୁ ମୁଁ ଆଦୌ ଭୟକରେ ନାହିଁ । ତା’ଛଡ଼ା ମୋ ପାଖେ ପାଖେ ଶୃଗାଳ ରହିଛି-। ତା’ପରି ଧୂର୍ତ୍ତ ଆଉ ବୁଦ୍ଧିମାନ୍‍ ଜୀବ ଦୁନିଆରେ ଆଉ କେହି ନାହିଁ । ସେ ସବୁବେଳେ ଚାରଆଡ଼କୁ ଦୃଷ୍ଟିରଖି ପହରା ଦେଉଥାଏ । କୌଣସି ବିପଦର ସୂଚନା ପାଇବାମାତ୍ରେ ମତେ ସେ ସଙ୍ଗେ ସଙ୍ଗେ ସତର୍କ କରାଇଦେବ ।’’

 

ତେଣେ ରାଜା ଅଶ୍ୱଟିକୁ ସିଂହ ମାରି ଘେନିଯାଇଥିବାର ଖବର ଶୁଣି ତାଙ୍କର ଅଶ୍ୱଦଳକୁ ଆଉ ନଦୀକୂଳକୁ ଛାଡ଼ିଲେ ନାହିଁ । ତାଙ୍କ ଆଦେଶରେ ସେହିଦିନଠାରୁ ସବୁଯାକ ଅଶ୍ୱ ନଗର ମଧ୍ୟରେ ଆବଦ୍ଧ ହୋଇ ରହିଲେ । ଶୃଗାଳ ଏହା ଜାଣିପାରି ମନୋଜକୁ ଏଣିକି ରାତ୍ରିରେ ନଗର ମଧ୍ୟକୁ ନେଲା । ମନୋଜ ସେଠାରୁ ଅଶ୍ୱ ମାରି ଗୁହାକୁ ଆଣିଲା । ତହୁଁ ରାଜା ନିଜର ଉଦ୍ୟାନ ମଧ୍ୟରେ ଗୋଟିଏ ବଡ଼ ଅଶ୍ୱଶାଳା ନିର୍ମାଣ କରାଇ ତାହାର ଚତୁର୍ଦ୍ଦିଗରେ ଉଚ୍ଚ ପ୍ରାଚୀର ଘେରାଇ ଦେଲେ । ଅଶ୍ୱଗୁଡ଼ିକ ତାହାରି ମଧ୍ୟରେ ରହିଲେ । ସେମାନଙ୍କ ପ୍ରାଣରକ୍ଷା ପାଇଁ ଜଣେ ତୀରନ୍ଦାଜ ମଧ୍ୟ ନିଯୁକ୍ତ ହେଲା । ସେହି ତୀରନ୍ଦାଜଟି ଉଦ୍ୟାନରେ ଗୋଟିଏ ଆମ୍ୱଗଛ ଉପରେ ଧନୁଶର ଧରି ଜଗିରହିଲା ।

 

ରାତ୍ରି ହେଲା । ଶୃଗାଳ ଏଥର ମନୋଜକୁ ବାଟ କଢ଼ାଇ କଢ଼ାଇ ଆଣି ଅଶ୍ୱଶାଳା ନିକଟରେ ପହଞ୍ଚାଇଲା । ମନୋଜ ଅଶ୍ୱଶାଳ ମଧ୍ୟରେ ପଶି ଗୋଟିଏ ଅଶ୍ୱ ଘେନି ଯେପରି ପ୍ରାଚୀର ଲଙ୍ଘନ କରିବାକୁ ବସିଛି, ତୀରନ୍ଦାଜଟି ତାହାକୁ ଲକ୍ଷ୍ୟକରି ଗୋଟାଏ ତୀର ଛାଡ଼ିଦେଲା । ସେହି ଅବ୍ୟର୍ଥ ତୀରଟି ନିମିଷକେ ଯାଇ ମନୋଜର ଦେହରେ ବିଦ୍ଧ ହୋଇଗଲା । ଶରବିଦ୍ଧ ମନୋଜ ପ୍ରାଚୀର ଡେଇଁ ପବନବେଗରେ ଛୁଟି ପଳାଇ ଗୁହାରେ ଉପସ୍ଥିତ ହେଲା । ସିଂହ ତାହାର ଏ ଦୁରବସ୍ଥା ଦେଖି ଅଶ୍ରୁମୋଚନ କଲା ଏବଂ ତା ଦେହରୁ ତୀରଟିକୁ ଧୀରେ ଧୀରେ କାଢ଼ିଆଣିଲା । ତାପରେ ସେ ମନୋଜକୁ ପଚାରିଲା :

 

‘‘ବତ୍ସ, ତୋର ଶୃଗାଳଭୃତ୍ୟ କାହିଁ ?’’

 

ମନୋଜ ଅଧୋମସକରେ ଉତ୍ତର ଦେଲା :

 

‘‘ସେ କେଉଁଆଡ଼େ ପଳାଇଗଲା ।’’

 

ସିଂହ ଗମ୍ଭୀର ସ୍ୱରରେ ମନୋଜକୁ କହିଲା :

 

‘‘ମୁଁ ଜାଣେ, ସେ ନିଶ୍ଚୟ ପଳାଇଯାଇଥିବ । ଯେତେବେଳ ପର୍ଯ୍ୟନ୍ତ ତୁ ସୁସ୍ଥ ସବଳ ଥିଲୁ, ସେତେବେଳ ପର୍ଯ୍ୟନ୍ତ ସେ ତୋର ପାଖେ ପାଖେ ରହିଥିଲା । ବିପଦ ଆସିବାମାତ୍ରେ ସେ ତା ବାଟଧରି ତତେ ଛାଡ଼ି ଚାଲିଗଲା । ଦୁନିଆର ଏହାହିଁ ରୀତି ।

 

ସଂପଦକାଳେ ସର୍ବେ ଶଖା,

ବିପଦେ ନ ଦିଅନ୍ତି ଦେଖା ।

 

ମୁଁ ତତେ ମୂଳରୁ କେତେ ବୁଝାଇଥିଲି । ତୁ ମୋ କଥାରେ ଆଦୌ କାନ ଦେଲୁ ନାହିଁ । ମୁଁ ବାର୍ଦ୍ଧକ୍ୟ ଯୋଗୁଁ ଏକାନ୍ତ ଅଶକ୍ତ ହୋଇପଡ଼ିଛି । କେବଳ ଉପଦେଶ ଦେବା ଛଡ଼ା ଆଉ କଣ ଅଧିକ କରିପାରେଁ ?’’

 

ଯେଉଁ ତୀରଟି ମନୋଜ ଦେହରେ ଭେଦିଯାଇଥିଲା, ତାହା ଯେ ଗୋଟାଏ ବିଷାକ୍ତ ତୀର; ସେ କଥା ସିଂହ ବା ମନୋଜକୁ ଜଣାନଥିଲା । ତେଣୁ ଅଳ୍ପ ସମୟ ମଧ୍ୟରେ ମନୋଜର ସମସ୍ତ ରକ୍ତରେ ବିଷ ସଂଚରି ଯିବାଫଳରେ ତାର ପ୍ରାଣବାୟୁ ବାହାରିଗଲା । ପୁତ୍ରକୁ ହରାଇ ସିଂହୀ ହାୟ-ହାୟ କରିବାକୁ ଲାଗିଲା । ଶେଷ ନିଶ୍ୱାସ ଛାଡ଼ିବା ପୂର୍ବରୁ ମନୋଜ ତାର ପିତାକୁ କହିଲା :

 

‘‘ଧୂର୍ତ୍ତ ପ୍ରାଣୀର କଥାକୁ ବିଶ୍ୱାସକରି ଲୋଭର ବଶବର୍ତ୍ତୀ ହେଲେ ଏବଂ ପିତାମାତାଦି ଗୁରୁଜନଙ୍କ କଥାକୁ ଲଙ୍ଘି ଅଧମ ସହିତ ମିତ୍ରତା କଲେ ନିଜର ସର୍ବନାଶକୁ ଡାକିଆଣିବାକୁ ହୁଏ ବୋଲି ମୁଁ ଜାଣିନଥିଲି । ତାହା ଜାଣିଥିଲେ ମୋର ଏପରି ଦଶା ହୋଇ ନ ଥାନ୍ତା ।’’

Image

 

ମଘ ଜାତକ

 

ମଚଳ ନାମରେ ଜଣେ ବ୍ରାହ୍ମଣ ମଗଧ ଦେଶରେ ବାସ କରୁଥିଲେ । ବୋଧିସତ୍ତ୍ୱ ସେହି ମଚଳଙ୍କର ପୁତ୍ର ହୋଇ ଥରେ ଜନ୍ମଗ୍ରହଣ କଲେ । ତାଙ୍କର ନାମ ହେଲା ‘ମଘକୁମାର’ ।

 

ମଘକୁମାର ଦେଖିଲେ, ସେହି ଅଞ୍ଚଳର ପ୍ରତି ଗ୍ରାମରେ ଗୁଡ଼ିଏ ଲେଖାଏଁ ଦୁଷ୍ଟ ପ୍ରକୃତିକ ସୁରାପାୟୀ ଲୋକ ଅଛନ୍ତି । ସେମାନେ ଗ୍ରାମର ସରଳ ଓ ନିରୀହ ଲୋକମାନଙ୍କ ଉପରେ ନାନାପ୍ରକାର ଅତ୍ୟାଚାର କରୁଛନ୍ତି । କ୍ଷେତରୁ ଫସଲ କାଟିନେବା, ଛେଳିମେଣ୍ଢା ଓ ଧନଦ୍ରବ୍ୟ ଚୋରି କରିବା ସେମାନଙ୍କର ପେଷା । ମଘକୁମାର ଏଭଳି ମନ୍ଦ ସ୍ୱଭାବର ଲୋକଙ୍କୁ ଭଲବାଟକୁ ଆଣି ଗ୍ରାମଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରତିଜ୍ଞା କଲେ ।

 

ସେ ଗାଏଁ ଗାଏଁ ବୁଲି ଅତ୍ୟାଚାରୀମାନଙ୍କୁ ଖୁବ୍‍ କାକୁତିମିନତି କରି ବୁଝାଇଲେ, ବହୁତ ସଦୁପଦେଶ ଦେଲେ । ଫଳରେ ସେମାନଙ୍କ ସ୍ୱଭାବ ବଦଳିଗଲା । ସବୁ ଗ୍ରାମରେ ଶାନ୍ତି ଆସିଲା । ଏଥିରେ ଭୌମିକ ଅର୍ଥାତ୍‍ ଜମିଦାରମାନଙ୍କର ବହୁତ କ୍ଷତି ହେଲା । ଆଗେ ଗ୍ରାମମାନଙ୍କରେ ଚୋରି, ଉତ୍ପାତ ଲାଗିରହିଥିବାରୁ ସେମାନଙ୍କ ନିକଟକୁ ବହୁତ ମକଦ୍ଦମା ଆସୁଥିଲା । ଦୁଷ୍ଟ ଲୋକଙ୍କୁ ଜୋରିମାନା କରି ଭୌମିକମାନେ ବେଶ୍‍ ଦୁଇପଇସା ରୋଜଗାର କରୁଥିଲେ । ଦୁଷ୍ଟ ଲୋକେ କୌଣସି ଅପକର୍ମ ନ କରିବାରୁ ଭୌମିକମାନଙ୍କ ରୋଜଗାରର ବାଟ ଏକାବେଳେ ବନ୍ଦ ହୋଇଗଲା । ସୁରାଦୋକାନମାନଙ୍କରେ ସୁରା ବିକ୍ରି ହୋଇପାରିଲା ନାହିଁ । ତେଣୁ ସେଥିରୁ ଯେଉଁ ଶୁଳ୍‍କ ଆଦାୟ ହେଉଥିଲା, ତାହା ମଧ୍ୟ ଆଉ ଜମିଦାରମାନଙ୍କୁ ମିଳିଲା ନାହିଁ । ଏହା ଦେଖି ସେମାନେ ଏକାଠିମିଳି ମଗଧରାଜାଙ୍କ ଦରବାରକୁ ଗଲେ ଏବଂ ସେହି ଅଞ୍ଚଳର ସଦାଚାରୀ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ :

 

‘‘ଧର୍ମାବତାର ! ଆମମାନଙ୍କ ଗ୍ରାମରେ ଗୁଡ଼ାଏ ଦୁଷ୍ଟ ଲୋକ ବଡ଼ ପ୍ରବଳ ହୋଇଉଠିଛନ୍ତି । ସେମାନଙ୍କ ଉତ୍ପାତରେ ଘର ସଂସାର କରି ରହିବା ଅସମ୍ଭବ ହୋଇଗଲାଣି । ଦୁର୍ବୃତ୍ତଗୁଡ଼ାକ ସୁରାପାନ କରି ମାତାଲ ହେଉଛନ୍ତି, ସେମାନଙ୍କର କିଛି କାଣ୍ଡାକାଣ୍ଡ ବିଚାର ରହୁନାହିଁ-। ଦଳବାନ୍ଧି ସେମାନେ ଲୁଟ୍‍ପାଟ, ଚୋରିଡକାୟତି କରୁଛନ୍ତି, ଆଉ ନିରୀହ ଲୋକଙ୍କ ଉପରେ ମଧ୍ୟ ଅତ୍ୟାଚାର କରିବାକୁ ଛାଡ଼ୁନାହାନ୍ତି । ଆପଣଙ୍କ ଭଳି ପ୍ରଜାପ୍ରିୟ ଓ ଧର୍ମବନ୍ତ ରାଜାଙ୍କ ରାଜ୍ୟରେ ଏଭଳି ଦୁଷ୍କର୍ମ ବେଶିଦିନ ଚାଲିବା ଠିକ୍‍ ନୁହେଁ । ଆପଣ ଦୟାକରି ଶୀଘ୍ର ଏଥିରେ ପ୍ରତିକାର କରନ୍ତୁ, ତା ନ ହେଲେ ଦୁର୍ବୃତ୍ତମାନଙ୍କର ପ୍ରତାପ ଆହୁରି ବଢ଼ିଯିବ ।’’

 

ରାଜା ଏହି ଅଭିଯୋଗ ଶୁଣିବାମାତ୍ରେ କ୍ରୋଧରେ ଜର୍ଜର ହୋଇଉଠିଲେ । ତାଙ୍କର ସର୍ବାଙ୍ଗ କମ୍ପିତ ହେବାକୁ ଲାଗିଲା । କୌଣସି ତଦନ୍ତ ବା ଅନୁସନ୍ଧାନ ଅପେକ୍ଷା ନ ରଖି ସେ ସେନାପତିଙ୍କୁ ଡାକି ସାମରିକ ବିଚାର ନୀତିରେ ଚୂଡ଼ାନ୍ତ ଆଦେଶ ଦେଲେ :

 

‘‘ମୋର ଶାନ୍ତିପୂର୍ଣ୍ଣ ଶାସନରେ ଦୁରାତ୍ମାମାନଙ୍କର ଏଭଳି ଉପଦ୍ରବ ନିତାନ୍ତ ଅସହ୍ୟ । ଭୌମିକମାନେ ଏହା ମୋ ଦୃଷ୍ଟିକୁ ଆଣିଥିବାରୁ ଧନ୍ୟବାଦର ପାତ୍ର । ସେନାପତି, ତୁମେ ଏଇ ମୁହୂର୍ତ୍ତରେ ଯାଅ, ସେହି ଦୁର୍ବୃତ୍ତମାନଙ୍କୁ ବାନ୍ଧିଆଣି ମୋରି ସମ୍ମୁଖରେ ହସ୍ତିପଦତଳେ ଫିଙ୍ଗିଦିଅ । ଗୋଟି ଗୋଟି ହୋଇ ସେମାନେ ନିଶ୍ଚିହ୍ନ ହୋଇଯାନ୍ତୁ ଏବଂ ତା ସଙ୍ଗେ ସଙ୍ଗେ ମୋ ରାଜ୍ୟରୁ ଅତ୍ୟାଚାର ମଧ୍ୟ ନିର୍ମୂଳ ହୋଇଯାଉ ।’’

 

ସ୍ୱାର୍ଥାନ୍ଧ ଭୌମିକମାନେ ଆନନ୍ଦରେ ସେନାପତିଙ୍କୁ ସଙ୍ଗରେ ଘେନି ନିଜ ନିଜ ଗ୍ରାମକୁ ଫେରିଗଲେ ଏବଂ ପ୍ରଧାନ ପ୍ରଧାନ ସଦାଚାରୀ ଲୋକଙ୍କୁ ଧରାଇଦେଲେ । ସେନାପତି ସେମାନଙ୍କୁ ରାଜଧାନୀକୁ ବାନ୍ଧିଆଣିଲେ । ମଘକୁମାର ମଧ୍ୟ ସେମାନଙ୍କ ସହିତ ବନ୍ଧାହୋଇ ଆସିଲେ ।

 

ପ୍ରଶସ୍ତ ରାଜପଥରେ ସେହି ନିର୍ଦ୍ଦୋଷ ବନ୍ଦୀମାନଙ୍କୁ ଶୁଆଇ ଦିଆଗଲା । ତାହାପରେ ପ୍ରକାଣ୍ଡ ଦନ୍ତାବଳ ହସ୍ତୀ ସେମାନଙ୍କ ଉପରେ ଚଢ଼ି ଚାଲିଯିବାପାଇଁ ପ୍ରଚଣ୍ଡ ବେଗରେ ହସ୍ତିଶାଳରୁ ଛୁଟିଆସିଲା । ନିରୀହ ବନ୍ଦୀଗୁଡ଼ିକ ନିଜ ନିଜର ଆସନ୍ନ ମୃତ୍ୟୁକୁ ନୀରବରେ ଅପେକ୍ଷାକରି ରହିଲେ-। ଏହି ସମୟରେ ମଘକୁମାର ଅଭୟ ଦେଇ କହିଲେ :

 

‘‘ବନ୍ଧୁଗଣ ! ତୁମେମାନେ ସଂପୂର୍ଣ୍ଣ ନିର୍ଦ୍ଦୋଷ । ଏପର୍ଯ୍ୟନ୍ତ ଯେଉଁ ଧର୍ମପଥରେ ଚାଲିଆସିଛ, ତାହାକୁ ଆଦୌ ପରିତ୍ୟାଗ କର ନାହିଁ । ଚିରକାଳ ଧର୍ମର ଜୟ ହୋଇଆସିଛି, ଆଜି ମଧ୍ୟ ହେବ । ସ୍ୱୟଂ ଧର୍ମରାଜ ତୁମମାନଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିବେ ।’’

 

ଶତ ଶତ ରାଜକର୍ମଚାରୀଙ୍କ ଗହଣରେ ରାଜା ସେଠାରେ ବସିଥାନ୍ତି । ଦର୍ଶକମାନେ ସେହି ରୋମାଞ୍ଚକର ଦୃଶ୍ୟ ଦେଖିବାପାଇଁ ରାଜଦାଣ୍ଡରେ ରୁଣ୍ଡ ହୋଇଥାନ୍ତି । ଏହି ସମୟରେ ଦନ୍ତାବଳ ହସ୍ତୀଟି ମାହୁନ୍ତର ଅଙ୍କୁଶ ପ୍ରହାରରେ କ୍ଷିପ୍ତହୋଇ ଶାୟିତ ବନ୍ଦୀମାନଙ୍କ ଆଡ଼କୁ ଧାଇଁଆସିଲା; ମାତ୍ର ଆଶ୍ଚର୍ଯ୍ୟ କଥା, ସେମାନଙ୍କ ଉପରଦେଇ ଚାଲିଯିବାବେଳେ ଏପରି ସତର୍କତାର ସହିତ ପଦକ୍ଷେପ କଲା ଯେ, ଜଣେହେଲେ କାହାରି ଶରୀରକୁ ତାହାର ପାଦ ସ୍ପର୍ଶ କଲା ନାହିଁ । ମାହୁନ୍ତ ଥରକୁଥର ଅଙ୍କୁଶରେ ତୀବ୍ର ଆଘାତ କରି ଦନ୍ତାବଳଟିକୁ ସେହି ବନ୍ଦୀମାନଙ୍କ ଉପରେ ମଡ଼ାଇଦେବାକୁ ଚେଷ୍ଟା କଲା; ତଥାପି ହସ୍ତୀ କାହାରି ଦେହଉପରେ ପାହୁଣ୍ଡ ନ ପକାଇ ଅତି ଶାନ୍ତଭାବରେ ରାଜପଥ ଅତିକ୍ରମ କରିବାକୁ ଲାଗିଲା ।

 

ଏହି ଅଦ୍ଭୁତ ବ୍ୟାପାର ଦେଖି ରାଜା ସ୍ତମ୍ଭୀଭୂତ ହୋଇଗଲେ । ତାଙ୍କର ଆଦେଶ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ । ଏହା ଦେଖି ରାଜପୁରୋହିତ କହିଲେ :

 

‘‘ମହାରାଜ ! ଏହି ବନ୍ଦୀଗୁଡ଼ିକ ନିର୍ଦ୍ଦୋଷ ବୋଲି ଏବେ ପ୍ରମାଣିତ ହେଲା । ଜଣାଯାଉଛି, ଏମାନଙ୍କ ସହିତ କୌଣସି ମହାପୁରୁଷ ମଧ୍ୟ ଅଛନ୍ତି ।’’

 

ଏତିକିବେଳେ ବନ୍ଦୀଗୁଡ଼ିକ ରାଜାଙ୍କୁ କହିଲେ :

 

‘‘ଧର୍ମାବତାର ! ପ୍ରକୃତରେ ଆମେମାନେ କୌଣସି ଅପରାଧ କରିନାହୁଁ । ଆମମାନଙ୍କ ସଙ୍ଗେ ଜଣେ ମହପୁରୁଷ ମଧ୍ୟ ଅଛନ୍ତି ।’’

 

ଏହା କହିସାରି ସେମାନେ ଅଙ୍ଗୁଳିଦ୍ୱାରା ମଘକୁମାରଙ୍କୁ ଦେଖାଇଦେଲେ । ତହୁଁ ରାଜା ମଘକୁମାରଙ୍କୁ ପଚାରିଲେ :

 

‘‘କହ ଦେଖି, ପ୍ରକୃତରେ କଣ ଏମାନଙ୍କର କାହାରି ଦୋଷ ନାହିଁ ।

 

ଏଥର ମଘକୁମାର ସମସ୍ତ ରହସ୍ୟ ରାଜାଙ୍କ ଆଗରେ ଫିଟାଇଦେଲେ । ସେ କହିଲେ :

 

ମହାରାଜ, ଏଇ ଲୋକଗୁଡ଼ିକ ପ୍ରଥମେ ଖୁବ୍‍ ଦୁର୍ବଳ ଥିଲେ; ମୋର ଉପଦେଶ ଅନୁସାରେ ଦୁଷ୍କର୍ମ ଛାଡ଼ି ଏବେ ସାଧୁ ପାଲଟିଛନ୍ତି । ଏମାନେ ଆଗପରି ଅନ୍ୟାୟ, ଅତ୍ୟାଚାର ନ କରିବାରୁ ଭୌମିକମାନଙ୍କର ଆୟ ବନ୍ଦ ହୋଇଯାଇଛି । କାହାରି ବିରୁଦ୍ଧରେ ଆଉ ମକଦ୍ଦମା ନ ହେବାରୁ ସେମାନଙ୍କ ହାତକୁ କଉଡ଼ିଟିଏ ସୁଦ୍ଧା ଜୋରିମାନା ଯାଉନାହିଁ । ସେଥିପାଇଁ ସ୍ୱାର୍ଥପର ଭୌମିକମାନେ ଭୟଙ୍କର ରାଗିଗଲେ ଏବଂ ଏମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଆପଣଙ୍କ ଦରବାରରେ ଆସି ଅଭିଯୋଗ କଲେ । ଧର୍ମରାଜ ସବୁବେଳେ ସାଧୁ ଓ ନିର୍ଦ୍ଦୋଷମାନଙ୍କର ସହାୟ-। ସେହି ଧର୍ମରାଜ ହସ୍ତୀମଧ୍ୟରେ ପ୍ରବେଶକରି ଆଜି ଏମାନଙ୍କ ଜୀବନ ରକ୍ଷା କରିଛନ୍ତି ।’’

 

ରାଜା ସମସ୍ତ ଘଟନା ବୁଝିପାରି ଭୌମିକମାନଙ୍କୁ ପ୍ରାଣଦଣ୍ଡ ଆଦେଶ ଦେଲେ । ତହୁଁ ମଘକୁମାର କହିଲେ–

 

‘‘ମହାରାଜ ! ଆପଣଙ୍କର ଏ ବିଚାର ଠିକ୍ ହେଲା ନାହିଁ । ଭୌମିକମାନେ ଯେ ଅପରାଧୀ, ଏଥିରେ କୌଣସି ସନ୍ଦେହ ନାହିଁ; କିନ୍ତୁ ମୋ ବିଚାରରେ ସେମାନଙ୍କ ଅପେକ୍ଷା ଆପଣ ବେଶି ଅପରାଧୀ । ଶାସ୍ତ୍ର କହେ, ଯେ ନିଜେ ବଡ଼ ଅପରାଧୀ, ତାର ଅନ୍ୟ ଅପରାଧୀମାନଙ୍କୁ ଦଣ୍ଡ ଦେବାର ଅଧିକାର ନାହିଁ । ଆପଣ ଭୌମିକମାନଙ୍କ ମୁହଁ କଥାକୁ ଅନ୍ଧଭାବରେ ବିଶ୍ୱାସ କରିଗଲେ ଏବଂ ଅଭିଯୋଗର ସତ୍ୟାସତ୍ୟ ବିଷୟରେ କୌଣସି ତଦନ୍ତ ନ କରି ଏତେଗୁଡ଼ିଏ ଲୋକଙ୍କର ପ୍ରାଣ ନେଇଯିବାକୁ ଆଦେଶ ଦେଲେ । ଏଣୁ ଆପଣ ମହାଦୋଷୀ । ଏବେ ଆପଣଙ୍କର ଦଣ୍ଡ କଣ ହେବ, ତାହା ଆଗ ସ୍ଥିର କରନ୍ତୁ । ଧାର୍ମିକ ଲୋକଙ୍କୁ ଧର୍ମରାଜ ରକ୍ଷା କରିବାର ଦେଖି ଭୌମିକମାନେ ନିଜ ନିଜର ଭୁଲ୍‍ ବୁଝିପାରିଛନ୍ତି । ସେମାନେ ଆଜି ଯେଉଁ ଶିକ୍ଷା ପାଇଲେ ଭବିଷ୍ୟତରେ କେବେ ଆଉ ଦୁଷ୍କର୍ମ କରିବେ ନାହିଁ ବୋଲି ମୋର ବିଶ୍ୱାସ ।’’

 

ରାଜାଙ୍କ ହୃଦୟ ପ୍ରବଳ ଅନୁତାପରେ ଦଗ୍‍ଧ ହେଲା । ସେ ସଙ୍ଗେ ସଙ୍ଗେ ଆସନରୁ ଉଠିଆସି ମଘକୁମାରଙ୍କୁ ପ୍ରଣାମ କଲେ ଏବଂ ତାଙ୍କ ପାଦଛୁଇଁ ପ୍ରତିଜ୍ଞା କଲେ :

 

‘‘ଉତ୍ତମ ରୂପେ ତଦନ୍ତ କରି ମୁଁ ନିଜେ ସନ୍ତୁଷ୍ଟ ନ ହେବାପର୍ଯ୍ୟନ୍ତ ଆଜିଠାରୁ କେବେହେଲେ କୌଣସି ଅଭିଯୋଗର ବିଚାର କରିବି ନାହିଁ । ଦୋଷୀଙ୍କୁ କ୍ଷମାଦେଇ ଛାଡ଼ିଦେବି ପଛକେ, ଜଣେହେଲେ ନିର୍ଦ୍ଦୋଷ ଲୋକପ୍ରତି ଆଉ ଶାସ୍ତି ବିଧାନ କରିବି ନାହିଁ ।’’

 

ଏହାପରେ ସେ ବନ୍ଦୀମାନଙ୍କୁ ମୁକ୍ତିଦେଇ କହିଲେ;

 

‘‘ତୁମମାନଙ୍କୁ ଅଯଥା ଦଣ୍ଡ ଦେବାକୁ ଯାଇ ମୁଁ ଯେଉଁ ଘୋର ଅନ୍ୟାୟ କରିଛି, ସେଥିପାଇଁ ତୁମେମାନେ ମତେ କ୍ଷମା ଦିଅ । ଏହି ଅନ୍ୟାୟ ସ୍ମୃତି ସ୍ୱରୂପ ତୁମମାନଙ୍କୁ ଆଉ ରାଜସ୍ୱ ଦେବାକୁ ପଡ଼ିବ ନାହିଁ । ତୁମମାନଙ୍କର ଊତ୍ତରାଧିକାରୀମାନେ ମଧ୍ୟ ଏହି ସୁବିଧା ପାଇବେ ।’’

Image

 

ମହାକପି ଜାତକ

 

ବୋଧିସତ୍ତ୍ୱ ଥରେ କପିଜନ୍ମ ପାଇଥିଲେ । ହିମାଳୟ ପର୍ବତରେ ଏକ ନିବିଡ଼ ବନ୍ୟ ଅଞ୍ଚଳ ତାଙ୍କର ବାସସ୍ଥଳ ଥିଲା । ଅଶୀ ହଜାର ବାନରଙ୍କର ସେ ଥିଲେ ଦଳପତି ।

 

ହିମାଳୟରୁ ଗଙ୍ଗାନଦୀ ବାହାରି ତଳକୁ ବହିଆସିଛି । ଗୋଟିଏ ସ୍ଥାନରେ ଗଙ୍ଗାକୂଳରେ ଆମ୍ୱଗଛଟିଏ ଥିଲା । ତାହା ଏଡ଼େ ପ୍ରକାଣ୍ଡ ଆଉ ଝଙ୍କା ଯେ, କଳ୍ପନା କରିହେବ ନାହିଁ । ତାହା ଛଡ଼ା ତାର ଫଳ ଅମୃତପରି ମିଷ୍ଟ ଓ ମଧୁର । ସେଗୁଡ଼ିକର ଆକାର ଏକ ବିଚିତ୍ର ଧରଣର, ଦେଖିଲେ ଆମ୍ୱଫଳ ବୋଲି ହଠାତ୍‍ ଜଣାଯାଏ ନାହିଁ ।

 

ଆମ୍ୱଗଛର ଗୋଟାଏ ବଡ଼ ଶାଖା ଗଙ୍ଗାନଦୀ ଉପରକୁ ଅନେକ ଦୂରଯାଏ ଝୁଙ୍କିରହିଥାଏ । ଦିନେ ଦଳକଯାକ ବାନର ସେହି ଗଛରେ ଚଢ଼ିଥାନ୍ତି । ଦଳପତି ଝୁଙ୍କିରହିଥବା ଶାଖାଟିକୁ ଦେଖି ବାନରମାନଙ୍କୁ କହିଲେ :

 

‘‘ଏହି ଶାଖାର ପାଚିଲା ଆମ୍ୱସବୁ ନଦୀଗର୍ଭକୁ ପଡ଼ୁଛି । ଏହାଦ୍ୱାରା ଆମର ଅନିଷ୍ଟ ଘଟିବ ବୋଲି ମୋର ଆଶଙ୍କା ହେଉଛି । ତେଣୁ ଏଥର ବଉଳ ଧରିବାମାତ୍ରେ ତୁମେମାନେ ସେ ସବୁକୁ ଛିଣ୍ଡାଇପକାଇବ । ତାହାହେଲେ ଆଉ ବିପଦର କୌଣସି କାରଣ ରହିବ ନାହିଁ ।

 

କପିମାନେ ଦଳପତିଙ୍କର ଆଦେଶ ଅନୁସାରେ ଗଛରେ ବଉଳ ହେବାକ୍ଷଣି ସେଗୁଡ଼ିକ ଛିଣ୍ଡାଇ ଫିଙ୍ଗିଦେଲେ; ମାତ୍ର କେଜାଣି କିପରି ଗୋଟିଏ ଡେମ୍ଫରେ କଷିଟିଏ ରହିଗଲା । ତାହା ଉପରେ କାହାରି ଦୃଷ୍ଟି ପଡ଼ିପାରିଲା ନାହିଁ । ସେହି କଷିଟି ବଡ଼ହୋଇ ପାଚି ଶେଷରେ ଗଙ୍ଗାଗର୍ଭରେ ଝଡ଼ିପଡ଼ିଲା ।

 

ସେହି ସମୟରେ ବାରାଣସୀର ରାଜା ଗଙ୍ଗାରେ ନୌବିହାର କରୁଥିଲେ । ତାଙ୍କ ସାଙ୍ଗରେ ପୁରମହିଳା, ଦାସଦାସୀ, ପ୍ରହରୀ, ଅନୁଚର ପ୍ରଭୃତି ମଧ୍ୟ ଥିଲେ । ଧୀବରମାନଙ୍କ ସହିତ ରାଜା କୌତୂହଳରେ ଜଳମଧ୍ୟକୁ ଜାଲ ନିକ୍ଷେପ କଲାବେଳେ ସେହି ବୃକ୍ଷପତିତ ଆମ୍ରଫଳଟି ସ୍ରୋତରେ ଭାସି ଭାସି ଆସି ଜାଲରେ ଲାଗିଲା । ତାହା ଦେଖି ରାଜା ବିସ୍ମିତ ହୋଇଗଲେ । ସେ ଏଭଳି ବଡ଼ ଫଳ ଆଗରୁ କେବେ ଦେଖି ନ ଥିବାରୁ ଧୀବରମାନଙ୍କୁ ତାର ନାମ ପଚାରିଲେ; କିନ୍ତୁ କେହି ଫଳଟିର ନାମ କହିପାରିଲେ ନାହିଁ ।

 

ବେଳକୁ ବେଳ ଫଳ ବିଷୟରେ ରାଜାଙ୍କର ଆଗ୍ରହ ବଢ଼ିଲା । ସେ ଲୋକ ପଠାଇ ବନଚରମାନଙ୍କୁ ଡକାଇଆଣିଲେ ଏବଂ ଫଳଟିର ନାମ ଜିଜ୍ଞାସା କଲେ । ବନଚରମାନେ ସେହି ସୁସ୍ୱାଦୁ ଫଳଟିର ନାମ ଆମ୍ୱ ବୋଲି କହିଲେ । ତହୁଁ ରାଜା ଉକ୍ତ ଫଳଟିକୁ ଖଣ୍ଡ ଖଣ୍ଡ କରି କାଟିଲେ ଏବଂ ସେଥିରୁ କେତେ ଖଣ୍ଡ ବନଚରମାନଙ୍କୁ ପ୍ରଥମେ ଖାଇବାକୁ ଦେଇସାରି ପରେ ନିଜେ ଖାଇଲେ, ନିଜ ଲୋକଙ୍କୁ ମଧ୍ୟ ଖୁଆଇଲେ । ଫଳଟିର ଦିବ୍ୟରସ ଓ ସ୍ୱାଦରରେ ରାଜା ପରମ ତୃପ୍ତି ହୋଇଗଲେ :

 

‘‘ଏହି ଫଳର ଗଛ କେଉଁଠି, ମତେ ଦେଖାଇପାରିବ ?’’

 

ବନଚରମାନେ ଏବେ ଗଙ୍ଗାର ତୀରେ ତୀରେ ପଥ ଦେଖାଇ ଦେଖାଇ ଚାଲିଲେ । ରାଜାଙ୍କ ତରୀ ସେହିମାନଙ୍କ ପଛେ ପଛେ ଚାଲିଲା । କେତେକ ଦିନପରେ ବନଚରମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହୋଇ ସେହି ଆମ୍ରବୃକ୍ଷଟି ରାଜାଙ୍କୁ ଦେଖାଇଦେଲେ । ତହୁଁ ରାଜା ତରୀରୁ ଓହ୍ଲାଇ ସଦଳବଳରେ ସେହି ବୃକ୍ଷନିକଟକୁ ଗଲେ ଏବଂ ତାହାରି ତଳେ ବିସ୍ତୃତ ଶଯ୍ୟା ପକାଇ ସମସ୍ତେ କିଛି ସମୟ ରହିବାର ବ୍ୟବସ୍ଥା କରାଇଲେ । ରାତ୍ରି ସମାଗତ ହେବାରୁ ଚାରିପାଖରେ ଅଗ୍ନିଜଳାଇ ରଖାଗଲା ଏବଂ ପ୍ରହରୀମାନେ ସ୍ଥାନଟିକୁ ଜଗିରହିଲେ ।

 

କିଛି ସମୟ ପରେ ରାଜା ଓ ଦଳର ସମସ୍ତ ନରନାରୀ ନିଦ୍ରାଭିଭୂତ ହୋଇଗଲେ । ଏହି ଅବସରରେ ମହାକପିଙ୍କ ସହ ତାଙ୍କର ଅଶୀ ହଜାରଯାକ ବାନର ଆମ୍ରବୃକ୍ଷ ଉପରେ ଚଢ଼ି ଶାଖାରୁ ଶାଖାକୁ ଡେଇଁବାକୁ ଲାଗିଲେ । ସେହି ଶବ୍ଦରେ ରାଜାଙ୍କର ନିଦ୍ରା ଭାଜିଗଲା । ସେ ଅନୁଚରମାନଙ୍କୁ ଉଠାଇ ଆଦେଶ ଦେଲେ :

 

‘‘ତୁମ୍ଭେମାନେ ଏଇ ଦୁଷ୍ଟ ବାନର ଦଳକୁ ଜଗିରହ, ଯେପରି ସେମାନେ ପଳାଇ ନ ଯାନ୍ତି-। ପ୍ରଭାତ ହେଲେ ସେମାନଙ୍କର ମାଂସ ରନ୍ଧନ କରିବା’’

 

ଅନୁଚରମାନେ ତୀର, ଧନୁ ଧରି ସଙ୍ଗେ ସଙ୍ଗେ ଆମ୍ୱ ଗଛଟିର ଚତୁର୍ଦ୍ଦିଗରେ ଘେରି ରହିଲେ । ଏହା ଦେଖି ବାନର ଦଳ ବଡ଼ ଭୀତ ହୋଇଗଲେ । ପଳାୟନର କୌଣସି ଉପାୟ ନ ପାଇ ସେମାନେ ଦଳପତିଙ୍କୁ କାତର କଣ୍ଠରେ କହିଲେ :

 

‘‘ଏବେ ମହାସଂକଟ ଆସିଛି । ପଳାଇବାକୁ ଚେଷ୍ଠାକଲେ ରାଜାଙ୍କ ଅନୁଚରମାନେ ଆମମାନଙ୍କୁ ତୀରମାରି ହତ୍ୟା କରିବେ । ପୁଣି ଏହିଠାରେ ରହିଥିଲେ କାଲି ପ୍ରଭାତରେ ଆମେ ସମସ୍ତେ ନିହତ ହେବା । ଏଣୁ ଶୀଘ୍ର କିଛି ଉପାୟ ନ କଲେ ସମସ୍ତଙ୍କର ମୃତ୍ୟୁ ସୁନିଶ୍ଚିତ ।

 

ମହାକପି ବାନରମାନଙ୍କୁ ସାନ୍ୱନା ଦେଇ କହିଲେ :

 

‘‘କିଛି ଚିନ୍ତାକର ନାହିଁ ନିର୍ଭୟରେ କିଛି ସମୟ ଅପେକ୍ଷା କର । ମୁଁ ତୁମମାନଙ୍କ ପ୍ରାଣ ରକ୍ଷାର ବାଟ କରିଦେବି” ।

 

ଏହା କହି ମହାକପି ଟିକିଏ ଚିନ୍ତାକଲେ । ତାପରେ ନଦୀ ଗର୍ଭକୁ ଝୁଙ୍କିଯାଇଥିବା ଶାଖାର ଶେଷ ପ୍ରାନ୍ତପର୍ଯ୍ୟନ୍ତ ଯାଇ ସେହିଠାରୁ ତୀବ୍ର ବେଗରେ ଲମ୍ଫ ଦେଲେ । ମୁହୂର୍ତ୍ତକ ମଧ୍ୟରେ ସେ ଗଙ୍ଗାର ଅପରପାର୍ଶ୍ୱସ୍ଥ ଏକ ଲଟି ଉପରେ ପତିତ ହେଲେ ଏବଂ ସଙ୍ଗେ ସଙ୍ଗେ ନିମ୍ନକୁ ଚାଲିଆସି ଲମ୍ଫର ଦୂରତା ଅନୁମାନ କଲେ । ସେହିଠାରୁ ଆମ୍ରଶାଖାର ଶେଷ ପ୍ରାନ୍ତପର୍ଯ୍ୟନ୍ତ ଶୂନ୍ୟରୁ ବ୍ୟବଧାନକୁ କଳନା କରିସାରିବା ପରେ ସେ ଗୋଟିଏ ବେତ ଲତାରୁ ସେହି ମାପର ବେତଟିଏ ଛିଣ୍ଡାଇ ଆଣିଲେ । ବେତର ବକଳା ପ୍ରସ୍ତଟି ଛଡ଼ାଇଦେଇ ତାହାର ଏକ ପ୍ରାନ୍ତକୁ ନିଜ କଟିରେ ବାନ୍ଧିଲେ ଏବଂ ଅପର ପ୍ରାନ୍ତଟିକୁ ଗୋଟିଏ ଗଛର ଗଣ୍ଡିରେ ବାନ୍ଧିଦେଲେ !

 

ଏଥର ମହାକପି ଆମ୍ରବୃକ୍ଷର ସେହି ଝୁଙ୍କିଆସିଥିବା ଶାଖାକୁ ଲକ୍ଷ୍ୟକରି ତୀରବେଗରେ ପୁଣି ଲମ୍ଫ ଦେଲେ । ନିମିଷକ ମଧ୍ୟରେ ସେ ଗଙ୍ଗାଉପରେ ଶୂନ୍ୟଦେଶ ଲଙ୍ଘିଯାଇ ଉକ୍ତ ଶାଖାକୁ ଜାପଟି ଧରି ରହିଲେ ତାହାପରେ ବାନରମାନଙ୍କୁ କହିଲେ :

 

‘‘ଏବେ ତୁମେମାନେ ଯେତେ ଶୀଘ୍ର ପାର, ଏହି ବେତକୁ ଆଶ୍ରୟ କରି ଗଙ୍ଗାର ଅନ୍ୟ ତୀରକୁ ଚାଲିଯାଅ । ସାବଧାନ, ଅତି ନୀରବ ଭାବରେ ଜଣ ଜଣ ହୋଇ ଆତ୍ମରକ୍ଷା କର । ତୀରଧାରୀମାନେ ଜାଣିପାରିଲେ ସର୍ବନାଶ ଘଟିବ ।’’

 

ଦଳପତିଙ୍କର ଏଭଳି ବିଚକ୍ଷଣ ବୁଦ୍ଧି ଦେଖି ବାନରମାନେ ବିସ୍ମିତ ହୋଇଗଲେ । ବେତ ଧରି ଧରି ସେପାରିକି ଯିବାକୁ ହେଲେ ଦଳପତିଙ୍କ ଦେହକୁ ନ ଡେଇଁ ଉପାୟ ନାହିଁ । ଏହି ଅନୁଚିତ କାର୍ଯ୍ୟପାଇଁ ସେମାନେ ସର୍ବପ୍ରଥମେ ଦଳପତିଙ୍କୁ ପ୍ରଣାମ କରି କ୍ଷମା ମାଗିଲେ ଏବଂ ତତ୍ପରେ ଗୋଟି ଗୋଟି ହୋଇ ତାଙ୍କ ଦେହଉପର ଦେଇ ବେତର ଆଶ୍ରୟରେ ନଦୀର ଅନ୍ୟ ପାର୍ଶ୍ୱକୁ ଚାଲିଗଲେ ।

 

ସେହି ବାନର ଦଳରେ ‘ଦେବଦତ୍ତ’ ନାମରେ ଗୋଟିଏ ବାନର ଥିଲା । ସେ ବୋଧିସତ୍ତ୍ୱଙ୍କର ପ୍ରତ୍ୟେକ ଜନ୍ମରେ ତାଙ୍କ ପଛେ ପଛେ ରହି ରସତା ସାଧନ କରୁଥିଲା । ଏହି କପିଜନ୍ମରେ ମଧ୍ୟ ତା ମନରେ ମହାକପିଙ୍କ ପ୍ରତି ଘୋର ଶତ୍ରୁଭାବ ପୂରିରହିଥିଲା । ଏବେ ସେ ଆମ୍ୱ ଗଛର ସର୍ବୋଚ୍ଚ ଶାଖାରୁ ମହାକପିଙ୍କ ପୃଷ୍ଠଉପରକୁ ଖୁବ୍‍ ଜୋରରେ କୁଦିପଡ଼ିଲା । ସେହି ଆଘାତରେ ମହାକପିଙ୍କର ପୃଷ୍ଠଦେଶଟି ଭାଙ୍ଗିଗଲା । ତଥାପି ସେ ବିରକ୍ତ ନ ହୋଇ ଶାଖାଟିକୁ ସେହିପରି ଜାପଟି ଧରିଲେ ଏବଂ ଦେବଦତ୍ତକୁ ଅନ୍ୟ ତଟକୁ ଚାଲିଯିବା ପାଇଁ ସୁବିଧା କରିଦେଲେ-

 

ବାନର ଦଳର ଏହି ନଦୀ ପାରହେବା କାର୍ଯ୍ୟ ଏତେ ସାବଧାନତାର ସହିତ ହେଲା ଯେ, ତୀରଧାରୀମାନେ ତାହା ଆଦୌ ଜାଣିପାରିଲେ ନାହିଁ । ଏଥିମଧ୍ୟରେ ରାଜାଙ୍କର ନିଦ୍ର ଭାଜିଯାଇଥାଏ । ସେ ଦଳପତିଙ୍କର ଅପୂର୍ବ ସ୍ୱାର୍ଥତ୍ୟାଗ ଓ ସହନଶୀଳତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ମନେ ମନେ ଭାବିଲେ :

 

‘‘ଏ କଦାପି କପି ନୁହନ୍ତି–ନିଶ୍ଚୟ କୌଣସି ମହାପୁରୁଷ କପି ଦେହଧରି ପୃଥିବୀରେ ଅବତୀର୍ଣ୍ଣ ହୋଇଛନ୍ତି; ତା ନ ହୋଇଥିଲେ ବାନରମାନଙ୍କ ପ୍ରାଣରକ୍ଷା ପାଇଁ ସ୍ୱେଚ୍ଛାରେ କଦାପି ଏତେ ଦୁଃଖଯନ୍ତ୍ରଣା ବାରଣ କରି ନ ଥାନ୍ତେ ।’’

 

ରାଜା ଏହି କଥା ଭାବି ଅନୁଚରମାନଙ୍କୁ ଡାକି କହିଲେ :

 

‘‘ତୁମେମାନେ ତୁରନ୍ତ ସେହି ଆହତ କପିଟିକୁ ଏଠାକୁ ଘେନିଆସି ତାହାର ଉପଯୁକ୍ତ ସେବାଶୁଶ୍ରୂଷା କର ।’’

 

ଚାହୁଁ ଚାହୁଁ ଅନୁଚରମାନେ ପୋତଟିକୁ କୂଳରୁ ଫିଟାଇ ଆମ୍ରଶାଖା ତଳର ଗଙ୍ଗାଗର୍ଭକୁ ନେଇଗଲେ ଏବଂ ପୋତରେ ଗୋଟିଏ ଉଚ୍ଚ ମଞ୍ଛା ସ୍ଥାପନ କରି ମହାକପିଙ୍କୁ ତାହା ଉପରକୁ ଓହ୍ଲାଇ ଆଣିଲେ । ତରୀଟି ତଟକୁ ଫେରିଆସିବାମାତ୍ରେ ରାଜା ଧାଇଁଗଲେ । ଅନୁଚରମାନଙ୍କ ସାହାଯ୍ୟରେ ସେ ମହାକପିଙ୍କୁ ଶଯ୍ୟାନିକଟକୁ ଅଣାଇ ତାଙ୍କ ଦେହରେ କୌଷେୟ ବସ୍ତ୍ର ପିନ୍ଧାଇଦେଲେ ଏବଂ ତାଙ୍କୁ କନ୍ଦପଣା ପିଆଇ ଓ ଔଷଧ ଖୁଆଇ ଶଯ୍ୟାରେ ଶୁଆଇଦେଲେ । ସଙ୍ଗେ ସଙ୍ଗେ ଦାସଦାସୀମାନେ ରାଜାଙ୍କ ନିର୍ଦ୍ଦେଶରେ ମହାକପିଙ୍କ ପିଠିରେ ସହସ୍ରପାକ ତୈଳ ମାଲିସ କରିବାରେ ଲାଗିଗଲେ ।

 

ଏବେ ରାଜା ନିମ୍ନ ଆସନରେ ବସି ମହାକପିଙ୍କକର ଯୋଡ଼ି ନିବେଦନ କଲେ :

 

‘‘ହେ କପିରୂପୀ ମହାପୁରୁଷ ! ଆପଣଙ୍କର ସେବାକରି ମୋର ଜୀବନ ଆଜି ଧନ୍ୟ ହେଇଛି । ମତେ ଏବେ କିଛି ଉପଦେଶ ଦିଅନ୍ତୁ ।’’

 

ରାଜାଙ୍କ ସେବା ଯତ୍ନରେ ମହାକପି ସନ୍ତୁଷ୍ଟ ହେଲେ ଏବଂ ଦୟା, ଅହିଂସା, ଦାନ ପ୍ରଭୃତି ବିଷୟରେ ଧର୍ମୋପଦେଶ ଦେଉ ଦେଉ ଶେଷ ନିଶ୍ୱାସ ତ୍ୟାଗ କଲେ । ରାଜା ବିଳମ୍ୱ ନ କରି ଚିତାର ଆୟୋଜନ କରାଇଲେ ଏବଂ ମହକପିଙ୍କ ପୁଣ୍ୟଦେହକୁ ନେଇ ତାହା ଉପରେ ରଖାଇଲେ-। ମହିଳାମାନେ ରକ୍ତ ବସ୍ତ୍ର ପିନ୍ଧି ଶବର ଚତୁର୍ଦ୍ଦିଗରେ ପ୍ରଦକ୍ଷିଣ କଲେ । ଶେଷରେ ଚିତାରେ ଅଗ୍ନି ଲଗାଇଲା । ଅତି ଅଳ୍ପ ସମୟ ମଧ୍ୟରେ ମହାକପିଙ୍କ ପିଣ୍ଡଟି ପୋଡ଼ିଯାଇ ଭସ୍ମରେ ପରିଣତ ହେଲା-

 

ରାଜା ସେହି ସ୍ଥାନରେ ଗୋଟିଏ ଚୈତ୍ୟ ନିର୍ମାଣ କରାଇ ତା ମଧ୍ୟରେ ମହାକପିଙ୍କ ଭସ୍ମ ଓ ଅସ୍ଥି ରଖାଇଲେ । ତତ୍ପରେ ତାଙ୍କ କପାଳର ଅସ୍ଥିଟି ଘେନି ବାରଣାସୀକୁ ଫେରିଆସିଲେ । ସେ ସେହି ଅସ୍ଥିଟିକୁ ସୁନାରେ ଛାଆଣି କରାଇ ତାହାର ପୂଜା କଲେ । ସମଗ୍ର ନଗରୀରେ ଏଥିପାଇଁ ସାତଦିନ ପର୍ଯ୍ୟନ୍ତ ସାଜସଜ୍ଜା ଓ ଉତ୍ସବ ଲାଗିରହିଲା । ପରେ ରାଜା ଏହି କପାଳଅସ୍ଥି ପୂଜାପାଇଁ ଏକ ପ୍ରକାଣ୍ଡ ଚୈତ୍ୟ ନିର୍ମାଣ କରାଇଲେ ଏବଂ ନିଜେ ବଞ୍ଚିଥିବାଯାଏ ପ୍ରତ୍ୟେହ ସେଠାରେ ପୂଜାଦି କରି ମହାକପିଙ୍କ ଉପଦେଶ ଅନୁସାରେ ନାନା ଦାନ ଧର୍ମ କରିବାକୁ ଲାଗିଲେ ।

Image

 

ବେଦବ୍‍ଭ ଜାତକ

 

ସ୍ୱର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ବୈଦୁର୍ଯ୍ୟ, ହୀରକ, ପ୍ରବାଳ–ଏହି ସାତୋଟିକୁ ‘ସପ୍ତରତ୍ନ’ ବୋଲାଯାଏ । ‘ଦେବବ୍‍ଭ’ ବୋଲି ଗୋଟିଏ ମନ୍ତ୍ର ଅଛି । ଏହି ମନ୍ତ୍ରର ଅଦ୍ଭୁତ ଶକ୍ତି । ତିଥି ନକ୍ଷତ୍ରର ଯୋଗ ଅନୁସାରେ ମହାଶୂନ୍ୟକୁ ଚାହିଁ ନିଶୀଥରେ; ବେଦବ୍‍ଭ ମନ୍ତ୍ର ଆବୃତ୍ତି କଲେ, ଆକାଶରୁ ଝର୍‍ଝର୍‍ ହୋଇ ସପ୍ତରତ୍ନ ଖସିପଡ଼େ । ପୂର୍ବକାଳରେ ଜଣେ ବ୍ରାହ୍ମଣ ଏହି ମନ୍ତ୍ର ଜାଣିଥିଲେ ଏବଂ ତାହାରି ଯୋଗେ ଆକାଶରୁ ସପ୍ତରତ୍ନ ଝରାଇ ପାରୁଥିଲେ ।

 

ବୋଧିସତ୍ତ୍ୱ ସେହି ସମୟରେ କାଶୀରେ ଜନ୍ମିଥାନ୍ତି । ସେ ବ୍ରାହ୍ମଣଙ୍କର ବିଚିତ୍ର ମନ୍ତ୍ରଶକ୍ତି କଥା ଶୁଣି ତାଙ୍କ ପାଖକୁ ଗଲେ ଏବଂ ତାଙ୍କର ଶିଷ୍ୟ ହୋଇ ରହିଲେ । ଥରେ ସେହି ମନ୍ତ୍ରଜ୍ଞ ବ୍ରାହ୍ମଣ ବୋଧିସତ୍ତ୍ୱଙ୍କୁ ସାଙ୍ଗରେ ଘେନି ‘ଚେତୀୟ’ ରାଜ୍ୟକୁ ଯାଉଥିଲେ, ପଥ ମଧ୍ୟରେ ‘ପ୍ରେଷଣକ’ ନାମରେ ଏକ ଦସ୍ୟୁ ଦଳର ହାବୁଡ଼ରେ ପଡ଼ିଗଲେ । ଦସ୍ୟୁ ଦଳଟିରେ ପାଞ୍ଚଶହ ଲୋକ ଥିଲେ । ସେମାନେ ଗୁରୁ, ଶିଷ୍ୟ ଉଭୟଙ୍କୁ ବନ୍ଦୀକରି ରଖିଲେ ।

 

ପ୍ରେଷଣଙ୍କ ଦସ୍ୟୁ ଦଳର ଗୋଟିଏ ନିୟମ ଥିଲା । ସେମାନେ ଯଦି ଦୁଇଜଣ ବାଟୋଇଙ୍କୁ ପାଆନ୍ତି, ତାହାହେଲେ ଜଣକୁ ବାନ୍ଧି ରଖନ୍ତି ଏବଂ ଅନ୍ୟ ଜଣକୁ ‘ମୁକ୍ତିମୂଲ୍ୟ’ ଆଣିବାପାଇଁ ପଠାଇ ଦିଅନ୍ତି । ଦ୍ୱିତୀୟ ଜଣକ ଅର୍ଥ ସଂଗ୍ରହ କରି ଫେରିଆସି ଦସ୍ୟୁସର୍ଦ୍ଦାରକୁ ଦେଲେ ପ୍ରଥମ ଜଣକ ମୁକ୍ତି ପାଏ । ଏହି ନିୟମ ଅନୁସାରେ ଦସ୍ୟୁ ଦଳ ମନ୍ତ୍ରଜ୍ଞ ବ୍ରାହ୍ମଣଙ୍କୁ ଅଟକାଇ ରଖିଲେ ଏବଂ ବୋଧିସତ୍ତ୍ୱଙ୍କୁ ମୁକ୍ତିମୂଲ୍ୟ ଆଣିବାଲାଗି ଛାଡ଼ିଦେଲେ । ବୋଧିସତ୍ତ୍ୱ ଯିବାବେଳେ ଗୁରୁଙ୍କୁ କହିଲେ :

 

‘‘ମୁଁ ଗୃହକୁ ଯାଉଛି, ପ୍ରୟୋଜନୀୟ ଅର୍ଥ ଆଣି ଦୁଇ ତିନିଦିନ ମଧ୍ୟରେ ଫେରିଆସିବି ଏବଂ ସର୍ଦ୍ଦାରଙ୍କୁ ତାହା ମୁକ୍ତିମୂଲ୍ୟ ରୂପେ ଦେଇ ଆପଣଙ୍କୁ ବନ୍ଧନରୁ ମୁକ୍ତ କରାଇବି । ଗୁରୁଦେବ, ଆଉ ଗୋଟିଏ କଥା କହିଯାଉଛି । ଆଜି ରତ୍ନବର୍ଷଣର ଯୋଗ ଅଛି, ମାତ୍ର ଆପଣ କଦାପି ରତ୍ନବର୍ଷଣ କରାଇବେ ନାହିଁ । ମନେ ରଖିଥାନ୍ତୁ, ଯଦି ଆଜି ତାହା କରାନ୍ତି, ତାହାହେଲେ ଆପଣ ଓ ଦସ୍ୟୁ ଦଳ, କାହାରି ଜୀବନ ରହିବ ନାହିଁ ।’’

 

ଦିନ ଯାଇ ସଂନ୍ଧ୍ୟା ସମାଗତ ହେଲା । ପୂର୍ଣ୍ଣଚନ୍ଦ୍ର ପୂର୍ବାକାଶରେ ଉଠିସାରି ପୃଥିବୀକୁ ବିମଳ ରଜତ ଜୋସ୍ନାରେ ପ୍ଲାବିତ କରିବାକୁ ବସିଲା । ଏହି ସମୟରେ ବ୍ରାହ୍ମଣ ମନେ ମନେ ଭାବିଲେ :

 

ଆଜି ଯେତେବେଳେ ରତ୍ନବର୍ଷଣର ଯୋଗ ଅଛି, ଏ ସୁବିଧା ଛାଡ଼ିବି କାହିଁକି ? ଶିଷ୍ୟ କହିଗଲା, ଆଜି ରତ୍ନ ବର୍ଷଣ କରାଇଲେ ଆମ ସମସ୍ତଙ୍କ ଜୀବନଉପରକୁ ବିପତ୍ତି ଆସିବ । ମୁଁ ସିନା ଏଠାରେ ବନ୍ଦୀହୋଇ ରହିଥିଲେ ମୃତ୍ୟୁସଙ୍କଟର ସମ୍ମୁଖୀନ ହେବି; ଯଦି ଚାଲିଯାଏଁ, ତାହାହେଲେ ତ ବଳେ ବଳେ ବିପଦର ଖଣ୍ଡନ ହୋଇଯିବ । ଦସ୍ୟୁମାନଙ୍କୁ ମୁକ୍ତିମୂଲ୍ୟଠାରୁ ଲକ୍ଷ୍ୟଗୁଣ ଅଧିକ ମୂଲ୍ୟର ରତ୍ନ ଦେଇଦେଲେ ସେମାନେ ମତେ ଆନନ୍ଦରେ ଛାଡ଼ିଦେବେ । ଏହା ନ କରି ଅଯଥା କାହିଁକି ଏଠାରେ ଦୁଇ ତିନିଦିନ ପର୍ଯ୍ୟନ୍ତ ବନ୍ଦୀ ଅବସ୍ଥାରେ ପଡ଼ିରହିଥିବି !’’

 

ଏହିପରି ବିଚାର ମନ୍ତ୍ରଜ୍ଞ ବ୍ରାହ୍ମଣ ଦସ୍ୟୁଦଳର ସର୍ଦ୍ଦାରଙ୍କୁ କହିଲା :

 

‘‘ସର୍ଦ୍ଦାର ! ତୁମେ ଅର୍ଥ ପାଇବାପାଇଁ ମତେ ବାନ୍ଧି ରଖିଛ । ମୁଁ ଆଜି ନିଶାର୍ଦ୍ଧରେ ମନ୍ତ୍ର ପଢ଼ି ଅଜସ୍ର ରତ୍ନ ଶୂନ୍ୟରୁ ବର୍ଷଣ କରାଇବି । ତୁମେ ମନଇଚ୍ଛା ରତ୍ନ ନେଇପାର । ତେଣୁ ମତେ ବର୍ତ୍ତମାନ ବନ୍ଧନରୁ ମୁକୁଳାଇଦିଅ ଏବଂ ସ୍ନାନ କରାଇ ନବବସ୍ତ୍ର ପିନ୍ଧାଅ । ମୁଁ ନିକଟବର୍ତ୍ତୀ ଏକ ନିର୍ଜନ ସ୍ଥାନକୁ ଯାଇ ଶୁଦ୍ଧ ମନରେ ମନ୍ତ୍ର ପାଠ କରିବି ।’’

ରତ୍ନଲୋଭରେ ସର୍ଦ୍ଦାର ଓ ସମସ୍ତ ଦସ୍ୟୁ ଏହି ପ୍ରସ୍ତାବରେ ଆନନ୍ଦରେ ସମ୍ମତ ହେଲେ ଏବଂ ବ୍ରାହ୍ମଣଙ୍କୁ ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇଦେଲେ । କ୍ରମେ ଚନ୍ଦ୍ର ଆକାଶରେ ଊର୍ଦ୍ଧ୍ୱଦେଶକୁ ଉଠିଲା । ଚତୁର୍ଦ୍ଦିଗ ପୂର୍ବାପେକ୍ଷା ଆହୁରି ଉଜ୍ଜ୍ୱଳ ଦେଖାଗଲା । ଠିକ୍‍ ଅର୍ଦ୍ଧରାତ୍ର ସମୟରେ ବ୍ରାହ୍ମଣ ଆକାଶକୁ ଚାହିଁ ବେଦବ୍‍ଭ ମନ୍ତ୍ର ଉଚ୍ଚାରଣ କଲେ । ଚାହୁଁ ଚାହୁଁ ଶୂନ୍ୟରୁ ପ୍ରଚୁର ସପ୍ତରତ୍ନ ବୃଷ୍ଟି ହେବାକୁ ଲାଗିଲା । ଦସ୍ୟୁମାନେ ଅବାକ୍‍ ହୋଇ ଊର୍ଦ୍ଧ୍ୱକୁ ଚାହିଁ ରହିଥାନ୍ତି । ମନ୍ତ୍ରପାଠ ଶେଷ ହେଲାବେଳକୁ ରାଶି ରାଶି ବିଭିନ୍ନ ରତ୍ନରେ ଭୂତଳ ପରିପୂର୍ଣ୍ଣ ହୋଇଗଲା । ଦସ୍ୟୁ ଦଳ ସମସ୍ତ ରତ୍ନ ବାନ୍ଧି ତମ୍ୱୁ ଭିତରକୁ ଘେନିଗଲେ । ବ୍ରାହ୍ମଣ ସେମାନଙ୍କର ପଥ ଅନୁସରଣ କଲେ ।

ଠିକ୍‍ ସେତିକିବେଳେ ପାଞ୍ଚଶହ ଦସ୍ୟୁବିଶିଷ୍ଟ ଆଉ ଗୋଟିଏ ଦସ୍ୟୁଦଳ ସେହି ବାଟଦେଇ ଆସୁଥିଲେ । ସେମାନେ ପ୍ରେଷଣକ ଦଳଉପରେ ଆକ୍ରମଣ ଆରମ୍ଭକରି ସେମାନଙ୍କ ନିକଟରେ ଗଚ୍ଛିତ ଥିବା ସମସ୍ତ ଧରରତ୍ନ ଲୁଣ୍ଠନ କରିନେବାକୁ ବାହାରିଲେ । ତାହା ଦେଖି ପ୍ରେଷଣକ ଦଳପତି ମନ୍ତ୍ରଜ୍ଞ ବ୍ରାହ୍ମଣଙ୍କୁ ଦେଖାଇଦେଇ ଆକ୍ରମଣକାରୀମାନଙ୍କୁ କହିଲା :

‘‘ଏହି ବ୍ରାହ୍ମଣ ଊର୍ଦ୍ଧ୍ୱକୁ ଚାହିଁ ମନ୍ତ୍ର ଉଚ୍ଚାରଣ କଲେ ଆକାଶରୁ ଜଳଧାରା ପରି ସପ୍ତରତ୍ନ ବୃଷ୍ଟି ହୁଏ । ତୁମେମାନେ ତ ଧନରତ୍ନ ନେବାକୁ ଆସିଛ; ତେଣୁ ବ୍ରାହ୍ମଣକୁ ନେଇ ତାରି ସାହାର୍ଯ୍ୟରେ ଅକଳନ୍ତି ରତ୍ନ ଆହରଣ କର । ଆମମାନଙ୍କୁ ବୃଥା ଆକ୍ରମଣ କରି କି ଲାଭ ?’’

ଦ୍ୱିତୀୟ ଦସ୍ୟୁ ଦଳ ବ୍ରାହ୍ମଣଙ୍କୁ ଧରିଆଣି କହିଲେ–

‘‘ଶୀଘ୍ର ମନ୍ତ୍ରପଢ଼ି ଆମକୁ ସପ୍ତରତ୍ନ ଦିଅ ।’’

ଏହା ଶୁଣି ବ୍ରାହ୍ମଣ ଉତ୍ତର ଦେଲେ :

‘‘ବର୍ତ୍ତମାନ ମୁଁ ମନ୍ତ୍ରପାଠକରି ଏହି ପ୍ରେଷଣକ ଦସ୍ୟୁମାନଙ୍କ ଅଗଣିତ ସପ୍ତରତ୍ନ ଦାନ କରିଛି । ନିଶାର୍ଦ୍ଧ ଗଡ଼ିଗଲାଣି, ତେଣୁ ରତ୍ନବର୍ଷଣର ଯୋଗକାଳ ମଧ୍ୟ ଚାଲିଗଲାଣି । ପୁଣି ଯାଇ ବର୍ଷକ ପରେ ଯୋଗ ପଡ଼ିବ । ସେପର୍ଯ୍ୟନ୍ତ ଅପେକ୍ଷା କଲେ ମୁଁ ମନ୍ତ୍ର ପଢ଼ି ତୁମମାନଙ୍କୁ ଅଜସ୍ର ରତ୍ନ ଦେଇପାରିବି ।’’

ଦ୍ୱିତୀୟ ଦସ୍ୟୁ ଦଳ ଦୀର୍ଘ ବର୍ଷେକାଳ ଅପେକ୍ଷା କରିବାକୁ ଆଦୌ ରାଜିହେଲେ ନାହିଁ । ସେମାନେ ଭାବିଲେ, ବ୍ରାହ୍ମଣ ନିଶ୍ଚୟ ସେମାନଙ୍କ ସହିତ କପଟତା ଆଚରଣ କରୁଛନ୍ତି । ସେମାନଙ୍କୁ ରତ୍ନ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ଏହା ଭାବି ସେମାନେ ବ୍ରାହ୍ମଣଙ୍କୁ ସଙ୍ଗେ ସଙ୍ଗେ ହତ୍ୟା କରିଦେଲେ ଏବଂ ତତ୍ପରେ ପ୍ରେଷଣକ ଦଳର ପାଞ୍ଚଶହ ଦସ୍ୟୁଙ୍କୁ ମଧ୍ୟ ହତ୍ୟାକରି ସେମାନଙ୍କର ସକଳ ଧନରତ୍ନ ନେଇଗଲେ ।

ଏତେ ମୂଲ୍ୟବାନ୍ ରତ୍ନ ଏକାବେଳେ ପାଇବା ସେମାନଙ୍କ ଦସ୍ୟୁଜୀବନରେ ସ୍ୱପ୍ନପରି ଥିଲା । ଏବେ ସେଗୁଡ଼ିକର ଭାଗବଣ୍ଟା ହେବାବେଳେ ଭୀଷଣ ଗୋଳମାଳ ଆରମ୍ଭ ହେଲା । ସେହି ଗୋଳମାଳ କ୍ରମଶଃ ବଢ଼ି ଶେଷରେ ପିଟାପିଟି, ମରାମରି ପର୍ଯ୍ୟନ୍ତ ଗଲା । ଦଳର ପାଞ୍ଚଶହ ଦସ୍ୟୁ ଦୁଇଭାଗ ହୋଇଯାଇ ପରସ୍ପର ମଧ୍ୟରେ ହଣାକଟା ହେବାକୁ ଲାଗିଲେ । ତାହାରି ଫଳରେ କେବଳ ଦୁଇଜଣଙ୍କ ଛଡ଼ା ଆଉ ସମସ୍ତେ ମରିଗଲେ ।

ଯେଉଁ ଦୁଇଟି ଦସ୍ୟୁ ଅବଶିଷ୍ଟ ରହିଲେ, ସେଦୁହେଁ ସବୁଯାକ ଧନରତ୍ନ ଠୁଳାଇ ଗୋଟିଏ ନିର୍ଜନ ଜାଗାରେ ନେଇ ଲୁଚାଇରଖିଲେ । ତାଙ୍କ ମଧ୍ୟରୁ ଜଣେ ସେଠାରେ ଜଗି ରହିଲା ଏବଂ ଅନ୍ୟ ଜଣକ ଆହାର ଯୋଗାଡ଼ କରିବାପାଇଁ ନିକଟବର୍ତ୍ତୀ ଜନପଦକୁ ଗଲା ।

 

ଜଗୁଆଳ ଦସ୍ୟୁଟି ଏଣେ ଏକୁଟିଆ ବସି ମନେ ମନେ ଭାବିଲା :

 

‘‘ମୁଁ ନିଜେ ସବୁଯାକ ଧନରତ୍ନ ଭୋଗ ନ କରି କାହିଁକି ତାକୁ ଅଧା ଭାଗ ଦେବି ? ସେ ତ ଅସ୍ତ୍ରଶସ୍ତ୍ର କିଛି ନ ନେଇ ଖାଲିହାତରେ ଯାଇଛି । ଯେତେବେଳେ ଖାଦ୍ୟ ନେଇ ଫେରିବ, ଠିକ୍‍ ସେତିକିବେଳେ ମୁଁ ଯେବେ ତାକୁ ହାଣି ମାରିଦେବି, ତାହାହେଲେ ମୋର କଣ୍ଟା ଯିବ । ତେଣିକି ସବୁ ସଂପଦ ମୋର ହୋଇଯିବ ।’’

 

ଏହା ସ୍ଥିରକରି ଜଗୁଆଳ ଦସ୍ୟୁଜଣକ ନିଜ ଖଣ୍ଡାକୁ ପଜେଇ ଧାର କରିନେଲା ଏବଂ ସଜବାଜ ହୋଇ ଅନ୍ୟ ଦସ୍ୟୁଟିର ଫେରିଆସିବାକୁ ଅପେକ୍ଷା କରି ରହିଲା ।

 

ତେଣେ ଆହାର ସଂଗ୍ରହ କରିବାକୁ ଯାଇଥିବା ଦସ୍ୟୁଟି ଫେରିବାବେଳେ ବାଟରେ ଭାବିବାକୁ ଲାଗିଲା :

 

‘‘ମୁଁ ଏତେ ପରିଶ୍ରମ କରି ଜନପଦକୁ ଦୌଡ଼ି ଖାଦ୍ୟ ସଂଗ୍ରହ କରିବି, ଆଉ ସେ କେବଳ ଜଗିବସି ଧନରତ୍ନରୁ ଅଧେ ଭାଗ ନେବ ? ନା, କଦାପି ମୁଁ ଏହା କରାଇଦେବି ନାହିଁ । ତାର ଖାଦ୍ୟରେ ଯଦି ବିଷ ଗୋଳାଇଦେବି, ତାହାହେଲେ ସେ ତାହା ଖାଇ ସଙ୍ଗେ ସଙ୍ଗେ ମରିଯିବ । ତେଣିକି ମୁଁ ଅନାୟାସରେ ସମସ୍ତ ଧନର ମାଲିକ ହୋଇପାରିବି ।

 

ଏହିପରି ଭାବି ସେ ଖାଦ୍ୟରୁ ଗୋଟିଏ ଅଂଶ କାଢ଼ିନେଇ ନିଜେ ଖାଇଦେଲା ଏବଂ ବଳକା ଖାଦ୍ୟରେ ବିଷ ମିଶାଇ ସାଥୀ ପାଖକୁ ଗଲା । ଜଗୁଆଳ ଦସ୍ୟୁ ତାକୁ ଦେଖିବାମାତ୍ରେ ଅତି ଅତର୍କିତ ଭାବରେ ଖଣ୍ଡାରେ ତା ବେକରେ ଚୋଟେ ପକାଇଲା । ମୁହୂର୍ତ୍ତକ ମଧ୍ୟରେ ବିଚରାଟି ଦୁଇଗଡ଼ ହୋଇ ତଳେ ପଡ଼ିଗଲା ।

 

ଆନନ୍ଦରେ ଉତ୍‍ଫୁଲ୍ଲ ହୋଇ ବିଜୟୀ ଦସ୍ୟୁଟି ଆହାର ଖାଇବସିଲା । ସେତେବେଳକୁ ସେ ଅତ୍ୟନ୍ତ କ୍ଷୁଧାର୍ତ୍ତ ହୋଇଉଠିଥାଏ; ତେଣୁ ଖୁବ୍‍ ଅଳ୍ପ ସମୟ ମଧ୍ୟରେ ସମସ୍ତ ଆହାର ଖାଇଦେଇ ନିଃଶେଷ କରିଦେଲା । ଖାଦ୍ୟରେ ମିଶିଥିବା ଉତ୍କଟ ବିଷ ତା ଦେହର ସର୍ବାଙ୍ଗରେ ଚରିଗଲା ଏବଂ ଚାହୁଁ ଚାହୁଁ ସେ ଛଟପଟ ହୋଇ ପ୍ରାଣତ୍ୟାଗ କଲା । ଏହିରୂପେ ଜଣେ ଅନ୍ୟ ଜଣକୁ ମାରିବାପାଇଁ ଷଡ଼୍‍ଯନ୍ତ୍ର କରିବାକୁ ଯାଇ ଶେଷରେ ଉଭୟେ ଜୀବନ ହରାଇଲେ ।

 

ବୋଧିସତ୍ତ୍ୱ ଇତିମଧ୍ୟରେ ପ୍ରୟୋଜନୀୟ ଅର୍ଥ ଗୃହରୁ ଆଣି ମୁକ୍ତିମୂଲ୍ୟ ଦେବା ଉଦ୍ଦେଶ୍ୟରେ ପ୍ରେଷଣକ ଦସ୍ୟୁ ଦଳର ତମ୍ୱୁନିକଟକୁ ଆସିଲେ । ସେଠାରେ ସେମାନଙ୍କର ଶବଦେହ ସହିତ ଗୁରୁଙ୍କ ଶବଦେହ ମଧ୍ୟ ପଡ଼ିଥିବାର ଦେଖି ସେ ସମସ୍ତ ଘଟନା ବେଶ୍‍ ବୁଝିପାରିଲେ । ଗୁରୁଙ୍କ ଅପରିଣାମଦର୍ଶିତା ପାଇଁ ବୋଧିସତ୍ତ୍ୱ ବଡ଼ ବ୍ୟଥିତ କଲେ । ତାହାପରେ ସେ ଫେରି ଆସୁ ଆସୁ ବାଟରେ ଦୁଇଟି ଦସ୍ୟୁଙ୍କର ମୃତଦେହ ଦେଖିବାକୁ ପାଇଲେ । ତାଙ୍କରି ପାଖରେ ସମସ୍ତ ସପ୍ତରତ୍ନ ଓ ଅନ୍ୟାନ୍ୟ ଧନ ପଡ଼ି ରହିଥବାର ମଧ୍ୟ ଦେଖିଲେ । ଦସ୍ୟୁମାନଙ୍କର ପରସ୍ପର ମଧ୍ୟରେ ହଣାକଟା ହୋଇ ମରିଥିବା କଥା ଜାଣି ସେ ଭାବିଲେ :

 

‘‘ଧନଲୋଭରେ ଅନ୍ଧ ହୋଇ କେବଳ ନିଜର ସ୍ୱାର୍ଥସିଦ୍ଧି କଥା ଭାବିଲେ ମଣିଷମାନେ ଏହିପରି ଅପରର ସର୍ବନାଶ କରନ୍ତି ଏବଂ ତା ସଙ୍ଗେ ସଙ୍ଗେ ନିଜର ମଧ୍ୟ ସର୍ବନାଶ ଘଟାନ୍ତି ।’’

 

ତାହାପରେ ବୋଧିସତ୍ତ୍ୱ ଧନରତ୍ନଗୁଡ଼ିକ ସେଠାରୁ ନେଇ ସ୍ୱଗୃହକୁ ଗଲେ । ସେଥିରୁ ଗୋଟିଏ ହେଲେ ସେ ନିଜ କାର୍ଯ୍ୟରେ ଖର୍ଚ୍ଚ ନ କରି ସମସ୍ତ ଦାନ ଓ ବିତରଣ କଲେ, ପୁଣି ବହୁ ସତ୍‍କାର୍ଯ୍ୟରେ ଲଗାଇଲେ ।

Image

 

ଧର୍ମ ଜାତକ

 

ପିତାମାତାଙ୍କୁ ଭକ୍ତି ଓ ସେବା କରିବା ପୁତ୍ରର କର୍ତ୍ତବ୍ୟ । ସେହିପରି ଶାଶୁ ଶଶୁରଙ୍କୁ ବୋହୂର ମଧ୍ୟ ସେବାଭକ୍ତି କରିବା ପ୍ରଧାନ କାର୍ଯ୍ୟ । କିନ୍ତୁ ଅଧିକାଂଶ ପରିବାରରେ ଊଣାଅଧିକେ ଏହାର ବ୍ୟତିକ୍ରମ ଲକ୍ଷିତ ହୁଏ । ବୋହୂ ଆସି ସାଧାରଣତଃ ଘରର ଶାନ୍ତିଭଙ୍ଗ ଘଟାଏ ।

 

ଆଜିକାଲି ଏପ୍ରକାର ଘଟଣା ବହୁତ ଦେଖାଯାଉଛି । ଆଗକାଳରେ ମଧ୍ୟ ଏହିପରି ଘଟନା ଘଟୁଥିଲା । ହିଂସିକିଆଣୀ ବୋହୂମାନଙ୍କ ଯୋଗୁଁ ଅନେକ ଘରେ ଅଶାନ୍ତି ଘୋଟିଯାଉଥିଲା । ଏପରି ଘରଭାଙ୍ଗୀ ବୋହୂସବୁ ବାପାମାଆଙ୍କ ସହିତ ପୁଅର ଅମେଳ କରାଇଦେଇ ନିଜ ନିଜ ସ୍ୱାମୀକୁ ପୂରା ଅକ୍ତିଆର କରିନିଅନ୍ତି । ଫଳରେ ପୁଅର ମନ ପିତାମାତଙ୍କ ପ୍ରତି ତିକ୍ତ ହୋଇଉଠେ । ସେ ସ୍ତ୍ରୀର ଖଚକଥାକୁ ସତ ବୁଝି ପିତାମାତାଙ୍କୁ ଅବହେଳା କରେ ଏବଂ ସେବାଧର୍ମ ପୂରାପୂରି ଭୁଲିଯାଏ । ଭଗବାନ ବୁଦ୍ଧ ଏଭଳି କୁପ୍ରକୃତିର ବୋହୂମାନଙ୍କୁ ଭଲ ବାଟକୁ ଆଣିବାପାଇଁ ଏବଂ ଶାଶୁଶଶୁରଙ୍କ ପ୍ରତି ସେମାନଙ୍କ ମନରେ ସେବାଭାବ ଜନ୍ମାଇବା ପାଇଁ ଅନେକ ସମୟରେ ଉପଦେଶ ଦେଉଥିଲେ ।

 

ଗୋଟିଏ ଜନ୍ମରେ ବୋଧିସତ୍ତ୍ୱ ନିଜର କର୍ମଫଳ ଗୁଣରେ ସ୍ୱର୍ଗକୁ ଗଲେ । ସେଠାରେ ସେ ଧର୍ମଦେବତା ହୋଇ ରହିଲେ । ସେହି ସମୟରେ କାଶୀରେ ଏକ କ୍ଷୁଦ୍ର ବ୍ରାହ୍ମଣ ପରିବାର ଥିଲା-। ବୁଢ଼ା, ବୁଢ଼ୀ ଓ ତାଙ୍କର ପୁଅଟିଏ । ବୁଢ଼ା ଜରାଗ୍ରସ୍ତ ହୋଇ ପ୍ରାଣତ୍ୟାଗ କଲା । ଯୁବକ ପୁତ୍ରଟି ତାର ପିତାଙ୍କୁ ସାକ୍ଷାତ୍‍ ଦେବତା ପରି ଏବଂ ବୃଦ୍ଧା ମାତାଙ୍କୁ ଦେବୀ ପରି ଭକ୍ତି ଓ ପୂଜା କରୁଥିଲା । ପିତୃ ବିୟୋଗ ପରେ ମାତା ପ୍ରତି ଯୁବକର ଭକ୍ତି ଦ୍ୱିଗୁଣିତ ହୋଇଗଲା । ସେ ମାତାଙ୍କୁ ସେବାଶୁଶ୍ରୂଷା କରି ମନରେ ଅସୀମ ସନ୍ତୋଷ ପାଇବାକୁ ଲାଗିଲା ।

ଏଭଳି ଗୁଣବାନ୍‍ ପୁଅଟିଏ ପାଇ ବୁଢ଼ୀ ପ୍ରକୃତରେ ବୈଧବ୍ୟ ଦୁଃଖ ଭୁଲିଗଲା ଏବଂ ଖୁବ୍‍ ସୁଖରେ କାଳ ଯାପନ କଲା । ସେତେବେଳକୁ ପୁଅର ବିବାହ ବୟସ ହୋଇଯାଇଥାଏ; ତେଣୁ ତାର ବିବାହିତ ଜୀବନ ଦେଖିବାପାଇଁ ଅଥୟ ହୋଇପଡ଼େ ବୁଢ଼ୀ ଦିନେ ତାକୁ ଡାକି କହିଲା :

‘‘ବାପା ! ଏବେ ତୁ ସତ୍‍କୁଳରୁ କନ୍ୟାଟିଏ ବାଛି ବିବାହ କର । ବୋହୂଟିଏ ଘରକୁ ଆସିଲେ ସେ ମୋର ସେବାଧର୍ମ କରିବ, ଘରକାମ ମଧ୍ୟ ବୁଝିବ । ତାହାହେଲେ ତୁ ବାହାର କାମ କରିବାକୁ ଅବସର ପାଇବୁ ।’’

ମାତୃଭକ୍ତ ଯୁବକ ଏଥିରେ ସମ୍ମତ ନ ହୋଇ କହିଲା :

‘‘ମା ! ମୁଁ ବିବାହ କରିବି ନାହିଁ । ଗୃହ ଜଞ୍ଜାଳରେ ଲିପ୍ତହେଲେ ତୋର ସେବା କରିବାରେ ଘୋର ବାଧା ଆସିବ । ତାହା ଛଡ଼ା ସଂସାର ପ୍ରତି ମୋର ଆଦୌ ଆସକ୍ତି ନାହିଁ । ମୋ ଜୀବନରେ ଆରାଧ୍ୟା ଦେବୀ ତୁଇ । ଦିନରାତି ତୋର ପାଦସେବା କରିବା ହିଁ ମୋ ଜୀବନର ଏକମାତ୍ର ବ୍ରତ । ତୁ ମତେ ବିବାହବନ୍ଧନରେ ଛନ୍ଦି ଏହି ପବିତ୍ର ବ୍ରତରୁ ବଞ୍ଚିତ କରିବାକୁ ଚେଷ୍ଠାକର ନାହିଁ । ଯେତେଦିନ ପର୍ଯ୍ୟନ୍ତ ତୁ ସଂସାରରେ ଜୀବିତ ଥିବୁ, ତୋରି ପୂଜାରେ କାଳ ଅତିବାହିତ କରିବି ଏବଂ ତାପରେ ସନ୍ୟାସ ଗ୍ରହଣକରି ହିମାଳୟକୁ ଚାଲିଯିବି ଏହାହିଁ ମୋର ଇଚ୍ଛା ।’’

ମାତା ଏଥିରେ ଏକମତ ହୋଇପାରିଲା ନାହିଁ । ସେ କହିଲା :

‘‘ନା ବାପ, ଗୃହଛାଡ଼ି ସନ୍ୟାସ ହୋଇଯିବା ତୋ ପକ୍ଷରେ ଉଚିତ ନୁହେଁ । ମୋ ଆଦେଶମତେ ତତେ ବିବାହ କରି ଗୃହଧର୍ମ ପାଳନ କରିବାକୁ ପଡ଼ିବ । ତାହା ନ ହେଲେ ତୋ ପିତା ଓ ମୁଁ ପିଣ୍ଡ ପାଇବୁଁ କିପରି ? ବଂଶରକ୍ଷା କରିବା ପ୍ରତ୍ୟେକ ପୁତ୍ରର କର୍ତ୍ତବ୍ୟ । ତାହା ନ କରି ତୁ ଯଦି ବଂଶଲୋପ କରିଦେଉ, ତେବେ ଆମେ ପରଲୋକରେ ମହାଦୁଃଖ ଭୋଗ କରିବୁ । ମୋର ଇଚ୍ଛା ପୂର୍ଣ୍ଣ କରିବା ମଧ୍ୟ ତୋର ମାତୃସେବାର ଏକ ପ୍ରଧାନ ଅଙ୍ଗ । ତେଣୁ ମୋ ଉପଦେଶ ଲଙ୍ଘନ କରିବା ତୋ ଭଳି ମାତୃଶକ୍ତି ସନ୍ତାନ ପକ୍ଷରେ ଯେ ଗର୍ହିତ ଓ ଅଶୋଭନୀୟ ହେବ, ଏହା କଣ ବୁଝିପାରୁ ନାହୁଁ ?

ଯୁବକଟି ନିରୁତ୍ତର ହେଲା । ଶେଷରେ ବୃଦ୍ଧା ଅନେକ ଆଡ଼େ ଆଖିପକାଇ ଗୋଟିଏ ପାତ୍ରୀ ସ୍ଥିର କଲା । ଯୁବକଟି ବାଧ୍ୟହୋଇ ସେହି କନ୍ୟାକୁ ବିବାହ କରି ଗୃହକୁ ଆଣିଲା, କିନ୍ତୁ ସେଥିରେ ବିଶେଷ ସୁଖୀ ହୋଇପାରିଲା ନାହିଁ । ଇଚ୍ଛା ବିରୁଦ୍ଧରେ କାର୍ଯ୍ୟକଲେ ମଣିଷ ପ୍ରଥମେ ପ୍ରଥମେ ଏହିପରି ଅସ୍ୱସ୍ତି ଅନୁଭବ କରେ । ଯୁବକଟି ପୂର୍ବପରି ମାତୃସେବାରେ ନିଯୁକ୍ତ ରହିଲେ ହେଁ କେଜାଣି କାହିଁକି ମନରେ ଶାନ୍ତି ଓ ତୁପ୍ତି ପାଇଲା ନାହିଁ ।

ଯେଉଁ ନବବଧୂଟି ବୁଢ଼ୀର ଗୃହଲକ୍ଷ୍ମୀ ହେଲା, ଦେଖିବାକୁ ସେ ଅତି ରୂପବତୀ ହେଲେ ହେଁ ତାର ପ୍ରକୃତି ବଡ଼ କୁଟିଳ । ପିତୃ ଗୃହରେ ସତ୍‍ଶିକ୍ଷାର ଅଭାବରୁ ଏବଂ ମନ୍ଦ ଆଦର୍ଶର ପ୍ରଭାବରୁ ତା ହୃଦରେ ଈର୍ଷା, ସ୍ୱାର୍ଥପରତା, ଆତ୍ମସୁଖ ପ୍ରଭୃତି ନାନା ଦୁର୍ଗୁଣର ମଞ୍ଜି ପୋତି ହୋଇଯାଇଥିଲା । ତେଣୁ ସେ ଏଠାରେ ଶାଶୁର ସେବା କରିବାକୁ ପବିତ୍ର କର୍ତ୍ତବ୍ୟ ମନେ ନ କରି କିପରି ସ୍ୱାମୀକୁ ନିଜ ଅଧିନକୁ ଆଣି କାବୁକରି ରଖିବ ଏବଂ ତାହାରି ବଳରେ ସ୍ୱେଚ୍ଛାଚାରିଣୀ ହୋଇ ମନଇଚ୍ଛା କାର୍ଯ୍ୟ କରିବ, ଏଥିପାଇଁ ଉପାୟ ପାଞ୍ଚିବାକୁ ଲାଗିଲା ।

ଯାହାର ପ୍ରକୃତି ମନ୍ଦ ଓ ଖଳ, ତାହାର ମନକୁ ମନ୍ଦ ଓ ଖଳ ବାଟ ବଡ଼ ସହଜରେ ଦେଖାଯାଏ । କେତୋଟି ମାତ୍ର ଦିନ ଘରର ଚାଲିଚଳଣ ଏବଂ ମାଆ, ପୁଅର ମତିଗତି ଠଉରାଇ ନେଇସାରିବାପରେ ସେ ଭାବିଲା :

 

‘‘ସ୍ୱାମୀଙ୍କୁ ବଶ କରିବାକୁ ଗଲେ ପ୍ରଥମେ ତାଙ୍କର ପ୍ରିୟ କାର୍ଯ୍ୟଟି କରିବାକୁ ହେବ, ତାହାହେଲେ ସେ ବଳେ ବଳେ ମୋ’ଆଡ଼କୁ ଢଳିବାକୁ ଆରମ୍ଭ କରିବେ । ସେ ଯେତିକି ମୋ ଆଡ଼କୁ ଢଳୁଥିବେ, ସେତିକି ମାଆ ଆଡ଼ୁ ଟଳୁଥିବେ । କିଛି କାଳପରେ ଯେତେବେଳେ ପୂରାପୂରି ମୋର ଅକ୍ତିଆରକୁ ଚାଲିଆସିବେ, ସେତେବେଳେ ତାଙ୍କର ମାତୃସେବା ମନକୁ ମନ ଚାଲିଯିବ । ମନୁଷ୍ୟର ଶେଷ ଅବସ୍ଥା ହେଉଛି ବାର୍ଦ୍ଧକ୍ୟ । ଏହି ଅବସ୍ଥାରେ ଉପନୀତ ହେଲେ ମନୁଷ୍ୟ ମୃତ୍ୟୁପାଇଁ ପ୍ରସ୍ତୁତ ହେବାର କଥା । ବୁଢ଼ୀର ବର୍ତ୍ତମାନ ସେହି ସମୟ । ତାକୁ ଯେତେଶୀଘ୍ର ସଂସାରରୁ ବିଦାୟ କରି ଦିଆଯାଏ; ଆମ ପକ୍ଷରେ ସେତେ ମଙ୍ଗଳ । ଅଯଥା ତାର ସେବାରେ ମାତି ନିଜର ମୂଲ୍ୟବାନ୍‍ ସମୟ ନଷ୍ଟ କରିବା ମୂର୍ଖତା ଛଡ଼ା ଆଉ କିଛି ନୁହେଁ । ସ୍ୱାମୀ ବରାବର ମାଆ ସେବାରେ ଲାଗିରହିଥିବାରୁ ମୁଁ ତାଙ୍କ ଦ୍ୱାରା ମୋର କୌଣସି କାମ କରାଇ ପାରୁ ନାହିଁ । ତେଣୁ ଏଥର ମୁଁ ନିଜେ ବୁଢ଼ୀର ସେବା କରେଁ; ତାହାହେଲେ ସ୍ୱାମୀ ମାଆର ସେବା କରିବାକୁ ସୁବିଧା ପାଇପାରିବେ ନାହିଁ । ତେଣିକି ବଳେ ମାଆ-ପୁଅଙ୍କର ଛଡ଼ାଛଡ଼ି ହୋଇଯିବ ।’’

 

ଏଣିକି ବୋହୂ ମନମଧ୍ୟରେ ଦୂରଭିସନ୍ଧି ରଖି ବାହାରକୁ ଖୁବ୍‍ ଭକ୍ତିର ଚିହ୍ନ ଦେଖାଇଲା । ପିତଳ ବା ରୂପା ଉପରେ ସୁନାପାଣି ଦେଇଦେଲେ ତାହା ଠିକ୍‍ ସୁନାପରି ପହିଲେ ଚକ୍‍ଚକ୍ ଦେଖାଯାଏ । ପରେ ସେହି ସୁନାପାଣିତକ ଛାଡ଼ିଗଲେ ଭିତରେ ଥିବା ପିତଳ ବା ରୂପାର ପ୍ରକୃତ ରୂପ ଧରାପଡ଼େ । ବୋହୂ ସେହିପରି କୃତ୍ରିମ ଭାବ ଦେଖାଇ ରାତିଦିନ ଶାଶୁର ସେବାଯତ୍ନରେ ଲାଗିପଡ଼ିଲା । ଯୁବକ ତାହା ଦେଖି ଭାରି ଆନନ୍ଦିତ ହେଲା । ନିଜ ମନମାଫି ଧାର୍ମିକ ସ୍ତ୍ରୀଟିଏ ପାଇଛି ବୋଲି ମନେ ମନେ ଖୁବ୍‍ ଗର୍ବ ଅନୁଭବ କଲା । ବୁଢ଼ୀ ମଧ୍ୟ ବୋହୂଟିର ଗୁଣ ସାଇ ପଡ଼ିଶାରେ କେତେ କହିହେଲା ।

 

ସତକୁ ସତ ଯୁବକଟିର ମାତୃସେବା କାର୍ଯ୍ୟରେ କ୍ରମେ ଶିଥିଳତା ଆସିଲା । ସେ ସ୍ତ୍ରୀ ଉପରେ ଅତ୍ୟନ୍ତ ପ୍ରୀତ ହେଲା ଏବଂ ତାର ମନ ଖୁସି କରିବାପାଇଁ ଭଲ ଭଲ ଖାଇବା ଜିନିଷ ଓ ସୁନାରୂପାର ଗହଣା ତାକୁ ଆଣି ଦେଲା । ଶେଷକୁ ତାର ମାଆ ଖବର ବୁଝିବା ଏକାବେଳେ ବନ୍ଦ ହୋଇଗଲା । ସେ ମନେ ମନେ ଭାବିଲା ବୋହୂତ ଦିନରାତି ଛାଇପରି ଶାଶୁର ପାଖେ ପାଖେ ରହି ସବୁ ଖବର ବୁଝୁଛି; ତାର ଆଉ ସେଥିରେ ମୁଣ୍ଡ ପୁରାଇବା କି ଦରକାର ? ସେ ବାହାରେ ବାହାରେ ଥାଏ, କ୍ଷେତଧନ୍ଦା ବୁଝେ, ଘରେ ଆସି ଖାଏ, ଶୁଏ । ରାତିରେ ମାଆ କଥା ଭାର୍ଯ୍ୟାଠାରୁ ବୁଝେ । ଭାର୍ଯ୍ୟା ବନେଇଚୂନେଇ ଅନେକ କଥା ଭଲେଇ ହୋଇ କହେ । ଯୁବକ ଗୋଟିପଣେ ତାହା ବିଶ୍ୱାସ କରିଯାଏ । ଏହିପରି କିଛିକାଳ ଗଲା । ସ୍ୱାମୀ ଯେପରି ପୂରା ହାତମୁଠାକୁ ଚାଲିଆସିଛି, ବୋହୂର ଛାତି କୁଣ୍ଢେମୋଟ ହୋଇଗଲା । ସେ ଏଣିକି ଶାଶୁର ଆଉ ସେବା କଲା ନାହିଁ, ତା ଭଲମନ୍ଦ ମୋଟେ କିଛି ବୁଝିଲା ନାହିଁ । ଓଲଟି ତାକୁ ନାନାଭାବରେ ହଇରାଣ କରି ଜବତ କରିବାକୁ ଚେଷ୍ଟା କଲା । ସ୍ୱାମୀ ଆଉ ନିଜପାଇଁ ସେ ଭଲ ଭଲ ଖାଇବା ଜିନିଷ ତିଆରିକରି ଅଲଗା ଲୁଚାଇ ରଖେ । ସେସବୁକୁ ନିଜେ କବାଟକଣରେ ବସି ଖାଏ ଏବଂ ସ୍ୱାମୀ ଆସିଲେ ତାକୁ ଖାଇବାକୁ ଦିଏ-। ବୁଢ଼ୀ ପାଇଁ ଶୁଖିଲା ଭାତ ଆଉ ଏଣୁ ତେଣୁ ତରକାରି ଟିକେ ବାଢ଼ିଦେଇ କହେ, ‘‘ଖାଇଦିଅ, ଉଛୁର ହୋଇଗଲାଣି ।’’ ବୁଢ଼ୀ ଦେଖେ ଆଜି ତରକାରି ଅଲଣା ତ କାଲି ତାହା ଲୁଣିଆ । ମନବୋଧ କରି ଦିନେହେଲେ ସେ ପେଟପୂରା ଖାଇପାରିଲା ନାହିଁ । ଥରେ ସେ ବୋହୂକୁ ଡାକି କହିଲା :

 

‘‘ଲୁଣ କଣ ଘରେ ନ ଥିଲା କି ? ପୁଅ ଏ ଅଲଣା ତରକାରି ଘେନି କିମିତି ଆଜି ଭାତ ଖାଇବ ?’’

 

ବୋହୂ ମୁହଁ ଛାଟି ଖରଖର ହୋଇ ଚାଲିଆସେ । ଆରଓଳି ବୁଢ଼ୀର ତରକାରିରେ ମୁଠାଏ ଲୁଣ ଗୋଳେଇ ଦେଇ ବାଢ଼ିଦିଏ । ବୁଢ଼ୀ ପୁଣି କହେ :

 

‘‘ତୋର କଣ ଅନ୍ଦାଜ ପାଉ ନାହିଁ କି ? ଆଜି ତରକାରି ଏତେ ଲୁଣିଆ କରିଦେଇଛୁ ଯେ, ପାଟିରେ ଦେଇ ହେଉ ନାହିଁ । ୟାକୁ ଲଗେଇ ପୁଅ କିମିତି ଖାଇବ ?’’

 

ବୋହୂ ବିରକ୍ତ ହୋଇ କହେ :

 

‘‘ତୁମ କଥା ତୁମେ ବୁଝ, ଆଉ କିଏ ଖାଇବ କି ନ ଖାଇବ ତୁମକୁ କାହିଁକି ଚିନ୍ତା ପଡ଼ିଛି-? ମୋ ସ୍ୱାମୀ କଥା ମୁଁ ବୁଝିବି । ସେ କଣ ତୁମକୁ ଖାଇବାକୁ ମାଗୁଛନ୍ତି ?’’

 

ବୁଢ଼ୀ ଉଁ କି ଚୁଁ କିଛି ପାଟି ଫିଟାଏ ନାହିଁ, ଆପଣା ମହତ ଜଗି ମନେ ମନେ ଚୁପ୍‍ ହୋଇ ରହେ । ବୋହୂ କିନ୍ତୁ ଚୁପ୍‍ରହେ ନାହିଁ । ସଙ୍ଗେ ସଙ୍ଗେ ସାଇପଡ଼ିଶାର ସ୍ତ୍ରୀଲୋକଙ୍କୁ ଘରକୁ ଡାକିଆଣି ସେମାନଙ୍କ ଆଗରେ ନିଜର ସଚ୍ଚୋଟପଣ ଦେଖେଇହୋଇ ବୁଢ଼ୀ ବିରୁଦ୍ଧରେ ଫେରାଦ କରେ :

 

‘‘ୟାଙ୍କର ଏବେ ପ୍ରକୃତି ଛାଡ଼ିଲାଣି । ଗୋଟାଏ ବୋଲି ବୋହୂ ମୁଁ, ରାତିଦିନ ୟାଙ୍କରି ସେବାରେ ଲାଗିରହିଛି, ଯେତେବେଳେ ଯେଉଁ ଚିଜକୁ ମନେକଲେ ସେତେବେଳେ ତାହା ଖଞ୍ଜେଇଦେଉଛି, ତଥାପି ଦଣ୍ଡେ ହେଲେ ମୋ ପ୍ରତି ୟାଙ୍କର ସନ୍ତୋଷ ନାହିଁ । ମତେ ଜମା ଏ ଦେଖିପାରୁ ନାହାନ୍ତି, ସବୁବେଳେ ମୋ ଉପରେ ଗରଗର ହେଉଛନ୍ତି । ଏଥିରେ ମୁଁ କଣ କରିବି କହିଲ ? ସହି ସହି ଛାତି ପଥର କରିସାରିଲିଣି । ଆଉ ଏତେ ଗଞ୍ଜଣା ସହି ପାରିବି ନାହିଁ । କାଲି ମିଛଟାରେ କହିଲେ, ତରକାରି ଅଲଣା ହୋଇଛି । ସେଥିପାଇଁ ଆଜି ମୁଁ ତାଙ୍କ ତରକାରିକି ଟିକେ ଉଞ୍ଚଲୁଣିଆ କରିଦେଲି । ତାକୁ ଖାଇ କହିଲେ ତରକାରି ଏତେ ଲୁଣିଆ ହୋଇଛି ଯେ ପାଟିରେ ଦେଇ ହେଉ ନାହିଁ । ଲୁଣ କମେଇଲେ ଦୋଷ, ଲୁଣ ବେଶି ଦେଲେ ଦୋଷ । ମୁଁ ଏଥିରେ କେଉଁ ଗାତରେ ମରିବି ? ତୁମମାନଙ୍କୁ ଡାକି ସବୁ କଥା କହିଦେଲି, ଏଣିକି କେହି ଆଉ ମୋ ଦୋଷ ଧରିବ ନାହିଁ ।’’

 

କହି ଜାଣିଲେ କଥା ସୁନ୍ଦର । ତିନି ତୁଣ୍ଡରେ ଛେଳି କୁକୁର । ଏବେ ବୁଢ଼ୀର ସେହି ଅବସ୍ଥା ହେଲା । କଣ କହିବ, ସେ କିଛି ସ୍ଥିର କରିପାରିଲେ ନାହିଁ । ଶେଷକୁ ପଡ଼ିଶା ସ୍ତ୍ରୀଲୋକେ ସବୁ ଦୋଷ ବୁଢ଼ୀର ବୋଲି କହି ସେଠାରୁ ଚାଲିଗଲେ । ବୋହୂର ଜିତାପଟ ହେଲା ।

 

ଘଡ଼ିକପରେ ଯୁବକଟି ଘରକୁ ଫେରିଲା । ସେ ଦାଣ୍ଡରେ ଆସୁଥିବାବେଳେ ସାଇମାଇପେ ତାକୁ ଡାକି ବୁଢ଼ୀର ପ୍ରକୃତିଛଡ଼ା ଖୋଇକଥା କହିଲେ । ଯୁବକଟି ସବୁ ଶୁଣି ଘରେ ଗୋଡ଼ ଦେବାକ୍ଷଣି ବୋହୂ ତାକୁ ଫୁଲାଇ କହିଲା :

 

‘‘ମୁଁ ଏତେ ବୋଲଣା ସହି, ଏତେ ହୀନିମାନ ହୋଇ ତୁମ ଘରେ ପୋଇଲୀ ପରି ପଡ଼ି ରହିପାରିବି ନାହିଁ । ଗାଆଁ ମାଇପଙ୍କୁ ଯାଇ ପଚାର, ଏ ବୁଢ଼ୀ ମତେ କି ଦହଗଞ୍ଜ କରୁଛି । ତା ପାଖରେ ମୁଁ ଆଉ ଦଣ୍ଡେ ଚଳିପାରିବି ନାହିଁ । ସଫା ସଫା ଆଜି କହିଦେଉଚି, ତୁମେ ମତେ ଘରେ ରଖ, ନଇଲେ ତୁମ ମାଆକୁ ଘରେ ରଖ । ଆମେ ଦୁଇଜଣଯାକ କେବେହେଲେ ଏକାଠି ରହିପାରିବୁ ନାହିଁ ।’’

 

ଯୁବକ ତ ଆଗରୁ ସାଇମାଇପଙ୍କଠାରୁ ସବୁ ବିଷୟ ଶୁଣି ଆସିସାରିଥିଲା; ତେଣୁ ସ୍ତ୍ରୀର କଥାକୁ ସଂପୂର୍ଣ୍ଣ ବିଶ୍ୱାସକରି ସଙ୍ଗେ ସଙ୍ଗେ ମାଆକୁ ବାଡ଼େଇ ଘରୁ ବାହାର କରିଦେଲା । ବିଚାରୀ ବୁଢ଼ୀ ଏକବସ୍ତ୍ରା ହୋଇ କାନ୍ଦି କାନ୍ଦି ଭିଟାମାଟି ଛାଡ଼ି ଚାଲିଗଲା ଏବଂ ଜଣକ ଘରେ ଦାସୀବୃତ୍ତି କରି କୌଣସିମତେ ଦିନ କାଟିଲା । ଯେଉଁ ପୁତ୍ର ଦିନେ ମାଆର ସେବା କରିବ ବୋଲି ବିବାହ କରିବାକୁ ସୁଦ୍ଧା ମନା କରୁଥିଲା, ସେହି ପୁତ୍ର ପୁଣି ସ୍ତ୍ରୀ ବୁଦ୍ଧିରେ ଚାଳିତ ହୋଇ ଶେଷରେ ମାଆକୁ ଘରୁ ତଡ଼ିଦେଲା । ଏହାଠାରୁ ବଳି ଜଘନ୍ୟ କାର୍ଯ୍ୟ ଆଉ କଣ ହୋଇପାରେ ?

 

ପ୍ରାୟ ବର୍ଷକପରେ ସେହି ବୋହୂଟିର ଗୋଟିଏ ପୁଅ ହେଲା । ସେ ଗାଆଁସାରା ବୁଲି କହିବାକୁ ଲାଗିଲା :

 

‘‘ମୋ ଶାଶୁ ଗୋଟାଏ କଞ୍ଚା ଡାଆଣୀ ଥିଲା । ତାରି ଯୋଗୁଁ ମୋର ପିଲା ହେଉ ନ ଥିଲା । ସେ ଯେମିତି ଘରୁ ଚାଲିଯାଇଛି, ମୋର ପୁଅ ହେଲା ।’’

 

ନାତି ହେବା ଖବର ଏବଂ ତା ସଙ୍ଗେ ସଙ୍ଗେ ବୋହୂ ତା’ନାଆଁରେ ଦେଉଥିବା ଅପବାଦ କଥା ବୁଢ଼ୀ ଶୁଣିଲା । ସେ ମନେ ମନେ ଭାବିଲା :

 

‘‘ମତେ ତଡ଼ିଦେବାରୁ ଯେବେ ମୋ ପୁଅର ସନ୍ତାନଟିଏ ହେଲା, ତାହାହେଲେ ଜାଣିଲି ଯେ, ଧର୍ମଦେବତା ନିଶ୍ଚୟ ମରିଯାଇ ସାରିଛନ୍ତି । ସେ ଥିଲେ ମୁଁ କେବେହେଲେ ଏତେ ଦୁର୍ନାମ ସହନ୍ତି ନାହିଁ, କି ଭାର୍ଯ୍ୟାବୋଲରେ ପଡ଼ି ମୋ ପୁଅ ମତେ ମାଡ଼ମାରି ଘରୁ କାଢ଼ିଦିଅନ୍ତା ନାହିଁ ।’’

 

ଏହା ସ୍ଥିରକରି ବୁଢ଼ୀ ଧର୍ମଦେବତାଙ୍କୁ ପିଣ୍ଡ ଦେବ ବୋଲି ମଶାଣିକି ଗଲା । ମଲାମଣିଷ ତିନୋଟି ଖପୁରି ସଂଗ୍ରହ କରି ସେ ଚୁଲି ତିଆରି କଲା ଏବଂ ତା ତଳେ ଜାଳ ଜାଳିଲା । ତାପରେ ସେ ନୂଆ ହାଣ୍ଡି ବସାଇ ତହିଁରେ ପାଣି ଦେଲା ଏବଂ ତହିଁରେ ଅରୁଆ ଚାଉଳ ପକାଇ ପିଣ୍ଡଭାତ ରାନ୍ଧିବାକୁ ଲାଗିଲା ।

 

ସ୍ୱର୍ଗରେ ଥାଇ ଧର୍ମଦେବତା ଏହା ଦେଖିଲେ । ସେ ସେହି ମୁହୂର୍ତ୍ତରେ ମଶାଣିକି ଆସି ବୁଢ଼ୀକୁ କହିଲେ :

 

‘‘ବୁଢ଼ୀ ! ମୁଁ ହେଉଛି ସ୍ୱୟଂ ଧର୍ମଦେବ । ମୁଁ ମରିଯାଇ ନାହିଁ ମତେ କାହିଁକି ପିଣ୍ଡ ଦେବାକୁ ଯାଉଛୁ ? ତୋର ଯେଉଁ ବୋହୂ ତୋ ନାଆରେ ଖଚମିଛ ଯୋଡ଼ି ତୋ ପୁଅକୁ ବଶକରି ରଖିଥିଲା, ଯାହା କଥାରେ ପଡ଼ି ତୋ ପୁଅ ତତେ ପିଟି ଘରୁ ତଡ଼ି ଦେଇଥିଲା, ଆଉ ତାଙ୍କର ଯେଉଁ ପିଲାଟିଏ ହୋଇଥିଲା, ସମସ୍ତେ ବର୍ତ୍ତମାନ ଭସ୍ମ ହୋଇଯିବେ । ତୁ ନିଜେ ଏହା ଆଖିଆଗରେ ଦେଖିବୁ ।’’

 

ପୁଅ, ବୋହୂ, ନାତିର ମରଣକଥା ଶୁଣି ବୁଢ଼ୀ ମୁଣ୍ଡ କଚାଡ଼ି କାନ୍ଦିଉଠିଲା । ସେ ଧର୍ମଦେବତାଙ୍କ ପାଦତଳେ ଲୋଟି ପ୍ରାର୍ଥନା କଲା ।

 

‘‘ହେ ଧର୍ମରାଜ ! ସେମାନଙ୍କୁ ମାରିଦିଅ ନାହିଁ । ମୋ ପୁଅ ବୋହୂକୁ ଶାସ୍ତି ନ ଦେଇ ଶୁଭବୁଦ୍ଧି ଦିଅ । ସେ ଦୁହେଁ ନିଜର ଭୁଲ୍‍ ବୁଝିପାରନ୍ତୁ ଏବଂ ମୋ ସହିତ ମିଳିମିଶି ରହନ୍ତୁ । ତାହାହେଲେ ମୋ ଘରଟି ପୁଣି ସୁନାର ସଂସାର ପାଲଟିଯିବ ।

 

ଧର୍ମଦେବ ବୁଢ଼ୀର ମନକଥା ବୁଝିପାରିଲେ ଏବଂ ତାର ପ୍ରାର୍ଥନା ପୂରଣକରି ସ୍ୱର୍ଗକୁ ଚାଲିଗଲେ । ତେଣେ ହଠାତ୍‍ ପୁଅ ଓ ବୋହୂର ମନ ବଦଳିଗଲା । ଶିଶୁ ପୁତ୍ରକୁ ଘେନି ଉଭୟେ ଶ୍ମଶାନକୁ ଧାଇଁଲେ ଏବଂ ନିଜର ସମସ୍ତ ଦୋଷ ସ୍ୱୀକାର କରି ବୁଢ଼ୀକି ଘରକୁ ନେଇଗଲେ । ସେହି ଦିନୁ ବୋହୂ ଅତି ଆଦରରେ ବୁଢ଼ୀର ସବୁ କଥା ବୁଝିଲା, ଟିକିଏ ହେଲେ ତାର କୌଣସି ଅସୁବିଧା ରଖାଇଦେଲା ନାହିଁ । ପୁଅ ମଧ୍ୟ ଆଗପରି ମାଆର ସେବାଶୁଶ୍ରୂଷା କଲା ।

Image

 

ମୃଣାଳ ଜାତକ

 

ଏକ ଜନ୍ମରେ ବୋଧିସତ୍ତ୍ୱ କାଶୀଧାମର ଜଣେ ଧନାଢ଼୍ୟ ବ୍ରାହ୍ମଣର ଜ୍ୟେଷ୍ଠ ପୁତ୍ର ହୋଇଥିଲେ । ତାଙ୍କ ନାମ ଦିଆଯାଇଥିଲା ‘ମହାକାଞ୍ଚନକୁମାର’ । ବ୍ରାହ୍ମଣର ଦ୍ୱିତୀୟ ପୁତ୍ରର ନାମ ‘ଉପକାଞ୍ଚନକୁମାର’ । ତା ତଳକୁ ଆହୁରି ପାଞ୍ଚଟି ପୁତ୍ର ଏବଂ ଶେଷଟି ‘କାଞ୍ଚନକୁମାରୀ’ ନାମରେ ଗୋଟିଏ କନ୍ୟା । ସାତ ଭାଇ ଓ ଭଉଣୀଟି ମଧ୍ୟରେ ଖୁବ୍‍ ସ୍ନେହ ଶ୍ରଦ୍ଧା ଥିଲା । ବଡ଼ଭାଇ ମହାକାଞ୍ଚନକୁମାରଙ୍କୁ ଅନ୍ୟମାନେ ବଡ଼ ଭକ୍ତି କରୁଥିଲେ ।

 

ବଡ଼ ହେଲାପରେ ମହାକାଞ୍ଚନକୁମାର ତକ୍ଷଶିଳାକୁ ଗଲେ ଏବଂ ସେଠାରେ କୃତିତ୍ୱର ପରାକାଷ୍ଠା ଦେଖାଇ ନାନା କଠିନ ବିଦ୍ୟା ଆୟତ୍ତ କଲେ । ଯଥା ସମୟରେ ସେ ଗୃହକୁ ଫେରିଆସନ୍ତେ ପିତାମାତା ତାଙ୍କୁ କହିଲେ :

 

‘‘ବତ୍ସ ! ତୁ ସର୍ବବିଦ୍ୟାପାରଙ୍ଗମ ହୋଇସାରିଛୁ । ଏବେ ବିବାହ କରି ଗୃହଧର୍ମ ପାଳନ କର ।’’

 

ନାମରେ ମହାକାଞ୍ଚନକୁମାର ହେଲେ କଣ ହେବ, ତାଙ୍କର କାଞ୍ଚନରେ ଆଦୌ ସ୍ପୃହା ନ ଥିଲା । ସେ ଉତ୍ତର ଦେଲେ :

 

‘‘ସଂସାରୀ ହେବାପାଇଁ ମୋର ବାସନା ନାହିଁ; ତେଣୁ ବିବାହ କରିବା ମୋ ପକ୍ଷରେ ଅସମ୍ଭବ । ଅନ୍ୟ ଭାଇମାନେ ବିବାହ କରି ଗୃହ ସଂସାରର ଭାର ମୁଣ୍ଡାଇପାରନ୍ତି ।’’

 

ହତାସ ହୋଇ ପିତାମାତା ଅନ୍ୟ ଛଅ ପୁତ୍ରଙ୍କୁ ବିବାହ କରିବାପାଇଁ ପ୍ରବର୍ତ୍ତାଇଲେ, ମାତ୍ର ଜ୍ୟେଷ୍ଠ ଭ୍ରାତାର ଆଦର୍ଶ ଅନୁକରଣ କରି ସେମାନେ ବିବାହ କରିବାକୁ ଅସମ୍ମତ ହେଲେ । ଶେଷରେ କନ୍ୟାକୁ ପଚାରନ୍ତେ ସେ ମଧ୍ୟ ବିବାହ ନ କରି ସଂସାରପ୍ରତି ଅନାଶକ୍ତ ରହିବ ବୋଲି କହିଲା ।

 

ଗଭୀର ମନସ୍ତାପରେ କିଛିକାଳ କଟାଇଲାପରେ ପିତାମାତା ଚିରଦିନପାଇଁ ଆଖିବୁଜି ଜଗତରୁ ବିଦାୟ ନେଲେ । ମହାକାଞ୍ଚନକୁମାର ପିତାମାତାଙ୍କର ଶ୍ରାଦ୍ଧାଦି ପାରଲୌକିକ କ୍ରିୟା ସଂପାଦନ କଲେ ଏବଂ ଗୃହରେ ସଞ୍ଚିତ ଥିବା ସମସ୍ତ ସମ୍ପତ୍ତି ଦୀନଦୁଃଖୀ ଓ ଭିକ୍ଷୁକମାନଙ୍କୁ ଦାନ କରିଦେଲେ । ତାହାପରେ ଛଅଭାଇ ଭଉଣୀ, ଗୋଟିଏ ଦାସ, ଗୋଟିଏ ଦାସୀ ଓ ଜଣେ ସଖାକୁ ସଙ୍ଗରେ ଘେନି ସେ ହିମବନ୍ତ ପ୍ରଦେଶକୁ ଚାଲିଗଲେ ।

 

ସେଦିନଠାରୁ ସମସ୍ତଙ୍କର ହେଲା ସନ୍ନ୍ୟାସଜୀବନ । ସେମାନେ ଏକ ସରୋବର କୂଳରେ ଆଶ୍ରମଟିଏ ନିର୍ମାଣ କରି ତପସ୍ୟା କରିବାକୁ ଲାଗିଲେ । ବନରୁ ଯେଉଁ ଫଳ ସଂଗୃହୀତ ହୁଏ, କେବଳ ତାହାହିଁ ହେଲା ସେମାନଙ୍କ ଆହାର ।

 

କିଛିଦିନପରେ ମହାକାଞ୍ଚନକୁମାର ଦେଖିଲେ, ଫଳ ଆହରଣରେ ଭାଇମାନଙ୍କର ଖୁବ୍‍ ଆଗ୍ରହ ଓ ଉତ୍ସାହ । ସେମାନେ ବନମଧ୍ୟରେ ବୁଲି ଏତେ ଫଳ ନିତି ସଂଗ୍ରହ କରି ଆଣନ୍ତି ଯେ, ତା ଦେଖିଲେ ମନ ହୁଏ, ସତେ ଯେପରି ଆଶ୍ରମରେ ଗୋଟାଏ ଫଳହାଟ ବସିଛି । ଏହି ସଂଗ୍ରହ କାର୍ଯ୍ୟରେ ସେମାନଙ୍କର ଅଧିକାଂଶ ସମୟ ଅତିବାହିତ ହୋଇଯାଏ । ଏହା ଦେଖି ମହାକାଞ୍ଚନକୁମାର ନିୟମ କରିଦେଲେ ଯେ, ଏଣିକି ପାଳିକରି ଜଣେ ଲେଖାଏଁ ଫଳ ସଂଗ୍ରହ କରିବାକୁ ଯିବେ । ଜଣକଦ୍ୱାରା ଯେତିକି ଫଳ ସଂଗୃହୀତ ହୋଇଆସିବ, ତାହାକୁ ସମସ୍ତେ ବାଣ୍ଟିକରି ଖାଇବେ ଏବଂ ଆଶ୍ରମରେ ରହି ରୀତିମତ ସନ୍ନ୍ୟାସଧର୍ମ ପାଳନ କରିବେ ।

 

ପୁଣି କିଛିଦିନ ଗଲା । ଆଚାର୍ଯ୍ୟ ମହାକାଞ୍ଚନ ଦେଖିଲେ, ସମସ୍ତେ ଏକତ୍ର ରହିବାଫଳରେ ଗଳ୍ପାଳାପ, ବଦାନୁବାଦ ଓ ତର୍କବିଚାରରେ ବହୁତ ସମୟ ନଷ୍ଟ ହୋଇଯାଉଛି, ପ୍ରକୃତ ତପଃସାଧନା ତା ତୁଳନାରେ ବେଶି କିଛି ହୋଇପାରୁ ନାହିଁ । ତହୁଁ ସେ ପ୍ରତ୍ୟେକଙ୍କ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର କୁଟୀର ନିର୍ଦ୍ଦିଷ୍ଟ କରିଦେଲେ ଏବଂ କହିଲେ ।

 

‘‘ତୁମେମାନେ ଆଜିଠାରୁ ପ୍ରତ୍ୟେକ ନିଜ ନିଜ କୁଟୀରରେ ଏକାକୀ ରହିବ ଏବଂ ଘଣ୍ଟାଧ୍ୱନିଦ୍ୱାରା ସଂକେତ ଦିଆଗଲେ ଏକତ୍ର ଆସି ମିଳିତ ହେବ । ଯେ ଫଳ ଆହରଣ କରି ଆଣିବ, ସେ ତାହାକୁ ଏଗାରଭାଗ କରିବ ଏବଂ ନିଜର ଭାଗଟିକୁ ନେଇଯାଇ ଅବଶିଷ୍ଟ ଦଶଭାଗରୁ ଗୋଟିଏ ପାଷାଣ ଫଳକରେ ରଖିଦେଇଯିବ । ଅନ୍ୟମାନେ ଯଥାସମୟରେ ଆସି ନିଜ ନିଜର ଭାଗ ସେହି ଫଳକରୁ ନେଇଯିବେ ।’’

 

ଏହି ନୂତନ ରୀତିରେ ଅଭ୍ୟସ୍ତ ହୋଇ ସମସ୍ତେ କେତେମାସ ଚଳିଲେ । ସେହି ବନେ ସବୁ ଋତୁରେ ଫଳ ମିଳେ ନାହିଁ । ଯେତେବେଳେ ଫଳ ନ ମିଳେ, ସେତେବେଳେ ମୃଣାଳକନ୍ଦ ଭକ୍ଷଣ କରି ଜୀବନଧାରଣ କରିବାକୁ ହୁଏ । ଥରେ ଏହିପରି ସମୟ ପଡ଼ିବାରୁ ସେମାନେ କେବଳ ମୃଣାଳକନ୍ଦ ଖାଇ କଠୋର ତପସ୍ୟା କରିବାକୁ ଲାଗିଲେ ।

 

ସେମାନଙ୍କର ଏଭଳି ଦୁସ୍ତର ତପସ୍ୟା ଦେଖି ଦେବରାଜ ଇନ୍ଦ୍ରାକ୍ରସ୍ତ ହୋଇଗଲେ । ସେ ଆଶଙ୍କା କଲେ, ସେମାନେ ନିଶ୍ଚୟ ଇନ୍ଦ୍ରତ୍ୱ ଲାଭ କରିବାପାଇଁ ଏତେ କ୍ଳେଶ ସହି ତପଃସାଧନ କରୁଛନ୍ତି । ଏହା ଭାବି ଇନ୍ଦ୍ର ସେମାନଙ୍କ ସାଧନାର ନିଷ୍ଠା ପରୀକ୍ଷା କରିବାକୁ ମନଃସ୍ଥ କଲେ । ସେ ଗୋପନରେ ଆସି ଆଚାର୍ଯ୍ୟ ମହାକାଞ୍ଚନଙ୍କ ଭାଗର ମୃଣାଳଟିକୁ ହରଣ କରିନେଲେ । ମହାକାଞ୍ଚନ ନିଜର ଭାଗଟି ନ ପାଇ ଭାବିଲେ, ବୋଧହୁଏ ଭୁଲ୍‍ରେ ତାଙ୍କ ଭାଗ ରଖାଯାଇ ନାହିଁ ।

 

ଦ୍ୱିତୀୟ ଦିନ ମଧ୍ୟ ଇନ୍ଦ୍ର ତାଙ୍କ ଭାଗଟି ଘେନିଗଲେ । ସେଦିନ ମହାକାଞ୍ଚନ ପୁଣି ଉପବାସୀ ରହି ରାତ୍ରିଯାପନ କଲେ । ତୃତୀୟଦିନ ଠିକ୍‍ ସେହି ଇନ୍ଦ୍ର ମୃଣାଳ ହରଣ କରିନେଲେ । ଆଚାର୍ଯ୍ୟ ମହାକାଞ୍ଚନ ଏଥର ଭାବିଲେ :

 

‘‘ଦଶ ଜଣଙ୍କ ମଧ୍ୟରୁ ବୋଧହୁଏ କୌଣସି ଜଣକର ଗୋଟିଏ ଭାଗରେ କ୍ଷୁଧାନିବୃତ୍ତି ହୋଇପାରୁନାହିଁ । ସେଥିପାଇଁ ସେ ପ୍ରତ୍ୟହ ଗୋଟିଏ ଲେଖାଏଁ ମୃଣାଳ ଅଧିକା ନେଇ ଖାଉଛି ।’’

 

ମନେ ମନେ ଏହା ସ୍ଥିରକରି ମହାକାଞ୍ଚନ ଘଣ୍ଟାଧ୍ୱନି କଲେ । ସଙ୍ଗେ ସଙ୍ଗେ ସମସ୍ତେ ଆସି ତାଙ୍କ କୁଟୀରରେ ମିଳିତ ହେଲେ । ମହାକାଞ୍ଚନ ସେମାନଙ୍କୁ କହିଲେ :

 

‘‘ଆଜିକି ତିନି ଦିନ ହେଲା ମୁଁ ମୃଣାଳ ପାଇ ନାହିଁ । ତିନି ଦିନ ଯାକ ମୁଁ ଅନଶନରେ ରହି ତପସ୍ୟା କରିଛି । ଏହି ତିନିଦିନ ଯେଉଁମାନେ ମୃଣାଳ ଆଣିଛ, ମୋ ପାଇଁ କଣ ଭାଗ ରଖି ନାହଁ-?’’

 

ଯେଉଁ ତିନିଜଣ ମୃଣାଳ ଆଣିଥିଲେ, ସେମାନେ ଏକସ୍ୱରରେ ଉତ୍ତର ଦେଲେ :

 

‘‘ଆମେମାନେ ସର୍ବପ୍ରଥମେ ଆପଣଙ୍କ ଅଂଶ ରଖିଦେଇ ତାପରେ ଅନ୍ୟମାନଙ୍କ ପାଇଁ ଭାଗ କରିଛୁଁ ।’’

 

ତହୁଁ ଆଚାର୍ଯ୍ୟ ମହାକାଞ୍ଚନ କହିଲେ :

 

‘‘କ୍ରମନ୍ୱୟେ ତିନିଦିନ ମୃଣାଳ ପାଇ ନାହିଁ ବୋଲି ମୋ ମନରେ ଆଦୌ କ୍ଷୋଭ ନାହିଁ; କାରଣ ମୁଁ ଲୋଭକୁ ପୂରାପୂରି ଦମନ କରିସାରିଛି । ମାତ୍ର ଆମମାନଙ୍କ ମଧ୍ୟରୁ ଯଦି କେହି ଏଇ ସାମାନ୍ୟ ବସ୍ତୁର ଲୋଭ ସଂବରଣ କରି ନ ପାରି ଚୋରି କରିଥାଏ, ତାହାହେଲେ ତାର ସନ୍ୟାସ ବ୍ରତ ଗ୍ରହଣ ବ୍ୟର୍ଥ ।’’

 

ମହାକାଞ୍ଚନ ମୁଖରୁ ଏଭଳି ମନ୍ତବ୍ୟ ଶୁଣି ସମସ୍ତେ ବଡ଼ ମର୍ମାହତ ହୋଇ ରହିଲେ :

 

‘‘ଆପଣଙ୍କ ପାଇଁ ଆମେ ପ୍ରତ୍ୟେକ ଜୀବନ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ ଅଛୁଁ । ଆପଣ ହିଁ ଆମମାନଙ୍କ ମୁକ୍ତି ପଥର ପ୍ରଦର୍ଶକ । ଆପଣଙ୍କୁ ଉପବାସୀ ରଖି ଆମେମାନେ କେବେ କି ଆପଣଙ୍କ ଅଂଶ ଗ୍ରହଣ କରିବାର ହୀନପ୍ରବୃତ୍ତି ମନକୁ ଆଣିପାରୁଁ ?’’

 

ଏତିକିରେ କ୍ଷାନ୍ତ ନ ରହି ସେମାନେ ଜଣ ଜଣ ହୋଇ ଆଚାର୍ଯ୍ୟ ମହାକାଞ୍ଚନଙ୍କ ଆଗରେ ଶପଥ କରିବାକୁ ଲାଗିଲେ । ପ୍ରଥମେ ଦ୍ୱିତୀୟ ଭ୍ରାତା ଉପକାଞ୍ଚନକୁମାର କହିଲା :

 

‘‘ହେ ଆଚାର୍ଯ୍ୟ ! ଯେ ଆପଣଙ୍କ ମୃଣାଳ ହରଣ କରିଛି, ସେହି ପାପିଷ୍ଠ ଧନସଂପଦ, ଗବାଦିପଶ୍ୱ, ଦାସଦାସୀ ଓ ସ୍ତ୍ରୀସନ୍ତାନ ଘେନି ଚିରଜୀବନ ସଂସାର ଯନ୍ତ୍ରଣା ଭୋଗ କରୁ ।’’

 

ତୃତୀୟ ଭ୍ରାତା ତାହାପରେ କହିଲା !

 

‘‘ହେ ଆଚାର୍ଯ୍ୟ ! ଯେଉଁ ପାଷାଣ୍ଡ ଆପଣଙ୍କ ମୃଣାଳ ନେଇଛି, ତା ମନରେ ତୀବ୍ର ବିଷୟବାସନା ଜନ୍ମୁ ଏବଂ ସେ ମାଲ୍ୟଚନ୍ଦନାଦି ବିଳାସଦ୍ରବ୍ୟରେ ଆଜୀବନ ଆସକ୍ତ ରହୁ ।’’

 

ଚତୁର୍ଥ ଭ୍ରାତା ଉଠି କହିଲା :

 

‘‘ହେ ଆଚାର୍ଯ୍ୟ ! ଯେଉଁ ପାପାତ୍ମା ଆପଣଙ୍କ ମୃଣାଳ ହରଣ କରିଛି, ସେ ଧନଧାନ୍ୟ, ପୁତ୍ରକନ୍ୟା ଓ ସଂସାରସୁଖରେ ମୃତ୍ୟୁପର୍ଯ୍ୟନ୍ତ ମଗ୍ନ ରହୁ । ତାର ପରମାୟୁ ଯେ ଶେଷ ହୋଇଆସୁଛି, ଏ କଥା ସେ ପାସୋରିଯାଉ।’’

 

ପଞ୍ଚମ ଭ୍ରାତା କହିଲା :

 

‘‘ହେ ଆଚାର୍ଯ୍ୟ ! ଯେଉଁ ହୀନଚେତା ଆପଣଙ୍କ ମୃଣାଳ ଲୁଚାଇ ନେଇଛି, ସେ ରାଜଧିରାଜ ହୋଇ ସାମ୍ରାଜ୍ୟଶାସନର ମହାକ୍ଲେଶ ଭୋଗ କରୁ ।’’

 

ଷଷ୍ଠ ଭ୍ରାତା ଉଠି କହିଲା :

 

‘‘ହେ ଆଚାର୍ଯ୍ୟ ! ଯେଉଁ ଲୋଭୀ ଆପଣଙ୍କ ମୃଣାଳ ହରଣ କରିଛି, ସେ ଜଣେ ବିଷୟାସକ୍ତ ଗଣକ ବ୍ରାହ୍ମଣ ହୋଇ ଜନ୍ମଗ୍ରହଣ କରୁ ।’’

 

ଏହାପରେ ସର୍ବକନିଷ୍ଠ ଭ୍ରାତା କହିଲା :

 

‘‘ହେ ଆଚାର୍ଯ୍ୟ ! ଯେ ଆପଣଙ୍କ ମୃଣାଳ ନେଇଯାଇଛି, ସେହି ମୃଢ଼ମତି ବେଦବିଦ୍ୟାରେ ପାରଦର୍ଶୀ ହୋଇ ଯାଗଯଜ୍ଞ ସଂପାଦନ କରୁ ଏବଂ ଧନସମ୍ପଦ ଓ ଦାନଦକ୍ଷିଣା ନେଇ ଜୀବନ ବ୍ୟର୍ଥ କରୁ ।’’

 

ଭ୍ରାତାମାନଙ୍କର ଶପଥ ଗ୍ରହଣ ଶେଷହେଲା ପରେ ବନ୍ଧୁଟି ଦଣ୍ଡାୟମାନ ହୋଇ କହିଲା–

 

‘‘ହେ ଆଚାର୍ଯ୍ୟ ! ଯେଉଁ ଦୁରାତ୍ମା ଆପଣଙ୍କ ମୃଣାଳ ହରଣ କରିଛି, ସେ ଇନ୍ଦ୍ରଦତ୍ତ ଗ୍ରାମର ଗ୍ରାମଣୀ ହେଉ ଏବଂ ମିଥ୍ୟା ଅହଂକାର, ନୃତ୍ୟଗୀତ, ଉତ୍ସବରେ ମତ୍ତରହି ପରଲୋକ କଥା ଏକାବେଳେ ଭୁଲିଯାଉ ।’’

 

ଏହାପରେ ଦାସ ଉଠି କହିଲା :

 

‘‘ହେ ଆଚାର୍ଯ୍ୟ ! ଯେଉଁ ମୋହାନ୍ଧ ଆପଣଙ୍କ ମୃଣାଳ ନେଇଛି, ସେ ଗ୍ରାମବାସୀ ହୋଇ ସୁଖଭୋଗ କରୁ ଏବଂ ରାଜାର ଅନୁଗ୍ରହଭାଜନ ହେଉ ।

 

ଏଥର ପଡ଼ିଲା କାଞ୍ଚନକୁମାରୀର ପାଳି, ସେ କହିଲା :

 

‘‘ହେ ଆଚାର୍ଯ୍ୟ ! ଯେଉଁ ପାପୀୟସୀ ନାରୀ ଆପଣଙ୍କ ମୃଣାଳ ହରଣ କରିଛି, ସେ କୌଣସି ମହାରାଜାର ଷୋଳ ସହସ୍ର ମହିଷୀ ମଧ୍ୟରେ ଅଗ୍ରମହିଷୀ ହୋଇ ନିଜର ପରକାଳ ଧ୍ୱଂସ କରୁ ।’’

 

ସର୍ବଶେଷରେ ଦାସୀଟି ଉଠି ଶପଥ କଲା :

 

‘‘ହେ ଆଚାର୍ଯ୍ୟ ! ଯେଉଁ ଗୁରୁଦ୍ରୋହିଣୀ ଆପଣଙ୍କ ମୃଣାଳ ନେଇଯାଇଛି, ସେ ଆତ୍ମଗର୍ବରେ ଜ୍ଞାନଶୂନ୍ୟ ହେଉ ଏବଂ ସମସ୍ତଙ୍କୁ ବଞ୍ଚିତକରି ନିଜେ ଯାବତୀୟ ସୁଖାଦ୍ୟ ଭୋଜନ କରୁ ।’’

 

ସମସ୍ତଙ୍କର ଶପଥବାଣୀ ଶୁଣି ମହାକାଞ୍ଚନକୁମାର ସନ୍ତୁଷ୍ଟ ହେଲେ । ସେମାନଙ୍କ ମଧ୍ୟରୁ କେହି ଯେ ମୃଣାଳ ଅପହରଣ କରି ନାହିଁ, ଏହା ତାଙ୍କର ସ୍ଥିରବିଶ୍ୱାସ ହେଲା । ଏବେ ସେ କହିଲେ–

 

‘‘ମୋର ମଧ୍ୟ ଶପଥ କରିବା ଆବଶ୍ୟକ । ମୁଁ ଯଦି ପ୍ରକୃତରେ ମୃଣାଳ ଖାଇଥାଏଁ, ଅଥଚ ମୃଣାଳ ପାଇ ନାହିଁ ବୋଲି ମିଥ୍ୟା ରଟନା କରୁଥାଏଁ, ତାହାହେଲେ ନିର୍ବାଣ ଲାଭ ନ କରି ମୁଁ ଯେପରି ଇନ୍ଦ୍ରତ୍ୱଲାଭର ଅଭିଶାପ ପାଏଁ । ମର୍ତ୍ତ୍ୟରେ କେହି ଉଗ୍ର ତପସ୍ୟା କଲେ ଦେବରାଜଙ୍କ ଆସନ ଟଳମଳ ହୁଏ । ସେ ଭାବନ୍ତି, ସତେ ଯେପରି ତାଙ୍କ ସିଂହାସନକୁ ତପସ୍ୟାବଳରେ ଅନ୍ୟ ଜଣେ ମାଡ଼ିବସିବ । ଏଥିପାଇଁ ଇନ୍ଦ୍ର ଦିନେହେଲେ ଶାନ୍ତି ବା ଆନନ୍ଦରେ କାଳ କଟାଇପାରନ୍ତି ନାହିଁ-। ଆଶଙ୍କାରେ ନିତି ତାଙ୍କ ହୃଦୟ ପୂରି ରହିଥାଏ । ଯଦି ମୁଁ ମିଥ୍ୟା କହିଥାଏଁ, ତେବେ ସେହି ଇନ୍ଦ୍ରଙ୍କର ଦୁର୍ବହ ଜୀବନ ମତେ ଭୋଗିବାକୁ ପଡ଼ୁ ।’’

 

ସ୍ୱର୍ଗରାଜ ଇନ୍ଦ୍ର ପ୍ରଚ୍ଛନ୍ନଭାବରେ ସେଠାରେ ଉପସ୍ଥିତ ରହି ସମସ୍ତଙ୍କର ଚରିତ୍ରବଳ ପରୀକ୍ଷା କରୁଥିଲେ । ଏବେ ତାଙ୍କର ଭ୍ରାନ୍ତ ଧାରଣା ଦୂର ହୋଇଗଲା । ସେ ବୁଝିଲେ ଯେ, ଏହି ତପସ୍ୱୀମାନଙ୍କର ଭୋଗ୍ୟବସ୍ତୁ ପ୍ରତି ଆଦୌ ସ୍ପୃହା ନାହିଁ, ବରଂ ଏମାନେ ତାହାକୁ ଗଳିତ ଶବପରି ଘୃଣା କରନ୍ତି । ଭୋଗାସକ୍ତମାନଙ୍କ ଜୀବନ ଏମାନଙ୍କ ଚକ୍ଷୁରେ କୃମିକୀଟର ଜୀବନଠାରୁ ମଧ୍ୟ ଆହୁରି ହୀନ । ଇନ୍ଦ୍ରପଦ ଏମାନଙ୍କ ବିଚାରରେ ସବୁଠାରୁ ଘୃଣ୍ୟ ଏବଂ ଇନ୍ଦ୍ରତ୍ୱଲାଭକୁ ଏମାନେ ଚରମ ଦଣ୍ଡ ବୋଲି ମନେକରନ୍ତି ।

 

ଇନ୍ଦ୍ର ଆଉ ନିଜକୁ ଗୋପନ ରଖିପାରିଲେ ନାହିଁ । ସେ ନିଜ ବେଶରେ ଆବିର୍ଭୂତ ହୋଇ ଆଚାର୍ଯ୍ୟ ମହାକାଞ୍ଚନଙ୍କୁ ଆତ୍ମପରିଚୟ ଦେଇସାରିଲା ପରେ କହିଲେ :

 

‘‘ହେ ବାସନାମୁକ୍ତ ମହାତପସ୍ୱୀ ! ଆପଣମାନଙ୍କ ସାଧନାର ମହତ୍ତ୍ୱ ପରୀକ୍ଷା କରିବା ଉଦ୍ଦେଶ୍ୟରେ ମୁଁ ତିନିଦିନ ହେଲା ମୃଣାଳ ହରଣକରି ନେଉଥିଲି । ଏବେ ଜାଣିଲି, ଆପଣ ସର୍ବତ୍ୟାଗୀ ଓ ସର୍ବେନ୍ଦ୍ରୟଜୟୀ । କେବଳ ନିର୍ବାଣ ବ୍ୟତୀତ ଆପଣଙ୍କର ଅନ୍ୟ କୌଣସି କାମନା ନାହିଁ । ଆପଣଙ୍କ ସ୍ୱଚ୍ଛନ୍ଦ ଜୀବନଯାପନରେ ମୁଁ ଯେଉଁ ଅଯଥା ବ୍ୟାଘାତ ଘଟାଇଛି ସେଥିପାଇଁ ବଡ଼ ଲଜ୍ଜିତ ଓ ମର୍ମାହତ ହୋଇଛି, ମତେ କ୍ଷମା ଦିଅନ୍ତୁ ।’’

 

ଶ୍ରମଣମାନଙ୍କ ହୃଦୟରେ କ୍ରୋଧ ବା ହିଂସାର ଆଦୌ ସ୍ଥାନ ନ ଥାଏ । ଆଚାର୍ଯ୍ୟ ମହାକାଞ୍ଚନ ଦେବରାଜଙ୍କୁ କ୍ଷମାଦେଲେ ଏବଂ ସ୍ୱର୍ଗରାଜ୍ୟର ରାଜା ହେଲେହେଁ ମର୍ତ୍ତ୍ୟବାସୀଙ୍କ ପ୍ରତି ଅହିଂସା ଉଦାରଭାବ ଦେଖାଇବା ପାଇଁ କହିଲେ ।

 

ଏହିରୂପେ ଇନ୍ଦ୍ରଦେବ ମହାଶିକ୍ଷା ପାଇ ଅତ୍ୟନ୍ତ ସନ୍ତୁଷ୍ଟ ଚିତ୍ତରେ ଆଚାର୍ଯ୍ୟଙ୍କୁ ପ୍ରଣାମ କରି ଦେବରାଜ୍ୟକୁ ଚାଲିଗଲେ ।

Image

 

କ୍ଷାନ୍ତି ଜାତକ

 

ବାରାଣସୀର ରାଜା ‘କଲାବୁ’ ଅତି ପରାକ୍ରମଶାଳୀ ଓ ଦୁର୍ଦ୍ଦାନ୍ତ ଥିଲେ । ଅଧିକାଂଶ ସମୟରେ ସେ ସୁରାପାନ କରୁଥିଲେ ଏବଂ ତାହାରି ଫଳରେ ଏତେ କ୍ରୁଦ୍ଧ ହୋଇ ପଡ଼ୁଥିଲେ ଯେ, ସେତେବେଳେ ତାଙ୍କର କୌଣସି ହିତାହତ ବିଚାର ରହୁ ନ ଥିଲା । ଏହି କଲାବୁଙ୍କ ରାଜତ୍ୱକାଳରେ ବୋଧିସତ୍ତ୍ୱ ଜଣେ ବିଭବଶାଳୀ ବ୍ରାହ୍ମଣର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ନାମ ହୋଇଥିଲା ‘କୁଣ୍ଡଳକୁମାର‘ ।

କୁଣ୍ଡଳକୁମାର ଶୈଶବ ଅତିକ୍ରମ କରି ବାଲ୍ୟବସ୍ଥାରେ ପଦାର୍ପଣ କରନ୍ତେ ପିତା ତାଙ୍କୁ ବିଦ୍ୟାଶିକ୍ଷା ପାଇଁ ତକ୍ଷଶିଳା ପଠାଇଦେଲେ । କୁଣ୍ଡଳକୁମାର ସେଠାରେ କେତେବର୍ଷ ରହି କଠୋର ପରିଶ୍ରମଦ୍ୱାରା ବେଦବେଦାଙ୍ଗ, ଶାସ୍ତ୍ରପୁରାଣାଦି ଅଧ୍ୟୟନ କଲେ ଏବଂ ଶେଷରେ ସର୍ବବିଦ୍ୟା ବିଶାରଦ ହୋଇ ଗୃହକୁ ଫେରିଆସିଲେ । ସେତେବେଳକୁ ପିତାମାତା ଜରାଗ୍ରସ୍ତ ହୋଇ ସାରିଥାନ୍ତି; ତେଣୁ କୁଣ୍ଡଳକୁମାର ଗାର୍ହସ୍ଥ୍ୟଧର୍ମ ଅବଲମ୍ୱନ କରି ପିତାମାତାଙ୍କୁ ସଂସାରଜଞ୍ଜାଳରୁ ଅବ୍ୟାହତି ଦେଲେ ।

କିଛି କାଳ ପରେ କୁଣ୍ଡଳକୁମାରଙ୍କ ପିତା ଓ ମାତା ଉଭୟେ ପଛକୁ ପଛ ସ୍ୱର୍ଗାରୋହଣ କଲେ । ଏବେ କୁଣ୍ଡଳକୁମାର ପିତାର୍ଜିତ ସମସ୍ତ ଧନରତ୍ନ ଓ ଜମିବାଡ଼ିର ଉତ୍ତରାଧିକାରୀ ହେଲେ । ଦିନେ ସେହି ଅତୁଳ ଐଶ୍ୱର୍ଯ୍ୟ ଓ ଧନାଗାର ପ୍ରଭୃତିକୁ ଚାହିଁ କୁଣ୍ଡଳକୁମାର ଭାବିଲେ;

ପିତା ଏତେ ଅର୍ଥ, ଏତେ ଧନରତ୍ନ, ମଣିମାଣିକ୍ୟ ଜୀବନରେ ଉପାର୍ଜନ କରିଥିଲେ, ପୁଣି ରାଜନଅର ସଦୃଶ ଏହି ବିରାଟ ଗୃହମାଳା ନିର୍ମାଣ କରାଇଥିଲେ; କିନ୍ତୁ ସଂସାର ଛାଡ଼ି ଚାଲିଗଲାବେଳେ ତ କିଛି ହେଲେ ସଙ୍ଗରେ ନେଇପାରିଲେ ନାହିଁ । ମୁଁ ଆଜି ଏହି ବିପୁଳ ବିଭବର ଅଧିକାରୀ ହୋଇଥିଲେ ହେଁ ମୃତ୍ୟୁବେଳେ ଏଗୁଡ଼ିକରୁ ଗୋଟିଏ ହେଲେ ମୋ ସହିତ ମଧ୍ୟ ଯିବ ନାହିଁ । ତେବେ ଏ ଅସାର ଧନର ମୋହରେ ଘାଣ୍ଟିହେବା କି ଦରକାର ?’’

 

କୁଣ୍ଡଳକୁମାର ଏହିପରି କେତେ କଣ ଭାବିଲେ । ଭଣ୍ଡାରରେ ଏତେ ସମ୍ପତ୍ତି ଠୁଳାଇ ରଖିବା ଅପେକ୍ଷା ସେଗୁଡ଼ିକୁ ଦୀନଦୁଃଖୀ ଭିକାରିଙ୍କୁ ବାଣ୍ଟିଦେବା ଶ୍ରେୟସ୍କର ମନେକଲେ । ସେହି ଦିନଠାରୁ ତାଙ୍କ ମନରେ ସଂସାର ପ୍ରତି ଘୋର ବୈରାଗ୍ୟ ଜାତ ହେଲା । ସେ ନିଜର ସଞ୍ଚିତ ଧନକୁ ଏଣିକି ଦାନ କରିବାକୁ ଲାଗିଲେ । କେତେକ ବର୍ଷ ପରେ ଯେତେବେଳେ ସମସ୍ତ ସମ୍ପତ୍ତି ନିଃଶେଷ ହୋଇଗଲା; କୁଣ୍ଡଳକୁମାର ସନ୍ନ୍ୟାସୀହୋଇ ହିମାଳୟକୁ ଚାଲିଗଲେ । ଫଳମୂଳ ଖାଇ ସେଠାରେ ଭଗବାନଙ୍କୁ ନିତ୍ୟ ଆରାଧନା କରି ପବିତ୍ର ଭାବରେ ଜୀବନ କଟାଇଲେ ।

 

ହିମାଳୟରେ କେତୋଟି ବର୍ଷ ଅତୀତ ହେଲା । ସାଧନାଦ୍ୱାରା ସେ ସମସ୍ତ ଇନ୍ଦ୍ରିୟକୁ ଜୟକରି ମନରେ ଅଶେଷ ସନ୍ତୋଷ ଲାଭ କଲେ । ତାହାପରେ ଲବଣ ଓ ଅମ୍ଲଖାଇ ଜିହ୍ୱାର ରୁଚି ବଦଳାଇଦେବା ପାଇଁ ସେ ମନସ୍ଥ କଲେ ଏବଂ ସେହି ଉଦ୍ଦେଶ୍ୟରେ ବାରାଣସୀକୁ ଆସିଲେ । ଭିକ୍ଷାପାତ୍ରହସ୍ତ ସନ୍ନ୍ୟାସୀ କୁଣ୍ଡଳକୁମାରଙ୍କୁ ରାଜାଙ୍କ ସେନାପତି ପରମ ଆଦରରେ ନିଜ ଗୃହକୁ ନିମନ୍ତ୍ରଣ କରି ଘେନିଗଲେ ଏବଂ ଦିବ୍ୟ ଅନ୍ନବ୍ୟଞ୍ଜନ, ପାୟସାଦି ଭୋଜନ ଦେଇ ପରିତୃପ୍ତ କରାଇଦେଇ ତହିଁରେ ବାସ କରିବାକୁ ସନ୍ନ୍ୟାସୀଙ୍କୁ ଅନୁରୋଧ କଲେ । କୁଣ୍ଡଳକୁମାର ତାଙ୍କ ଅନୁରୋଧ ଏଡ଼ିଦେଇ ନ ପାରି ରାଜୋଦ୍ୟାନର ସେହି ନବନିର୍ମିତ କୁଟୀରରେ ଏକାକୀ ଅବସ୍ଥାନ କରିବାକୁ ଲାଗିଲେ ।
 

ଦିନେ ରାଜା ‘କଲାବୁ’ ସୁରାପାନରେ ଉନ୍ମତ୍ତ ହୋଇ ରାଜୋଦ୍ୟାନକୁ ଆସିଲେ ଏବଂ କୁଞ୍ଜମଣ୍ଡିତ ଏକ ମଣ୍ଡପର ସୁକୋମଳ ଶଯ୍ୟାରେ ଶୟନ କଲେ । ନର୍ତ୍ତକୀମାନେ ସେଠାରେ ଉପସ୍ଥିତ ଥାଇ ବିବିଧ ନୃତ୍ୟଗୀତରେ ରାଜାଙ୍କ ମନ ତୁଷ୍ଟ କରିବାକୁ ଲାଗିଲେ ।

 

କିଛି ସମୟ ପରେ ମଦିରାସକ୍ତ ରାଜା ନିଦ୍ରାରେ ଅବିଭୂତ ହୋଇପଡ଼ିଲେ । ଏହା ଦେଖି ନର୍ତ୍ତକୀମାନେ ଗୀତନୃତ୍ୟ ବନ୍ଦକରି ଉଦ୍ୟାନର ଚାରିଆଡ଼େ ବୁଲି ବାହାରିଲେ । ସେମାନେ ବୁଲୁ ବୁଲୁ ଉଦ୍ୟାନର ଏକ ପ୍ରାନ୍ତରେ ଥିବା ସେହି କୁଟୀର ମଧ୍ୟରେ ଜଣେ ଗୌରବପୁ ସନ୍ନ୍ୟାସୀଙ୍କୁ ଦେଖିବାକୁ ପାଇଲେ । ତାଙ୍କର ପ୍ରଶାନ୍ତ ମୁଖମଣ୍ଡଳରୁ ଏକ ଅପୂର୍ବ ସ୍ନିଗ୍‍ଧ ଜ୍ୟୋତି ବାହାରୁଥାଏ । ସେହି ସନ୍ନ୍ୟାସୀ ହେଉଛନ୍ତି କୁଣ୍ଡଳକୁମାର ।

 

ନର୍ତ୍ତକୀମାନେ ସନ୍ନ୍ୟାସୀଙ୍କୁ ଦର୍ଶନ କରିବା ପାଇଁ କୁଟୀର ନିକଟକୁ ଗଲେ ଏବଂ ତାଙ୍କ ପାଦତଳେ ପ୍ରଣାମ କରି କହିଲେ :

 

‘‘ପ୍ରଭୁ ! ଆପଣଙ୍କ ଚରଣଧୂଳି ପାଇ ଆମେମାନେ ଆଜି ଜୀବନକୁ ସାର୍ଥକ କରିଛୁଁ । ଦୟାକରି ଆମମାନଙ୍କୁ କିଛ ଧର୍ମୋପଦେଶ ଦିଅନ୍ତୁ ।’’

 

କୁଣ୍ଡଳକୁମାର ସେମାନଙ୍କୁ ଆଶୀର୍ବାଦ କରି ଧୀରଗମ୍ଭୀର କଣ୍ଠରେ କେତେକ ଧର୍ମକଥା ବୁଝାଇବାକୁ ଲାଗିଲେ । ନର୍ତ୍ତକୀଦଳ ଏକମନରେ ତାହା ଶୁଣୁଥାନ୍ତି ।

 

ଏହି ସମୟରେ ରାଜା କଲାବୁଙ୍କର ନିଦ୍ରାଭଙ୍ଗ ହୋଇଗଲା । ସେ ଚକ୍ଷୁ ଉନ୍ମୀଳନ କରି ଦେଖିଲେ, ନର୍ତ୍ତକୀମାନେ ପାଖରେ ନାହାନ୍ତି । କର୍ତ୍ତବ୍ୟପାଳନରେ ସେମାନେ ତ୍ରୁଟି କରିଛନ୍ତି ବୋଲି ରାଜା କ୍ରୋଧରେ ଅସମ୍ଭାଳ ହୋଇଗଲେ ଏବଂ ମଣ୍ଡପ ଛାଡ଼ି ଉଦ୍ୟାନମଧ୍ୟରେ ସେମାନଙ୍କୁ ଅନ୍ୱେଷଣ କରିବାକୁ ଲାଗିଲେ । ଶେଷରେ କୁଟୀରଦ୍ୱାରରେ ନର୍ତ୍ତକୀମାନଙ୍କୁ ଦେଖି ରାଜା ସେଠାକୁ ଧାଇଁଗଲେ । ସେଠାରେ ସନ୍ନ୍ୟାସୀ କୁଣ୍ଡଳକୁମାରଙ୍କ ଉପରେ ଦୃଷ୍ଟି ପଡ଼ିଗଲା ମାତ୍ର କଲାବୁଙ୍କ କ୍ରୋଧ ଦ୍ୱିଗୁଣିତ ହୋଇଉଠିଲା । କୁଣ୍ଡଳକୁମାରଙ୍କୁ ଗୋଟାଏ ଭଣ୍ଡ ତପସ୍ୱୀ ଭାବି ସେ କଟିଦେଶରୁ ଖଣ୍ଡା କାଢ଼ି ତାଙ୍କୁ ମାରିଦେବା ପାଇଁ ବାହାରିଲେ । ଏହା ଦେଖି ନର୍ତ୍ତକୀମାନେ ତାଙ୍କ ହସ୍ତରୁ ଖଣ୍ଡାଟି ଛଡ଼ାଇନେଲେ ଏବଂ ଏଭଳି ଅନୁଚିତ କାର୍ଯ୍ୟ ନ କରିବାପାଇଁ ତାଙ୍କୁ ବିନୟର ସହିତ ଅନୁରୋଧ କଲେ । ରାଜାଙ୍କର କ୍ରୋଧ ଟିକିଏ ଶାନ୍ତ ହେଲା । ସେ ତପସ୍ୱୀଙ୍କୁ ବଧ କରିବା ଚେଷ୍ଟାରୁ କ୍ଷାନ୍ତ ହେଲେ ।

 

ତାହାପରେ ରାଜା ଔଦ୍ଧତ୍ୟମିଶା ସ୍ୱରରେ କୁଣ୍ଡଳକୁମାରଙ୍କୁ ଜିଜ୍ଞାସା କଲେ :

 

‘‘କହ ଶ୍ରମଣ ! ତୁମେ କେଉଁ ମତବାଦୀ ?’’

 

କୁଣ୍ଡଳକୁମାର ଧୀର ସ୍ୱରରେ ଉତ୍ତର ଦେଲେ :

 

‘‘ମୁଁ କ୍ଷାନ୍ତିବାଦୀ ।’’

 

ରାଜା ପୁଣି ପ୍ରଶ୍ନ କଲେ :

 

‘‘କ୍ଷାନ୍ତି କାହାକୁ କହନ୍ତି, ବୁଝାଇଦେଇ ପାରିବ ?’’

 

ଖୁବ୍‍ ସଂକ୍ଷେପରେ କୁଣ୍ଡଳକୁମାର ବୁଝାଇଦେଲେ :

 

‘‘ତୀବ୍ର ଭର୍ତ୍ସନାରେ, ଅସହ୍ୟ ପ୍ରହାରରେ, ଘୋର ଅପମାନରେ କିମ୍ୱା ଭୀଷଣ ଅନିଷ୍ଟରେ ମଧ୍ୟ ଯଦି ଲୋକ ନିର୍ବିକାର ଓ ଅବିଚଳିତ ରହିପାରେ, ତାହାହେଲେ ତାର ସେହି ସହିଷ୍ଣୁ ମନୋଭାବକୁ ‘‘କ୍ଷାନ୍ତି’’ କୁହାଯାଏ ।’’

 

ରାଜାକଲାବୁ ଏଥର କୁଣ୍ଡଳକୁମାରଙ୍କ କ୍ଷାନ୍ତିକୁ ପରୀକ୍ଷା କରିବାପାଇଁ ସ୍ଥିର କଲେ । ସଙ୍ଗେ ସଙ୍ଗେ ସେ ଜହ୍ଲାଦକୁ ଡକାଇ ପଠାଇଲେ । ରାଜାଜ୍ଞା ଶୁଣି ଭୀମକାୟ ଜହ୍ଲାଦ ଉଦ୍ୟାନରେ ଆସି ଉପସ୍ଥିତ ହେଲା । ତାର ବାମ ସ୍କନ୍ଧରେ ଶାଣିତ କୁଠାର ଏବଂ ଦକ୍ଷିଣ ହସ୍ତରେ ତୀକ୍ଷ୍ଣ କଣ୍ଟକଜଡ଼ିତ ଦୀର୍ଘ ଚାବୁକ–ସତେ ଯେପରି କୃତାନ୍ତର ମୂର୍ତ୍ତିମନ୍ତ ଅବତାର ! ସେ ଅବନତ ମସ୍ତକରେ ରାଜାଙ୍କୁ ପ୍ରଣତି ଦେଇ ତାଙ୍କ ମୁଖର ଆଦେଶକୁ ଅପେକ୍ଷାକରି ରହିଲା । ରାଜା ଏବେ ତପସ୍ୱୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଘାତକକୁ ଚାହିଁ କହିଲେ :

 

‘‘ଏଇ ଭଣ୍ଡ ଚୋରଟାକୁ ଟାଣିନେଇ ଆସ, ମୋରି ସମ୍ମୁଖରେ ମାଟିରେ ଫିଙ୍ଗିଦେଇ ଗଣି ଗଣି କଣ୍ଟାଚାବୁକରେ ଦୁଇହଜାର ପାହାର ଦିଅ ।’’

 

ଜହ୍ଲାଦ ମୁହୂର୍ତ୍ତେ ବିଳମ୍ୱ ନ କରି ରାଜାଜ୍ଞାକୁ ଅକ୍ଷରେ ଅକ୍ଷରେ ପାଳନ କଲା । ନିଷ୍ଠୁର କୁଶାଘାତରେ କୁଣ୍ଡଳକୁମାରଙ୍କ ସର୍ବାଙ୍ଗ କ୍ଷତବିକ୍ଷତ ହୋଇଗଲା, ଚର୍ମ ଫାଟି ଧାର ଧାର ରକ୍ତ ନିର୍ଗତ ହେଲା, ତଥାପି ସେ ନିର୍ବିକାର । ବସିବା ସ୍ଥାନରୁ ସୂଚ୍ୟଗ୍ର ସୁଦ୍ଧା ଇତସ୍ତତଃ ହେଲେ ନାହିଁ, ପୂର୍ବପରି ଶାନ୍ତ ଓ ଅବିଚଳିତ ରହି ନୀରବରେ ସମସ୍ତ ଆଘାତ ସହିଗଲେ । ସତେ ଯେପରି ଧୈର୍ଯ୍ୟର ଅଚଳ ହିମାଳୟ !

 

ରାଜା ପୁଣି ଗର୍ବିତ ସ୍ୱରରେ ପଚାରିଲେ–

 

‘‘ଏବେ କହ ତ ତପସ୍ୱୀ, ତୁମେ କେଉଁ ମତବାଦୀ ?’’

 

କୁଣ୍ଡଳକୁମାର ପ୍ରଶାନ୍ତ ମୁଖରେ ଉତ୍ତର ଦେଲେ :

 

‘‘ଥରେ ତ କହିଛି ମହାରାଜ, ମୁଁ କ୍ଷାନ୍ତିବାଦୀ । ଏ ସାମାନ୍ୟ ପ୍ରହାରରେ କଣ ମୋର ମତ ବଦଳିଯିବ ? ଆପଣ ବୋଧହୁଏ ଭାବିଛନ୍ତି, ମୋ ଚମଡ଼ାତଳେ କ୍ଷାନ୍ତି ଅଛି ବୋଲି, ସେଥିପାଇଁ କଣ୍ଟା ଚାବୁକରେ ପିଟି ମୋ ଦେହର ଚମଡ଼ାକୁ ଛିଣ୍ଡାଇ ପକାଇଛନ୍ତି । କିନ୍ତୁ ମନେରଖନ୍ତୁ, କ୍ଷାନ୍ତି ଚମଡ଼ା ତଳେ ନାହିଁ–ସେ ଅଛି ମୋର ହୃଦୟ ଭିତରେ । ସେ ପର୍ଯ୍ୟନ୍ତ ଭେଦ କରିବା ଆପଣଙ୍କ ପରି କ୍ରୋଧୀ ପକ୍ଷରେ ଅସମ୍ଭବ । ଯେ ଅକ୍ରୋଧୀ, ଅଚଞ୍ଚଳ ଓ ଅହିଂସ; ସେଇ କେବଳ କ୍ଷାନ୍ତିର ସନ୍ଧାନ ପାଏ, ତାର ସ୍ୱାଦ ଜାଣିପାରେ ।’’

 

ଏହା ଶୁଣି ରାଜା ଆହୁରି କ୍ରୋଧଜର୍ଜର ହୋଇଉଠିଲେ । ତାଙ୍କ ନିର୍ମମ ଆଦେଶରେ ସନ୍ନ୍ୟାସୀଙ୍କ ହସ୍ତ, ପଦ, ନାସା, କର୍ଣ୍ଣ ଗୋଟି ଗୋଟି କରି କାଟି ଦିଆଗଲା । ପ୍ରତ୍ୟେକ ଥର ରାଜା ପଚାରୁଥାନ୍ତି, ‘‘କହ ସନ୍ନ୍ୟାସୀ, ତୁମେ କି ବାଦୀ ?’’ ପ୍ରତ୍ୟେକ ଥର ସନ୍ନ୍ୟାସୀ ଉତ୍ତର ଦେଉଥାନ୍ତି, ‘‘ମୁଁ କ୍ଷାନ୍ତିବାଦୀ ।’’ ରାଜା କୌଣସି ପ୍ରକାରେ କୁଣ୍ଡଳକୁମାରଙ୍କୁ ବିଚଳିତ ବା ଅଧୀର କରାଇପାରିଲେ ନାହିଁ, ତହୁଁ ଚୂଡ଼ାନ୍ତ କ୍ରୋଧରେ ସନ୍ନ୍ୟାସୀଙ୍କ ବକ୍ଷରେ ଏକ ପ୍ରଚଣ୍ଡ ପଦାଘାତ କରି ଶେଷରେ ସେଠାରୁ ପଳାଇଗଲେ ।

 

ସନ୍ନ୍ୟାସୀଙ୍କ ଉପରେ ଅମାନୁଷିକ ଅତ୍ୟାଚାରର ସଂବାଦ ଶୁଣି ସେନାପତି ଉଦ୍ୟାନରେ ଆସି ଉପସ୍ଥିତ ହେଲେ । ସେ କୁଣ୍ଡଳକୁମାରଙ୍କ ଦେହରୁ ରକ୍ତଧାରା ପୋଛିଦେଇ ତାଙ୍କ ହସ୍ତ, ପଦ, ନାସା, କର୍ଣ୍ଣରେ ପ୍ରଳେପ ବୋଳି ପଟି ବାନ୍ଧିଦେଲେ । ତାପରେ କୃତାଞ୍ଜଳିପୁଟରେ ନିବେଦନ କଲ :

 

‘‘ସନ୍ନ୍ୟାସୀ ! ରାଜାହିଁ ଆପଣଙ୍କ ଉପରେ ଏଭଳି ଅକଥନୀୟ ଓ ଅମାନୁଷିକ ଅତ୍ୟାଚାର କରିଛନ୍ତି; ତେଣୁ ଆପଣ ଯଦି କ୍ରୁଦ୍ଧ ହୁଅନ୍ତି, ତାହାହେଲେ ସେହି ରାଜାଙ୍କ ଉପରେ କେବଳ କ୍ରୁଦ୍ଧ ହେବେ । ଯେବେ ରାଜ୍ୟ ଉପରେ ଆପଣ ପ୍ରତିହିଂସା ନେବାକୁ ବସନ୍ତି, ତେବେ ମୁହୂର୍ତ୍ତକେ ସମଗ୍ର ବାରାଣସୀ ଛାରଖାର ହୋଇଯିବ । ଦୟାକରି ତାହା ଯେପରି ନ କରନ୍ତି ।’’

 

କୁଣ୍ଡଳକୁମାର ହସି ହସି ଉତ୍ତର ଦେଲେ;

 

‘‘ସେନାପତି ! ମୋ ହୃଦୟରେ କ୍ରୋଧର ସୃଷ୍ଟି ହେବା ଅସମ୍ଭବ । ରାଜା ସେଠାରେ କ୍ଷାନ୍ତିର ପରୀକ୍ଷା କରିବାକୁ ଯାଇ ନିଜେ କ୍ଷାନ୍ତି ନିକଟରେ ପରୀକ୍ଷିତ ହୋଇଛନ୍ତି । ଆଶୀର୍ବାଦ କରୁଛି, ସେ ଚିରଜୀବୀ ହୁଅନ୍ତୁ ଏବଂ କ୍ଷାନ୍ତିର ମହାଶକ୍ତି ବୁଝିପାରି ସେହି ବଳରେ ନିଜକୁ ବଳୀୟାନ୍‍ କରନ୍ତୁ ।’’

 

କହୁଁ କହୁଁ କୁଣ୍ଡଳକୁମାରବେଶୀ ବୋଧିସତ୍ତ୍ୱ ସେହିଠାରେ ଦେହ ଛାଡ଼ିଲେ । ସେନାପତି ଓ ଶତ ଶତ ନାଗରିକ ମିଳି ତାଙ୍କର ଔର୍ଦ୍ଧ୍ୱଦେହିକ କ୍ରିୟା ସମାପନ କଲେ ।

Image

 

ମହାଜନକ ଜାତକ

 

ଅରିଷ୍ଟଜନକ ନାମରେ ମିଥିଳାର ଜଣେ ରାଜା ଥିଲେ । ତାଙ୍କ ସାନଭାଇଙ୍କ ନାମ ପୋପଜନକ । ଦୁଇଭାଇଙ୍କ ମଧ୍ୟରେ ଖୁବ୍‍ ସଦ୍ଭାବ ଥିଲା । ରାଜ୍ୟର କେତେଜଣ ଖଳପ୍ରକୃତିର ଲୋକ ଏହା ସହିପାରିଲେ ନାହିଁ । ସେମାନେ ଦିନେ ଗୋପନରେ ଆସି ରାଜାଙ୍କୁ କହିଲେ–‘‘ମହାରାଜ ! ପୋପଜନକ ଆପଣଙ୍କୁ ବଧକରି ସିଂହାସନ ଅଧିକାର କରିବାକୁ ଗୁପ୍ତ ଷଡ଼ଯନ୍ତ୍ର ଚଳାଇଛନ୍ତି । ଆପଣ ଏଣିକି ସତର୍କ ହୋଇ ଏହାର ପ୍ରତିକାର କରନ୍ତୁ ।’’

ରାଜା ଏହି ସମ୍ୱାଦରେ ପ୍ରଥମେ ବିଶ୍ୱାସ କଲେ ନାହିଁ; ମାତ୍ର ପରେ ତାଙ୍କ ମନରେ ସନ୍ଦେହ ଆସିଲା । ସାଧାରଣତଃ ଭାଇମାନେ ରାଜାର ଶତ୍ରୁ ହୋଇଥାନ୍ତି, ଏହା ଭାବି ସେ ପୋପଜନକଙ୍କୁ ବନ୍ଦୀକରି କାରାରୁଦ୍ଧ କରିଦେଲେ ।

ପୋପଜନକ ଏଥିରେ ଅତ୍ୟନ୍ତ ଦୁଃଖିତ ହେଲେ ଏବଂ କିଛି କାଳ ପରେ କୌଶଳ କରି କାରାଗାରରୁ ଖସି ପଳାଇଲେ । କ୍ରମେ ସତ୍ୟଘଟନା ଚାରିଆଡ଼େ ପ୍ରଚାରିତ ହୋଇଗଲା । ରାଜା ଦୁଷ୍ଟ ଲୋକଙ୍କ କଥାରେ ପଡ଼ି ନିର୍ଦ୍ଦୋଷ ପୋପଜନକଙ୍କୁ ଦଣ୍ଡ ଦେଇଥିବାରୁ ଅସଂଖ୍ୟ ପୋପଜନକଙ୍କ ପ୍ରତି ସହାନୁଭୂତି ଦେଖାଇଲେ । ପୋପଜନକ ଏହି ସୁଯୋଗ ପାଇ ଗୋଟିଏ ବଡ଼ ସୈନଦଳ ଗଢ଼ିଲେ ଏବଂ ହଠାତ୍‍ ଦିନେ ସେମାନଙ୍କ ସାହାଯ୍ୟରେ ରାଜଧାନୀ ଆକ୍ରମଣ କଲେ ।

ରାଜା ଅରିଷ୍ଟଜନକ କ୍ରୋଧରେ ଅସମ୍ଭାଳ ହୋଇ ସୈନ୍ୟ ସହ ଯୁଦ୍ଧକୁ ବାହାରି ପଡ଼ିଲେ-। ଦୁଇ ଦଳ ମଧ୍ୟରେ ଘୋର ଯୁଦ୍ଧ ଚାଲିଲା, କିନ୍ତୁ ଶେଷରେ ରାଜା ମୃତ୍ୟୁମୁଖରେ ପଡ଼ିଲେ-। ପୋପଜନକ ଏଥର ରାଜପୁରୀ ମଧ୍ୟକୁ ପଶି ସିଂହାସନ ଅଧିକାର କଲେ ।

ସ୍ୱାମୀଙ୍କ ମୃତ୍ୟୁସଂବାଦ ପାଇବା ସଙ୍ଗେ ସଙ୍ଗେ ବୁଦ୍ଧିମତୀ ରାଣୀ କିଛି ଧନରତ୍ନ ଘେନି ଉଆସ ଛାଡ଼ି ପଳାଇ ଆସିଲେ ଏବଂ ଖଣ୍ଡିଏ ଗୋରୁଗାଡ଼ି ଯୋଗାଡ଼ କରି ତହିଁରେ ବସି ଚମ୍ପାନଗରକୁ ଚାଲିଗଲେ । ସେତେବେଳେ ସେ ଗର୍ଭବତୀ ଥାଆନ୍ତି । ଚମ୍ପାନଗରରେ ଏକ ବ୍ରାହ୍ମଣଗୃହରେ ବିଧବା ରାଣୀ ଆଶ୍ରୟ ନେଇ ରହିଲେ । ସେହିଠାରେ କେତେମାସ ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜାତ ହେଲା । ତାହାର ନାମ ହେଲା ‘ମହାଜନକ’ । ନିଜେ ବୋଧିସତ୍ତ୍ୱ ରାଣୀଙ୍କର ପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ ।

 

ଆଶ୍ରୟଦାତା ସେହି ବ୍ରାହ୍ମଣଙ୍କ ଯତ୍ନରୁ ମହାଜନକ ନାନା ବିଦ୍ୟା ଶିକ୍ଷାକରି ଖୁବ୍‍ ବିଦ୍ୱାନ ହେଲେ । ବଡ଼ ହେବା ପରେ ସେ ନିଜ ମାଆଙ୍କର ସମସ୍ତ ଇତିହାସ ଜାଣିପାରିଲେ ଏବଂ ପିତୃରାଜ୍ୟ ଉଦ୍ଧାର କରିବାପାଇଁ ପ୍ରତିଜ୍ଞା କଲେ । ସେଥିପାଇଁ ଅସଂଖ୍ୟ ସୈନ୍ୟ ଦରକାର । ବିନା ଧନରେ ସୈନ୍ୟ ଦରକାର । ବିନା ଧନରେ ସୈନ୍ୟ ସଂଗ୍ରହ କରିବା ଅସମ୍ଭବ ଜାଣି ସେ ମାତାଙ୍କଠାରୁ କିଛି ଧନରତ୍ନ ନେଇ ସୁମାତ୍ରା ଦ୍ୱୀପକୁ ବାଣିଜ୍ୟ ପାଇଁ ଯାତ୍ରା କଲେ । ଦୁର୍ଭାଗ୍ୟବଶତଃ ତାଙ୍କ ବୋଇତଟି ସମୁଦ୍ରଗର୍ଭରେ ବୁଡ଼ିଗଲା । ମହାଜନକ ସର୍ବସ୍ୱ ହରାଇ କୌଣସିମତେ ଜୀବନ ଘେନି କୂଳରେ ଲାଗିଲେ ।

 

ମହାଜନକ ପାଦରେ ବହୁ ଦେଶ ଚାଲି ଚାଲି ଦୈବକ୍ରମେ ଆସି ମିଥିଳାରେ ପହଞ୍ଚିଲେ-। ସେତେବେଳେ ସେ ଅତ୍ୟନ୍ତ ପଥଶ୍ରାନ୍ତ ଓ କ୍ଷୁଧାର୍ତ୍ତ । ଦେହରେ ଆଉ ଶକ୍ତି ନ ଥାଏ । ତେଣୁ ଏକ ଆମ୍ୱବଗିଚାରେ ଭୂତଳରେ ବିଶ୍ରାମ କରୁ କରୁ ସେ ଗାଢ଼ ନିଦରେ ଶୋଇପଡ଼ିଲେ ।

 

ଠିକ୍‍ ଏହାପୂର୍ବରୁ ପୋପଜନଙ୍କର ମୃତ୍ୟୁ ହୋଇଯାଇଥାଏ । ‘ସୀବଳୀ’ ନାମକ ଏକମାତ୍ର ଦୁହିତା ଛଡ଼ା ତାଙ୍କର ଅନ୍ୟ କୌଣସି ସନ୍ତାନସନ୍ତତି ନ ଥାନ୍ତି । ମୃତ୍ୟୁପୂର୍ବରୁ ରାଜା କହିଯାଇଥିଲେ ଯେ; ସୀବଳୀଙ୍କୁ ଯେ ବିବାହ କରିବେ, ସେଇ ହେବେ ମିଥିଳାର ରାଜା । ତେଣୁ ଅମାତ୍ୟମାନେ ପାଟହାତୀକୁ ମନ୍ତ୍ରପୂତ ଜଳରେ ସ୍ନାନ କରାଇ ରାଜା ନିର୍ବାଚନ କରିବାପାଇଁ ପଠାଇ ଦେଇଥାନ୍ତି । ତାହା ସହିତ କେତେଜଣ ମନ୍ତ୍ରୀ ମଧ୍ୟ ଯାଇଥାନ୍ତି ।

 

ପାଟହାତୀ ଅନେକଆଡ଼େ ବୁଲି ବୁଲି ଶେଷରେ ସେହି ଆମ୍ୱବଗିଚାରେ ଉପସ୍ଥିତ ହେଲା ଏବଂ ନିଦ୍ରିତ ମହାଜନକଙ୍କୁ ଶୁଣ୍ଢରେ ଟେକି ଜାଗରିତ କରିଦେଲା । ଏବେ ହସ୍ତୀ ସହିତ ଯାଇଥିବା ମନ୍ତ୍ରୀମାନେ ତାଙ୍କୁ କହିଲେ :

 

‘‘ଆପଣ ମିଥିଳାର ରାଜା ରୂପେ ନିର୍ବାଚିତ ହେଲେ । ଏବେ ପାଟହାତୀରେ ଚଢ଼ି ନଅରକୁ ଆସନ୍ତୁ । ଆପଣଙ୍କର ରାଜ୍ୟାଭିଷେକ ହେବ ।’’

 

ମହାଜନକ ବିନା ଚେଷ୍ଟାରେ ପିତୃରାଜ୍ୟ ଫେରି ପାଇଲେ । ସେ ଆନନ୍ଦରେ ହସ୍ତୀରେ ବସି ରାଜପୁରୀକୁ ଗଲେ ଏବଂ ସାବଳୀଙ୍କୁ ବିବାହ କରି ରାଜସିଂହାସନରେ ମଣ୍ଡନ କଲେ । ସେ ସଙ୍ଗେ ସଙ୍ଗେ ଚମ୍ପାନଗରକୁ ରଥ ପଠାଇ ମାତାଙ୍କୁ ଘେନିଆସିଲେ ଏବଂ ତାଙ୍କରି ଉପଦେଶମତେ ପ୍ରଜାମାନଙ୍କୁ ପାଳନ କରିବାକୁ ଲାଗିଲେ ।

 

କିଛି କାଳ ପରେ ମାତାଙ୍କର ମୃତ୍ୟୁ ଘଟିଲା । ମହାଜନକ ମାତୃଶୋକରେ ବଡ଼ କାତର ହୋଇପଡ଼ିଲେ । ସେ ଦିନେ ଉଦ୍ୟାନକୁ ବୁଲିଯାଇଥିଲେ । ସେଠାରେ ଦେଖିଲେ, ଗୋଟିଏ ଆମ୍ବଗଛ ପକ୍ୱଫଳ ଭାରରେ ଅବନତ ହୋଇପଡ଼ିଛି, ଅଥଚ ତାର ପାର୍ଶ୍ୱବର୍ତ୍ତୀ ଅନ୍ୟ ଆମ୍ୱଗଛଟିରେ ଗୋଟିଏ ସୁଦ୍ଧା ଫଳ ନାହିଁ । ମହାଜନକ ପ୍ରଥମ ଗଛଟିରୁ ଗୋଟିଏ ପାଚିଲା ଆମ୍ୱ ତୋଳି ତାର ସ୍ୱାଦ ପରୀକ୍ଷା କଲେ । ତାହା ଅତି ଚମତ୍କାର ଲାଗିଲା ।

 

ତାହାପରେ ସେ ଅନ୍ୟଆଡ଼କୁ ଚାଲିଗଲେ ଏବଂ ଫେରିବାବେଳେ ପୁଣି ସେହି ଆମ୍ୱଗଛ ବାଟଦେଇ ଆସିଲେ । ଏଥିମଧ୍ୟରେ ଗୋଟିଏ ଘଟନା ଘଟିଯାଇଥାଏ । ରାଜା ସେହି ଫଳନ୍ତି ଗଛଟିର ଆମ୍ୱ ଏ ପର୍ଯ୍ୟନ୍ତ ଚାଖି ନଥିଲେ ବୋଲି ନଗରର କୌଣସି ଲୋକ ତହିଁରୁ ଆମ୍ୱ ନେଇ ନଥିଲେ । ଆଜି ରାଜା ତହିଁରୁ ଫଳଟିଏ ଚାଖି ଚାଲିଯିବା ପରେ ନଗରବାସୀମାନେ ଦଳ ଦଳ ହୋଇ ଆସି ଗଛଟିରୁ ସବୁଯାକ ଆମ୍ୱ ଝଡ଼ାଇ ନେଇଗଲେ; ଏପରି କି ଗଛରେ ଗୋଟିଏ ହେଲେ ପତ୍ର ମଧ୍ୟ ଆଉ ନ ଥାଏ ।

 

ରାଜା ଏବେ ସେହି ଗଛଟିକୁ କିଛିକ୍ଷଣ ଅନାଇ ରହିଲେ, ତାହା ସଙ୍ଗେ ସଙ୍ଗେ ଫଳହୀନ ଗଛଟିକୁ ମଧ୍ୟ ଥରେ ଚାହିଁଲେ । ଉଭୟ ଗଛର ଅବସ୍ଥା ଦେଖିବା ପରେ ତାଙ୍କ ମନରେ ହଠାତ୍‍ ଗୋଟିଏ ଭାବାନ୍ତର ଜାତ ହେଲା । ସେ ଭାବିଲେ :

 

ଫଳଭାରାନତ ଆମ୍ୱଗଛଟିର ଦଶା ଏବେ ଯାହା ହୋଇଛି, ଅତୁଳ ସଂପଦର ଅଧିକାରୀ ରାଜାର ମଧ୍ୟ ଦିନେ ଠିକ୍ ସେହିପରି ଦଶା ହେବ । ଫଳହୀନ ଆମ୍ୱଗଛଟିର କୌଣସି ପରିବର୍ତ୍ତନ ହୋଇନାହିଁ । ସେ ନିଜର ପଲ୍ଲବଘନ ସୌନ୍ଦର୍ଯ୍ୟ ଘେନି ପୂର୍ବପରି ସ୍ନିଗ୍‍ଧ ଶୀତଳ ଛାୟା ପ୍ରଦାନ କରୁଛି । ସର୍ବସ୍ୱତ୍ୟାଗୀ ସନ୍ନ୍ୟାସୀ ଏହି ଫଳହୀନ ତରୁଟି ପରି ଜୀବମାନଙ୍କୁ କରୁଣାର ଛାୟାଦେଇ ଶାନ୍ତିରେ ରହିଥାଏ ସିନା !’’

 

ସେହି ମୁହୂର୍ତ୍ତରୁ ମହାଜନକଙ୍କୁ ସଂସାର, ରାଜ୍ୟ, ଧନ, ପୁତ୍ର, ଦାରା ସବୁ ବିଷପରି ଲାଗିଲା । ସେ ରାଜପୁରୀକୁ ଫେରିଆସି ସମସ୍ତ ରାଜାଭୋଗ ପରିତ୍ୟାଗ କଲେ । ଆଉ ରାଜପୁରୀ ମଧ୍ୟରେ ରହିବାକୁ ତାଙ୍କର ଆଦୌ ଇଚ୍ଛା ହେଲା ନାହିଁ । କିଛିଦିନ ପରେ ସେ ନାପିତ ଡକାଇ ମସ୍ତକର କେଶ ମୁଣ୍ଡନ କରାଇଦେଲେ । ଗେରୁଆ ବସ୍ତ୍ର ଖଣ୍ଡିଏ ପିନ୍ଧି ଓ ମାଟି ପାତ୍ରଟିଏ ହସ୍ତରେ ଧରି ସନ୍ନ୍ୟାସୀ ବେଶରେ ନଅର ଛାଡ଼ି ଚାଲିଗଲେ ।

 

ରାଜପୁରୀରେ ହାହାକାର ପଡ଼ିଗଲା । ରାଣୀ ସୀବଳୀ କାନ୍ଦି କାନ୍ଦି ସ୍ୱାମୀଙ୍କ ପଛରେ ଗୋଡ଼ାଇଲେ । ସମସ୍ତ ଅମାତ୍ୟ, ସେନାପତି, ଅନୁଚର, ଦାସଦାସୀ ଓ ପୁରଜନ ଅଶ୍ରୁପୂର୍ଣ୍ଣ ନୟନରେ ରାଜାଙ୍କର ଅନୁଗମନ କଲେ । ରାଜସନ୍ନ୍ୟାସୀ କିଛିଦୂର ଯିବା ପରେ ଏକ ବୃକ୍ଷମୂଳରେ ବିଶ୍ରାମ ନେଲେ ।

 

ସ୍ୱାମୀଙ୍କ ବୈରାଗ୍ୟପୂର୍ଣ୍ଣ ମନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ରାଣୀ ଏଥିମଧ୍ୟରେ ଗୋଟିଏ ଉପାୟ କରିଦେଇ ଆସିଥିଲେ । ତଦନୁଯାୟୀ ମିଥିଳା ନଗରର ଚତୁଃପାର୍ଶ୍ୱରେ କାଷ୍ଠ, ତୃଣାଦିର ବଡ଼ ବଡ଼ ସ୍ତୂପମାନ ରଖାଯାଇ ତହିଁରେ ହଠାତ୍‍ ନିଆଁ ଲଗାଇ ଦିଆଗଲା । ଚାହୁଁ ଚାହୁଁ ସମଗ୍ର ନଗରଟି ଦଗ୍‍ଧ ହୋଇଯିବା ପରି ଦୂରରୁ ଦେଖାଗଲା । ରାଣୀ ସେହିଆଡ଼କୁ ଅଙ୍ଗୁଳି ଦେଖାଇ ମହାଜନକଙ୍କୁ କହିଲେ :

 

‘‘ଦେଖ ପ୍ରଭୁ, ତୁମେ ଆସିବା ସଙ୍ଗେ ସଙ୍ଗେ ମିଥିଳା କିପରି ପୋଡ଼ି ହୋଇଯାଇଛି । ଚାରିଆଡ଼ ଅଗ୍ନିଶିଖା ଓ ଧୂମରାଶିରେ କି ଭୀଷଣ ଦିଶିଲାଣି । ଫେରିଆସ ପ୍ରଭୁ, ତୁମର ପ୍ରିୟ ମିଥିଳା ନଗରକୁ ରକ୍ଷା କର ।’’

 

ମହାଜନକ ଉତ୍ତର ଦେଲେ :

 

‘‘ବୃଥା ଚେଷ୍ଟା କର ନାହିଁ ! ମିଥିଳା ଦଗ୍‍ଧ ହୋଇଗଲେ ମୋର କିଛିମାତ୍ର ଦଗ୍‍ଧ ହେବ ନାହିଁ । ମୁଁ ଯାହା ଛାଡ଼ିଦେଇ ଆସିଛି, ସେଥିପ୍ରତି ମୋର ଆଉ କେବେହେଲେ ମମତା ଆସି ନ ପାରେ ।’’

 

ରାଜ ସନ୍ନ୍ୟାସୀ ଆଉ ସେଠାରେ ବିଶ୍ରାମ ନ କରି ସମ୍ମୁଖକୁ ଅଗ୍ରସର ହେଲେ । ରାଣୀଙ୍କ ଚେଷ୍ଟା ବ୍ୟର୍ଥ ହେବାରୁ ମନ୍ତ୍ରୀମାନେ ଆଉ ଏକ ଉପାୟ କଲେ । ଗୁଡ଼ିଏ ଉଗ୍ର ପ୍ରକୃତିର ଲୋକ ଯୋଗାଡ଼ କରାଇ ସେମାନଙ୍କଦ୍ୱାରା ବାଟ ପାଖରେ କେତେକ ଗ୍ରାମରେ ଲୁଟପାଟ ଆରମ୍ଭ କରାଇଦେଲେ । ଏପରି କରିବାର ଉଦ୍ଦେଶ୍ୟ ଗ୍ରାମବାସୀମାନଙ୍କୁ ଆଗରୁ ଜଣାଇ ଦିଆଗଲା । ମହାଜନକ ସେହିସବୁ ଗ୍ରାମ ପାର୍ଶ୍ୱଦେଇ ଯିବାବେଳେ ସେଠାରେ ଲୋକେ ପୂର୍ବ ନିର୍ଦ୍ଦେଶମତେ ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଧାଇଁଆସିଲେ ଏବଂ ତାଙ୍କର ପାଦତଳେ ଲୋଟି କହିଲେ :

 

‘‘ମହାରାଜ ! ନିଷ୍ଠୁର ଦସ୍ୟୁମାନେ କାହୁଁ ଆସି ଆମ ଘରଦ୍ୱାର ଭାଙ୍ଗି ଦେଉଛନ୍ତି, ସର୍ବସ୍ୱ ଲୁଟିକରି ନେଉଛନ୍ତି । ଆପଣ ଆମମାନଙ୍କ ଧନଜୀବନ ରକ୍ଷା କରନ୍ତୁ ।’’

 

ମହାଜନକ ମନ୍ତ୍ରୀ ଓ ସେନାପତିଙ୍କଆଡ଼କୁ ଅଙ୍ଗୁଳି ଦେଖାଇ ନିର୍ବିକାର ଚିତ୍ତରେ ଆଗେଇ ଚାଲିଲେ । ଏ ସମସ୍ତ ପ୍ରତିବନ୍ଧକ ତାଙ୍କୁ ତିଳେହେଲେ ପଥଚ୍ୟୁତ କଲା ନାହିଁ । ଏହାପରେ ସେ କେବଳ ରାଣୀଙ୍କୁ ଆସିବାପାଇଁ ଅନୁମତି ଦେଇ ଅନ୍ୟ ସମସ୍ତଙ୍କୁ ସେହିଠାରୁ ଫେରିଯିବାକୁ ଅନୁରୋଧ କଲେ ।

 

ଅଳ୍ପ ଦୂର ଯିବା ପରେ ଗୋଟିଏ ଗଭୀର ଅରଣ୍ୟ ପଡ଼ିଲା । ମହାଜନକ ତୃଣଟିଏ ଛିଣ୍ଡାଇଆଣି ତାହାକୁ ଦୁଇଖଣ୍ଡ କରିଦେଇ କହିଲେ :

 

‘‘ସୀବଳୀ ! ଏ ତୃଣ ଦୁଇଖଣ୍ଡକୁ ତୁମେ ଯୋଡ଼ି ଆଗପରି ଖଣ୍ଡିଏ କରିଦେଇପାରିବ କି-? ତୁମର ମୋର ସମ୍ପର୍କ ଠିକ୍‍ ସେହିପରି ବିଚ୍ଛିନ୍ନ ହୋଇଯାଇଛି, ତାହା ଆଉ କଦାପି ଲାଗିପାରିବ ନାହିଁ । ତେଣୁ ବୃଥା ମୋ ସହିତ ନ ଆସି ଏହିଠାରୁ ନଅରକୁ ଫେରିଯାଅ । ମୋର କର୍ତ୍ତବ୍ୟମାର୍ଗରେ ଅଯଥା ବାଧା ସୃଷ୍ଟି କରନାହିଁ ।’’

 

ଏହି ଶେଷ ବାଣୀ ଶୁଣି ସୀବଳୀ ଆଉ ଧୈର୍ଯ୍ୟ ଧରିପାରିଲେ ନାହିଁ । ‘‘ହା ସ୍ୱାମୀ !’’ କହି ସଙ୍ଗେ ସଙ୍ଗେ ମୂର୍ଚ୍ଛତା ହୋଇ ତଳେ ପଡ଼ିଗଲେ ! ଏବେ ସୁଯୋଗ ପାଇ ମହାଜନକ ବନର ନିବିଡ଼ ଗର୍ଭକୁ ଚାଲିଗଲେ ।

 

କିଛି ସମୟ ପରେ ଅନୁଚରମାନେ ଆସି ପହଞ୍ଚିଲେ । ରାଣୀଙ୍କର ଏଭଳି ସଂଜ୍ଞାହୀନ ଅବସ୍ଥା ଦେଖି ସେମାନେ ତାଙ୍କ ମୁଖ, ଆଖି ଆଦିରେ ପାଣି ଛାଟିଲେ । ରାଣୀ ଆଖିଖୋଲି ଉଠି ବସିଲେ; ମିଥିଳାର ମଣି ମହାଜନକଙ୍କୁ ହଜାଇ ଅତି ବିକଳରେ ପୁଣି କାନ୍ଦିଲେ । ଶେଷରେ ଅନୁଚରମାନେ ତାଙ୍କୁ ରଥରେ ବସାଇ ରାଜପୁରୀକୁ ଘେନିଆସିଲେ ।

 

ସୀବଳୀଙ୍କର ମଧ୍ୟ ରାଜସୁଖରୁ ମନ ଛାଡ଼ିଗଲା । ସେ ତାଙ୍କର ବାଳକପୁତ୍ରକୁ ରାଜପଦରେ ଅଭିଷିକ୍ତ କରାଇ ଅମାତ୍ୟମାନଙ୍କ ହାତରେ ରାଜ୍ୟ ଚଳାଇବାର ଭାର ଛାଡ଼ିଦେଲେ । ଯେଉଁ ଉଦ୍ୟାନର ଆମ୍ୱଗଛତଳେ ସ୍ୱାମୀଙ୍କର ପ୍ରଥମେ ବୈରାଗ୍ୟଭାବ ଜାତ ହୋଇଥିଲା, ସେହିଠାରେ ସେ ଗୋଟିଏ ପତ୍ରକୁଡ଼ିଆ ରଚନା କଲେ ଏବଂ ରାଜପୁରୀ ଛାଡ଼ି ତାହାରି ମଧ୍ୟରେ ଶ୍ରମଣୀ ବା ସନ୍ନ୍ୟାସିନୀ ହୋଇ ବାସ କଲେ । ପୁଣି ମହାଜନକ ସନ୍ନ୍ୟାସୀ ହୋଇ ଚାଲିଯିବା ଦିନ ନଗରପ୍ରାନ୍ତରେ ଯେଉଁ ବୃକ୍ଷମୂଳରେ ବିଶ୍ରାମ କରିଥିଲେ, ସେଠାରେ ସୀବଳୀ ଗୋଟିଏ ବୌଦ୍ଧମଠ ତିଆରି କରାଇଦେଲେ ।

 

ଶ୍ରମଣୀର ପବିତ୍ର ଜୀବନଯାପନ କରି ସୀବଳୀ ସ୍ୱାମୀଙ୍କୁ ପ୍ରତିଦିନ ପୂଜା କରିବାକୁ ଲାଗିଲେ । ବହୁବର୍ଷ ଅତୀତ ହୋଇଗଲା । ହଠାତ୍‍ ଦିନେ ମହାଶ୍ରମଣ ‘ମହାଜନକ’ ହିମାଳୟରୁ ଆସି ସୀବଳୀଙ୍କ ନିକଟରେ ପହଞ୍ଚିଲେ । ହଜିବା ମଣି ଫେରିପାଇ ଶ୍ରମଣୀ ସୀବଳୀ ଆନନ୍ଦରେ ତାଙ୍କ ପାଦତଳେ ଲୋଟିଗଲେ ଏବଂ ତାଙ୍କଠାରୁ ଦୀକ୍ଷା ନେଇ ଜୀବନ ଧନ୍ୟ କଲେ । ସୀବଳୀଙ୍କର ଏଭଳି ପରିବର୍ତ୍ତନ ଦେଖି ମହାଜନକ ତାଙ୍କୁ ସଙ୍ଗରେ ଘେନି ପୁଣି ହିମାଳୟକୁ ଚାଲିଗଲେ ।

Image